ଓଡ଼ିଶାଲାଇଭ୍ ବ୍ୟୁରୋ

ଫିକି ପୂର୍ବାଞ୍ଚଳ ପର୍ଯ୍ୟଟନ କମିଟିର ଅଧ୍ୟକ୍ଷ ତଥା ମେ’ ଫେୟାର ହୋଟେଲ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୌଭାଗ୍ୟ ମହାପାତ୍ର ଓଡ଼ିଶା ଟ୍ରାଭେଲ ବଜାର ତୃତୀୟ ସଂସ୍କରଣର ଉଦଘାଟନୀ ଉତ୍ସବରେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ।

‘‘ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରକୁ ଆଗକୁ ନେବା ପାଇଁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି। ଓଡ଼ିଶାକୁ ବିଦେଶୀ ପର୍ଯ୍ୟଟକ କିପରି ଅଧିକରୁ ଅଧିକ ଆସିବେ ସେନେଇୁ ଫିକି ସହଯୋଗରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ବିଦେଶରେ ରୋଡ ସୋ’ କରାଯାଇଛି। ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରର ପ୍ରଚାର ପ୍ରସାର କରାଯାଇଛି। ରାଜ୍ୟ ସରକାର ଓଡ଼ିଶାର ପର୍ଯ୍ୟଟନ ଏବଂ ହୋଟେଲ ଶିଳ୍ପ ପ୍ରତି ସହଯୋଗର ହାତ ବଢ଼ାଇ ଆସିଛନ୍ତି। ଓଡ଼ିଶାର ସଂସ୍କୃତି ଏବଂ ଐତିହ୍ୟ ସହ ଜଡ଼ିତ ଦେଶ ମାଲେସିଆ, ଥାଇଲାଣ୍ଡ, କାମ୍ବୋଡିଆ, ଶ୍ରୀଲଙ୍କା, ସିଙ୍ଗାପୁର ଏବଂ ଇଣ୍ଡୋନେସିଆରେ ରୋଡ ସୋ’ କରିବା ପାଇଁ ଲକ୍ଷ୍ୟ ରହିଛି’’, କହିଛନ୍ତି ଫିକି ପୂର୍ବାଞ୍ଚଳ ପର୍ଯ୍ୟଟନ କମିଟିର ଅଧ୍ୟକ୍ଷ ତଥା ମେ’ ଫେୟାର ହୋଟେଲ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୌଭାଗ୍ୟ ମହାପାତ୍ର।

୧୪ ତାରିଖରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଓଡ଼ିଶା ଟ୍ରାଭେଲ ବଜାରର ତୃତୀୟ ସଂସ୍କରଣ। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ। ଏଥିରେ ଫିକି ପୂର୍ବାଞ୍ଚଳ ପର୍ଯ୍ୟଟନ କମିଟିର ଅଧ୍ୟକ୍ଷ ତଥା ମେ’ ଫେୟାର ହୋଟେଲ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୌଭାଗ୍ୟ ମହାପାତ୍ର ଯୋଗଦେଇ ଓଡ଼ିଶା ପର୍ଯ୍ୟଟନ ଏବଂ ହୋଟେଲ ଶିଳ୍ପକୁ ଆଗକୁ ନେବା ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ।

‘‘ଅନ୍ୟ ରାଜ୍ୟରେ ପର୍ଯ୍ୟଟନ ଏବଂ ହୋଟେଲ ଶିଳ୍ପର ବିକାଶ ପାଇଁ ଯେଉଁଭଳି ଯୋଜନା ଚାଲିଛି ଆମ ରାଜ୍ୟରେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାର ଉଦ୍ୟମ କରୁଛନ୍ତି। ନିକଟରେ ପର୍ଯ୍ୟଟନ କ୍ଷେତ୍ର, ହୋଟେଲ ଏବଂ କନଭେନ୍‌ସନ୍‌ ସେଣ୍ଟର ପାଇଁ ଜମି ଯୋଗାଇ ଦେବା ଖୁସିର କଥା’’, କହିଥିଲେ ଶ୍ରୀ ମହାପାତ୍ର।

ସେ ଆହୁରି କହିଥିଲେ ଯେ ଦେଶ ବିଦେଶରୁ ପର୍ଯ୍ୟଟକମାନେ ଓଡ଼ିଶାକୁ ଆସିବାରେ କିଛି ଅସୁବିଧା ନାହିଁ। ଝାରସୁଗୁଡ଼ା ଏୟାରପୋର୍ଟ କାର୍ଯ୍ୟକ୍ଷମ ହେବା ପରେ ଓଡ଼ିଶାକୁ ଅଧିକ ପର୍ଯ୍ୟଟକ ଆସିବା ପାଇଁ ରାସ୍ତା ଖୋଲି ଯାଇଛି। ଝାରସୁଗୁଡ଼ା ଏୟାରପୋର୍ଟ କାର୍ଯ୍ୟକ୍ଷମ ହୋଇଥିବାରୁ ପଶ୍ଚିମ ଓଡ଼ିଶାରେ ଥିବା ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରର ଅଧିକ ପ୍ରଚାର ପ୍ରସାର ହୋଇ ପାରିବ।

‘‘ରାଜ୍ୟ ସରକାର ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ହେଲେ ଏବେ ଚିଲିକାକୁ ଗୁରୁତ୍ୱ ଦେବାର ବେଳ ଆସିଛି। ଚିଲିକା କିପରି ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ସେ ଦିଗପ୍ରତି ଧ୍ୟାନ ଦେବା ଦରକାର। ଏହାସହ ଭିତରକନିକା ଏବଂ ତାଲସରୀ ବେଳଭୂମିର ବିକାଶ ପ୍ରତି ସରକାର ଦୃଷ୍ଟି ଦେଲେ ଅଧିକ ପର୍ଯ୍ୟଟକ ଓଡ଼ିଶା ଆସି ପାରିବେ’’, କହିଥିଲେ ସୌଭାଗ୍ୟ ମହାପାତ୍ର।

ଫିକି ଓ ଓଡ଼ିଶା ପର୍ଯ୍ୟଟନ ବିଭାଗର ମିଳିତ ସହଯୋଗରେ ଆୟୋଜିତ ହୋଇଛି ଓଡ଼ିଶା ଟ୍ରାଭେଲ୍ ବଜାରର ତୃତୀୟ ସଂସ୍କରଣ। ୨୦୧୭ରେ ଏହାର ପ୍ରଥମ ସଂସ୍କରଣ ଏବଂ ୨୦୧୮ରେ ଦ୍ୱିତୀୟ ସଂସ୍କରଣ ଆୟୋଜନ କରାଯାଇଥିଲା। ୧୪ ତାରିଖରୁ ଆରମ୍ଭ ହୋଇଥିବା ତୃତୀୟ ସଂସ୍କରଣ ୨୦ ତାରିଖ ଯାଏଁ ଚାଲିବ।

ସୌଭାଗ୍ୟ ମହାପାତ୍ର କହିଥିଲେ, ‘‘ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରର ପ୍ରଚାର ପ୍ରସାର କରିବା ପାଇଁ ପର୍ଯ୍ୟଟନ ବିଭାଗ ସୋସିଆଲ ମିଡିଆ ମାଧ୍ୟମରେ ଅନେକ ପଦକ୍ଷେପ ନେଇଛନ୍ତି। ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ପ୍ରତି ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରାଯାଉଛି। ସ୍ପୋର୍ଟସ୍‌ ଟୁରିଜିମ୍‌ ଓଡ଼ିଶାକୁ ନୂଆ ପରିଚୟ ଦେଇଛି। ରାଜ୍ୟ ସରକାର ଏବେ ୱାଟର ଟୁରିଜିମ୍‌ ଉପରେ ଗୁରୁତ୍ୱ ଦେଉଛନ୍ତି। ଏହା ଆମ ପାଇଁ ଖୁସିର କଥା।’’

ଛଅ ଦିନର ମେଗା ଟ୍ରାଭେଲ ବଜାରରେ ମୋଟ୍ ୧୫ଟି ଦେଶରୁ ୨୫ ଜଣ ବିଦେଶୀ ଟୁର୍ ଅପରେଟର ଏବଂ ଭାରତର ୬୦ ଜଣ ଆଗଧାଡ଼ିର ଟୁର୍ ଅପରେଟର ଯୋଗ ଦେଇଛନ୍ତି। ଉଦ୍‌ଘାଟନୀ ସମାରୋହ ପରେ ‘ଇଣ୍ଡିଆଜ୍‌ ବେଷ୍ଟ କେପ୍ଟ ସିକ୍ରେଟ୍‌’ ଭାବେ ପରିଚିତ ଓଡ଼ିଶାର ପର୍ଯ୍ୟଟନ ସମ୍ଭାବନା ଉପରେ ଆଲୋଚନା କରାଯାଇଥିଲା।

ଦେଶ ଓ ଦେଶ ବାହାରୁ ଆସିଥିବା ଟୁର୍‌ ଅପରେଟରମାନେ ଓଡ଼ିଶାର ହୋଟେଲିୟର ଏବଂ ଟୁର୍‌ ଅପରେଟରମାନଙ୍କ ସହ ବି ଟୁ ବି ବୈଠକରେ ଆଲୋଚନା କରିବେ। ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ କେମିତି ପ୍ରଚାର ପ୍ରସାର କରାଯିବ ଏବଂ ଅଧିକ ବିଦେଶୀ ପର୍ଯ୍ୟଟକ ଓଡ଼ିଶା ପ୍ରତି ଆକର୍ଷିତ ହେବା ବିଷୟରେ ଆଲୋଚନା କରାଯିବ।

Comment