ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଶନିବାର ସନ୍ଧ୍ୟାରେ ଶେଷ ହୋଇଛି ପ୍ରଚାର। ଶେଷ ଦିନରେ ବିଜେପି-ଶିବସେନା ଏବଂ କଂଗ୍ରେସ-ଏନ୍‌ସିପି ଶକ୍ତି ପ୍ରଦର୍ଶନ କରିଛନ୍ତି। ମହାରାଷ୍ଟ୍ରରେ ସରକାର ଗଢ଼ିବା ପାଇଁ ବିଜେପି-ଶିବସେନା ମେଣ୍ଟ ଏବଂ କଂଗ୍ରେସ-ଏନ୍‌ସିପି ମେଣ୍ଟ ଜୋରଦାର ପ୍ରୟାସ କରିଛନ୍ତି। ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ଆସନ ପାଇଁ ହେବ ଭୋଟ। ୨୪ରେ ଫଳାଫଳ ବାହାରିବ। ଏହିଦିନ ହିଁ ଜଣାପଡ଼ିବ ମହାରାଷ୍ଟରେ ଆଗାମୀ ୫ ବର୍ଷ ପାଇଁ ସରକାର ଗଠନ କରିବାକୁ ଭୋଟର କାହାକୁ ବାଛିଛନ୍ତି।

ବିଜେପି ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ଙ୍କ ସମେତ ବରିଷ୍ଠ ନେତା ପ୍ରଚାର କରିଥିବା ବେଳେ ଶିବସେନା ପକ୍ଷରୁ ଉଦ୍ଧବ ଠାକରେ ଏବଂ ତାଙ୍କ ପୁଅ ଆଦିତ୍ୟ ଠାକ୍‌ରେ ପ୍ରଚାର ମଇଦାନକୁ ସରଗରମ କରିଥିଲେ।

ସେହିପରି ବିଜେପି-ଶିବସେନା ମେଣ୍ଟକୁ ଟକ୍କର ଦେବା ପାଇଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରଚାର ମଇଦାନକୁ ଓହ୍ଲାଇଥିଲେ। କିନ୍ତୁ ରାହୁଲ ଗାନ୍ଧୀ ଅଳ୍ପ ପ୍ରଚାର କରିଥିଲେ। ଏନ୍‌ସିପି ନେତା ଶରଦ ପାୱାର ବି ପ୍ରଚାର କରି ମହାରାଷ୍ଟ୍ର ରାଜନୀତିକୁ ସରଗରମ କରିଥିଲେ।

ପ୍ରଚାର ବେଳେ ବିଜେପି ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ, ସର୍ଜିକାଲ ଷ୍ଟ୍ରାଇକ୍‌, ବାଲାକୋଟ ଏୟାରଷ୍ଟ୍ରାଇକ୍‌କୁ ପ୍ରସଙ୍ଗ କରିଥିଲା। ଏହାସହ ବୀର ସବରକରଙ୍କୁ ଭାରତରତ୍ନ ଦେବାକୁ ବିଜେପି ପ୍ରତିଶ୍ରୁତି ଦେଇଛି।

ଏପଟେ କଂଗ୍ରେସ ଏବଂ ଏନ୍‌ସିପି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ। ଦେଶରେ ଦେଖାଦେଇଥିବା ଆର୍ଥିକ ମାନ୍ଦାବସ୍ଥା, ବେରୋଜଗାରକୁ ଅସ୍ତ୍ର କରି କଂଗ୍ରେସକୁ ଟାର୍ଗେଟ କରିଥିଲା।

ଏସବୁ ଛକାପଞ୍ଝା ଭିତରେ ପ୍ରଚାର ଶେଷ ହୋଇଛି। ସୋମବାର ଦିନ ହେବ ଭୋଟ। ଭୋଟର ୩ ହଜାର ୨୩୭ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।

Comment