ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ଅନ୍ୟତମ ପ୍ରସିଦ୍ଧ ହୋଟେଲ ‘ଦ ଲଳିତ ’ର ମୁଖ୍ୟ, ଫିକିର ପୂର୍ବତନ ଚେୟାରମ୍ୟାନ୍‌ ତଥା ବର୍ତ୍ତମାନ ଫିକିର ଜାତୀୟସ୍ତରର ପର୍ଯ୍ୟଟନ କମିଟିର ଅଧ୍ୟକ୍ଷା ଡକ୍ଟର ଜୋତ୍ସ୍ନା ସୁରୀ ଓଡ଼ିଶା ଟ୍ରାଭେଲ ବଜାରର ତୃତୀୟ ସଂସ୍କରଣରେ ଯୋଗଦେଇ ଓଡ଼ିଶା ସମ୍ପର୍କରେ ନିଜ ଅନୁଭୂତି ବର୍ଣ୍ଣନା କରିଛନ୍ତି।

‘‘ଭୁବନେଶ୍ଵର ହେଉଛି ମନ୍ଦିରମାଳିନୀର ସହର। ଏଠାରେ ଅନେକ ପ୍ରାଚୀନ ମନ୍ଦିରର ରହିଛି। ମୁଁ ଦୁଃଖର ସହ କହୁଛି ଯେ, ମୁଁ ପ୍ରଥମ ଥର ପାଇଁ ଓଡ଼ିଶା ଆସିଲି। କିନ୍ତୁ ଓଡ଼ିଶାରେ ଥିବା ସୌନ୍ଦର୍ଯ୍ୟ ଏବଂ ଭାସ୍କର୍ଯ୍ୟ ଦେଖି ମୁଁ ଚମକି ପଡ଼ିଲି। ଏହାର ଭାସ୍କର୍ଯ୍ୟ ଓ ଅପୂର୍ବ ପ୍ରାକୃତିକ ଶୋଭା ଅତ୍ୟନ୍ତ ଆକର୍ଷଣୀୟ। ଓଡ଼ିଶା ହେଉଛି ‘ଇଣ୍ଡିଆଜ୍‌ ବେଷ୍ଟ କେପ୍ଟ ସିକ୍ରେଟ୍‌’ ଯାହା ମୁଁ ଯଥାର୍ଥ ମନେ କରୁଛି’’, କହିଛନ୍ତି ଲଳିତ ଗ୍ରୁପ୍‌ ଅଫ୍‌ ହସ୍ପିଟାଲିଟିର ସିଏମ୍‌ଡି ଡକ୍ଟର ଜ୍ୟୋତ୍ସ୍ନା ସୁରୀ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସୌନ୍ଦର୍ଯ୍ୟର ଗନ୍ତାଘର ହେଉଛି ଓଡ଼ିଶା। ତେଣୁ, ଓଡ଼ିଶା ପର୍ଯ୍ୟଟନର ବିକାଶ ଓ ପ୍ରସାର କରିବା ଆମର ଦାୟିତ୍ଵ।

ଫିକି ଓ ଓଡ଼ିଶା ପର୍ଯ୍ୟଟନ ବିଭାଗର ମିଳିତ ସହଯୋଗରେ ଆୟୋଜିତ ହୋଇଥିବା ଓଡ଼ିଶା ଟ୍ରାଭେଲ୍ ବଜାରର ତୃତୀୟ ସଂସ୍କରଣର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଇଥିଲେ ‘ଦ ଲଳିତ’ର ମୁଖ୍ୟ ଡକ୍ଟର ଜ୍ୟୋତ୍ସ୍ନା ସୁରୀ।

ସେ କହିଥିଲେ ଯେ, ଓଡ଼ିଶାର ଐତିହ୍ୟ, ସଂସ୍କୃତି, ଆଦିବାସୀ ପର୍ଯ୍ୟଟନ, ବୌଦ୍ଧ ପର୍ଯ୍ୟଟନ, ହସ୍ତକଳା, ହସ୍ତତନ୍ତ, ପରିବେଶ ଓ ବନ୍ୟଜନ୍ତୁ ପର୍ଯ୍ୟଟନ ଭଳି ଅନେକ ଭିତ୍ତିଭୂମି ରହିଛି, ଯାହା ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବ। ଓଡ଼ିଶାରେ ବିଶାଳ ପର୍ଯ୍ୟଟନ କଥା ରହିଛି, ଯାହା ଦେଶ ଓ ଦେଶ ବାହାରୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ନୂଆ ଅନୁଭୂତି ଦେବ।

ଏହାସହ ଶିଳ୍ପ ଓ ବିକାଶ କ୍ଷେତ୍ରରେ ବି ଓଡ଼ିଶା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ବୋଲି ସେ କହିଥିଲେ।

ଓଡ଼ିଶାରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିବା ସହ ପର୍ଯ୍ୟଟନର ବିକାଶ ପାଇଁ ଡକ୍ଟର ସୁରୀ ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି।

ଏହି ଛଅ ଦିନର ମେଗା ଟ୍ରାଭେଲ ବଜାରରେ ମୋଟ୍ ୧୫ଟି ଦେଶରୁ ୨୫ ଜଣ ବିଦେଶୀ ଟୁର୍ ଅପରେଟର ଏବଂ ଭାରତର ୬୦ ଜଣ ଆଗଧାଡ଼ିର ଟୁର୍ ଅପରେଟର ଯୋଗ ଦେଇଛନ୍ତି। ଉଦ୍‌ଘାଟନୀ ସମାରୋହ ପରେ ‘ଇଣ୍ଡିଆଜ୍‌ ବେଷ୍ଟ କେପ୍ଟ ସିକ୍ରେଟ୍‌’ ଭାବେ ପରିଚିତ ଓଡ଼ିଶାର ପର୍ଯ୍ୟଟନ ସମ୍ଭାବନା ଉପରେ ଆଲୋଚନା କରାଯାଇଥିଲା।

ଦେଶ ଓ ଦେଶ ବାହାରୁ ଆସିଥିବା ଟୁର୍‌ ଅପରେଟରମାନେ ଓଡ଼ିଶାର ହୋଟେଲିୟର ଏବଂ ଟୁର୍‌ ଅପରେଟରମାନଙ୍କ ସହ ବି ଟୁ ବୈଠକରେ ଆଲୋଚନା କରିବେ। ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ କେମିତି ପ୍ରଚାର ପ୍ରସାର କରାଯିବ ଏବଂ ଅଧିକ ବିଦେଶୀ ପର୍ଯ୍ୟଟକ ଓଡ଼ିଶା ପ୍ରତି ଆକର୍ଷିତ ହେବା ବିଷୟରେ ଆଲୋଚନା କରାଯାଇଥିଲା।

ଡକ୍ଟର ଜ୍ୟୋତ୍ସ୍ନା ଆହୁରି ମଧ୍ୟ କହିଛନ୍ତି, ‘‘ଓଡ଼ିଶାରେ ପର୍ଯ୍ୟଟକମାନଙ୍କ ପାଇଁ ଅନେକ ଐତିହ୍ୟସ୍ଥଳୀ ରହିଛି। ଏହି ପର୍ଯ୍ୟଟନ କ୍ଷେତ୍ରକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରଚାର ଓ ପ୍ରସାର କରିବା ପାଇଁ ଓଡ଼ିଶା ଟ୍ରାଭେଲ୍ ବଜାର ସହାୟକ ହେବ।’’

ଶେଷରେ ଡକ୍ଟର ସୁରୀ କହିଥିଲେ ଯେ, ଓଡ଼ିଶା ପର୍ଯ୍ୟଟନ ବିଭାଗ ଓ ଫିକିର ମିଳିତ ସହଯୋଗରେ ପ୍ରଥମେ ୨୦୧୭ରେ ଓଡ଼ିଶା ଟ୍ରାଭେଲ ବଜାରର ଆୟୋଜନ କରାଯାଇଥିଲା। ଗତ ୩ ବର୍ଷ ମଧ୍ୟରେ ଏହା ନୂଆ ରୂପ ନେଇ ଭାରତର ଏକ ପ୍ରମୁଖ ଟ୍ରାଭେଲ ବଜାର ଭାବେ ଗଢ଼ି ଉଠିଛି। ବିଶେଷକରି ଚଳିତ ସଂସ୍କରଣରେ ୨୪୦୦ ବିଟୁବି ବୈଠକ ଆୟୋଜିତ ହେବା ଏକ ବଡ଼ କଥା ବୋଲି ଡକ୍ଟର ଜ୍ୟୋତ୍ସ୍ନା ସୁରୀ ମତ ଦେଇଥିଲେ।

Comment