ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟର ଜଣାଶୁଣା ଗଣମାଧ୍ୟମ ଓ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ଚଳିତ ମାସ ୨୦ ତାରିଖରୁ ଆରମ୍ଭ ହେଉଛି ଦ୍ୱିତୀୟ କୋରାପୁଟ ସାହିତ୍ୟ ଉତ୍ସବ। ଦୁଇଦିନ ଧରି ହେବାକୁ ଥିବା ଉତ୍ସବର ଉଦ୍‌ଘାଟନୀ ସମାରୋହ କୋରାପୁଟ ସହରଠାରୁ ୨୨ କିଲୋମିଟର ଦୂର ବ୍ରାଉନ୍‌ ଭାଲି କଫି ଇଷ୍ଟେଟ୍‌ର ପ୍ରାକୃତିକ ପରିବେଶରେ ଅନୁଷ୍ଠିତ ହେବା। ଏହି କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ କୋରାପୁଟସ୍ଥିତ ଜନଜାତି ସଂଗ୍ରହାଳୟରେ ଅନୁଷ୍ଠିତ ହେବ।

ଜମ୍ମୁ ଓ କଶ୍ମୀରରୁ ଅସୁଥିବା ବରିଷ୍ଠ ଡୋଗ୍ରୀ ଲେଖକ ପ୍ରଫେସର ଲଳିତ ମଙ୍ଗୋତ୍ରା ଉତ୍ସବକୁ ଉଦ୍‌ଘାଟନ କରିବେ। କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଅତିଥି ଭାବେ ଯୋଗଦେବେ। ସେହିପରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ସଂସ୍କୃତି-ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଉଦ୍‌ଯାପନୀ ସମାରୋହରେ ଅତିଥି ଭାବେ ଯୋଗଦେବେ।

ଦୁଇଦିନ ବ୍ୟାପୀ ଏହି ଉତ୍ସବର ୧୫ଟି ଅଧିବେଶନରେ ୬୦ରୁ ଅଧିକ ବକ୍ତା ଓ ୪୦ରୁ ଅଧିକ କବି ଯୋଗଦେବାକୁ ଥିବା ବେଳେ ଓଡ଼ିଶା ତଥା ଓଡ଼ିଶା ବାହାରୁ ୩୦୦ରୁ ଅଧିକ ବ୍ୟକ୍ତି ଏହି ଉତ୍ସବରେ ଯୋଗଦେବାକୁ କୋରାପୁଟ ଆସୁଛନ୍ତି।

ଉଦ୍‌ଯାପନୀ ସମାରୋହରେ ବିଶିଷ୍ଟ କଥାକାର ଡ.ଗୌରହରି ଦାସ ଓ କବି ବିପିନ ନାୟକଙ୍କୁ ୨ୟ କୋରାପୁଟ ସାହିତ୍ୟ ସମ୍ମାନ ପ୍ରଦାନ କରାଯିବ ବୋଲି ଆୟୋଜକ ଓଡ଼ିଆ ମିଡିଆର ନିର୍ଦ୍ଦେଶକ ତଥା କଥାଶିଳ୍ପୀ ଶୁଭ୍ରାଂଶୁ ପଣ୍ଡା ସୂଚନା ଦେଇଛନ୍ତି।

କୋରାପୁଟ ଜିଲ୍ଲାର ୧୦ ଜଣ ପ୍ରସିଦ୍ଧ ଓ ପ୍ରତିଭାଧର ବ୍ୟକ୍ତିଙ୍କୁ ମଧ୍ୟ ଏହି ଅବସରରେ ସମ୍ବର୍ଦ୍ଧନା ପ୍ରଦାନ କରାଯିବ।

ଏହି ଉତ୍ସବରେ ‘କୋରାପୁଟ ଓ ବିକାଶ’ ଶୀର୍ଷକ ପ୍ରସଙ୍ଗରେ ଏକ ବିତର୍କ ଆୟୋଜନ କରାଯାଇଛି। ‘ପ୍ରକୃତି ଓ ସୃଜନ’ ଶୀର୍ଷକ ଅନ୍ୟ ଏକ ଅଧିବେଶନରେ କୋରାପୁଟର ବିଧାୟକ ରଘୁରାମ ପଡ଼ାଲ, ପ୍ରଫେସର ବିକ୍ରମ କୁମାର ଦାସ, ଦାଶ ବେନହୁର, ନାରାୟଣ ପଣ୍ଡା, ସୁନିତା ଶତପଥୀ ଓ ପ୍ରସିଦ୍ଧ ମାଲାୟଲମ ଲେଖକ ଭି.ମୁଜାଫର ଅହମ୍ମଦ ଯୋଗଦେବେ।

Comment