ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ 

‘’୧୦ ବର୍ଷ ଧରି ଯିଏ ଭାରତର ଅର୍ଥ ବ୍ୟବସ୍ଥାକୁ ବରବାଦ କରିଥିଲେ ସେମାନଙ୍କ ଭିତରୁ କିଏ ତିହାର ତ ଆଉ କିଏ ମୁମ୍ବାଇ ଜେଲ୍‌ରେ ଅଛନ୍ତି’’, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମୁମ୍ବାଇରେ ନିର୍ବାଚନ ରାଲିରେ ଏଭଳି ବାଣ କଂଗ୍ରେସକୁ ମାରିଛନ୍ତି।

ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ପାଇଁ ୨୧ରେ ହେବ ଭୋଟ। ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମୋଦୀ ଆଜି ହରିୟାଣା ଏବଂ ମୁମ୍ବାଇରେ ନିର୍ବାଚନୀ ପ୍ରଚାର କରିଛନ୍ତି। ଏପଟେ ହରିୟାଣାରେ ରାହୁଲ ଗାନ୍ଧୀ ବି କଂଗ୍ରେସ ପାଇଁ ପ୍ରଚାର କରିଛନ୍ତି।

‘‘୨୦୧୪ରୁ ଆମେ ସରକାରରେ ରହିଛୁ। ହେଲେ ଆମ ସରକାରରେ ଦୁର୍ନୀତିର ଦାଗ ଲାଗିନି। ଭାରତର ବିକାଶ ପାଇଁ ଏବଂ ଲୋକଙ୍କ ସ୍ୱପ୍ନ ପୂରଣ ପାଇଁ ଆମ ସରକାର କାମ କରୁଛନ୍ତି। ଏବେ ସବୁ କାମ ଡିଜିଟାଇଜେସନ ହୋଇଯାଇଥିବାରୁ ସ୍ୱଚ୍ଛତା ରହୁଛି। ପୂର୍ବର ସରକାର ଦୁର୍ନୀତିଗ୍ରସ୍ତଙ୍କ ପାଇଁ କାମ କରୁଥିଲେ’’, କହିଥିଲେ ମୋଦୀ।

ଛତ୍ରପତି ଶିବାଜୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେଇ ମୋଦୀ ନିର୍ବାଚନ ପ୍ରଚାର ଆରମ୍ଭ କରିଥିଲେ। ଏହି ସଭାରେ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ, ବିଜେପି ନେତ୍ରୀ ତଥା ବଲିଉଡ ଡ୍ରିମଗର୍ଲ ହେମାମାଳିନୀ ଉଦବୋଧନ ଦେଇଥିଲେ।

ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟ ହୋଇଥିବା ବେଳେ କଂଗ୍ରେସ ଏନ୍‌ସିପି ସହ ମେଣ୍ଟ କରି ନିର୍ବାଚନ ଲଢୁଛି। ପଶନିବାର ସନ୍ଧ୍ୟାରେ ପ୍ରଚାର ଶେଷ ହେବାର ଥିବାରୁ ସବୁ ଦଳର ହେଭିୱେଟ୍‌ ନେତା ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି।

Comment