ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବିଜେପୁରରେ କାମ ଦେଲାନି ବିଜେପି ଗଣିତ।

ପୁଣି ଥରେ ବିଜେପିକୁ ନିରାଶ କରିଛି ବିଜେପୁର। ବିଜେପୁର ଦଖଲ କରିବା ପାଇଁ ବିଜେପି ନେତାମାନେ ଯେଉଁ କସରତ କରିଥିଲେ ତାହା ସଫଳ ହୋଇନି। ବିଜେଡି ଏବଂ ଏହାର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଅତୁଟ ରହିଥିବା ପୁଣି ଥରେ ପ୍ରମାଣ ଦେଇଛି ବିଜେପୁର ଉପନିର୍ବାଚନ। ତେବେ ବିଜେପୁରରେ କାହିଁକି ପଦ୍ମ ଫୁଟିଲାନି ତାକୁ ନେଇ ଏବେ କାରଣ ଖୋଜା ଚାଲିଛି।

ଅଶୋକ ପାଣିଗ୍ରାହୀଙ୍କ ଦଳ ଛାଡ଼ିବା ବିଜେପୁରରେ ପଦ୍ମ ନଫୁଟିବା ପଛରେ ଏକ ପ୍ରମୁଖ ଫ୍ୟାକ୍ଟର ବୋଲି କୁହାଯାଉଛି।

ପ୍ରାର୍ଥୀ ଚୟନରେ ରହିଗଲା କି କେଁ?

ଚଳିତ ଉପନିର୍ବାଚନ ବିଜେପି ପାଇଁ ବଡ଼ ଚାଲେଞ୍ଜ ଥିଲା। ନିକଟରେ ଶେଷ ହୋଇଥିବା ପାଟକୁରା ନିର୍ବାଚନରେ ବିଜେପି ପରାଜିତ ହୋଇଥିବାରୁ ବିଜେପୁର ଜିତି ସମ୍ମାନ ରକ୍ଷା କରିବାକୁ ଚାହୁଁଥିଲା ଦଳ। ଏଣୁ ବିଜେପୁରରେ ପ୍ରାର୍ଥୀ ବଦଳାଇ ନଥିଲା। ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ନବୀନ ପଟ୍ଟନାୟକଙ୍କ ବିପକ୍ଷରେ ଲଢ଼ିଥିବା ସନତ ଗଡ଼ତିଆଙ୍କୁ ପୁଣି ଥରେ ରିପିଟ୍‌ କରିଥିଲା ଦଳ।

ନବୀନଙ୍କ ବିପକ୍ଷରେ ଲଢ଼ି ସନତ ୫୩ ହଜାର ୪୮୨ ଭୋଟ ପାଇଥିଲେ। ଏଣୁ ସନତଙ୍କ ଉପରେ ପୂରା ଭରସା କରିଥିଲା ଦଳ। ରୀତା ସାହୁଙ୍କ ବିପକ୍ଷରେ ଲଢ଼ି ସନତ ସମ୍ମାନ ରକ୍ଷା କରିବେ ବୋଲି ଆଶା କରିଥିଲେ ବିଜେପି ମ୍ୟାନେଜର। ହେଲେ ଫଳ ଓଲଟିଗଲା। ୪ ମାସ ତଳେ ଯେଉଁ ସନତ ୫୩ ହଜାର ଭୋଟ ପାଇଥିଲେ ଏବେ ସେ ୩୭ ହଜାର ୯୬୭ ଭୋଟ୍‌ ପାଇଛନ୍ତି। ଏହି ଫଳାଫଳକୁ ଦେଖି ଗୋଟିଏ କଥା ଚର୍ଚ୍ଚା ହେଉଛି ଯେ ସନତଙ୍କୁ ନେତା ଭାବେ ବିଜେପୁର ଭୋଟର ଗ୍ରହଣ କରିପାରିଲେନି। ସନତଙ୍କ ଜାଗାରେ ଯଦି ଆଉ କାହାକୁ ପ୍ରାର୍ଥୀ କରାଯାଇଥାନ୍ତା ତାହାଲେ ବିଜେପି ପାଇଁ କିଛି ସମ୍ଭାବନା ସୃଷ୍ଟି ହୋଇଥାନ୍ତା ବୋଲି କୁହାଯାଉଛି।

ପ୍ରଭାବ ପକାଇଲା କି ‘ଅଶୋକ’ ଝଟ୍‌କା?

ଅଶୋକ ପାଣିଗ୍ରାହୀ ହେଉଛନ୍ତି ବିଜେପୁରର ବରିଷ୍ଠ ନେତା। କିନ୍ତୁ ଉପନିର୍ବାଚନ ପୂର୍ବରୁ ସେ ବିଜେପିକୁ ଝଟ୍‌କା ଦେଇଥିଲେ। ବିଜେପିରୁ ଇସ୍ତଫା ଦେଇ ବିଜେଡିକୁ ସମର୍ଥନ ଘୋଷଣା କରିଥିଲେ। ଅଶୋକଙ୍କ ଇସ୍ତଫା ବିଜେପି ଭୋଟ୍‌ ବ୍ୟାଙ୍କ ଉପରେ ପ୍ରଭାବ ପକାଇ ଥାଇପାରେ ବୋଲି ଆଲୋଚନା ହେଉଛି।

ବିଜେପୁରରେ ଅଶୋକଙ୍କର କିଛି ସମର୍ଥକ ଅଛନ୍ତି। ୨୦୧୮ ଉପନିର୍ବାଚନ ବେଳେ ସମର୍ଥକଙ୍କୁ ନେଇ ଅଶୋକ ବିଜେପି ଆସି ଟିକେଟ ନେଇଥିଲେ। ୪୦ ହଜାରରୁ ଅଧିକ ଭୋଟ୍‌ ପାଇଥିଲେ। ୨୦୧୯ ନିର୍ବାଚନରେ କିନ୍ତୁ ଅଶୋକ ଟିକେଟ ପାଇ ନଥିଲେ। ସନତଙ୍କୁ ପ୍ରାର୍ଥୀ କରିଥିଲା ଦଳ। ଚଳିତ ଉପନିର୍ବାଚନରେ ବି ଅଶୋକ ଟିକେଟ ନେବାକୁ ଆଶାୟୀ ଥିଲେ। ହେଲେ ଟିକେଟ ନମିଳିବାରୁ ସେ ଦଳରୁ ଇସ୍ତଫା ଦେଇଥିଲେ।

୨୦୧୯ ନିର୍ବାଚନରେ ସନତ ଯେଉଁ ୫୩ ହଜାର ୪୮୨ ଭୋଟ୍‌ ପାଇଥିଲେ ସେଥିରେ ଅଶୋକଙ୍କ ଭାଗିଦାରୀ ରହିଥିବା କୁହାଯାଉଛି। ହେଲେ ଅଶୋକ ଏଥର ବିଜେପିରେ ନଥିବାରୁ ବିଜେପିର ଭୋଟ୍‌ ହାର କମି ଯାଇଥିବା ଚର୍ଚ୍ଚା ହେଉଛି।

କାମ ଦେଲାନି ବିଜେପିର ପ୍ରଚାର

ବିଜେପୁରରେ ବିଜେପିର ପ୍ରଚାର ମଙ୍ଗ ଧରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତାଙ୍କୁ ସହଯୋଗ କରିଥିଲେ ଅନ୍ୟତମ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ସମେତ ସ୍ଥାନୀୟ ବିଜେପି ନେତା। ଗାଁ ଗାଁ ବୁଲି ପ୍ରଚାର କରିଥିଲେ।

ଧର୍ମେନ୍ଦ୍ର ରୋଡ ସୋ’ କରିବା ବେଳେ ନବୀନଙ୍କୁ ପ୍ରଶ୍ନବାଣରେ ଛନ୍ଦିଥିଲେ। ହିଞ୍ଜିଳି ନଛାଡ଼ି ବିଜେପୁର କାହିଁକି ଛାଡ଼ିଲେ ବୋଲି ପ୍ରଶ୍ନ କରିଥିଲେ। ହେଲେ ଏହି ପ୍ରଶ୍ନ ବିଜେପୁର ଭୋଟରଙ୍କ ଉପରେ କୌଣସି ପ୍ରଭାବ ପକାଇ ନଥିବା ମନେହେଉଛି। ଯଦି ପ୍ରଭାବ ପକାଇଥାନ୍ତା ତାହାଲେ ବିଜେପି ଏଠି କଡ଼ା ଟକ୍କର ଦେଇଥାନ୍ତା। ବିଜେପି ଦ୍ୱିତୀୟ ସ୍ଥାନରେ ଅଛି ସତ, ହେଲେ ବିଜେଡିକୁ କଡ଼ା ଫାଇଟ୍‌ ଦେଇପାରି ନାହିଁ। ଏହାର ପ୍ରମାଣ ହେଉଛି ବିଜେଡି ଓ ବିଜେପି ପ୍ରାର୍ଥୀଙ୍କ ଭୋଟ୍‌ ବ୍ୟବଧାନ।

ରୀତା ସାହୁ ୧ ଲକ୍ଷ ୩୫ ହଜାର ୯୫୭ ଭୋଟ୍‌ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୩୭ ହଜାର ୯୬୭ ଭୋଟ୍‌ ପାଇବା କଡ଼ା ଟକ୍କର ନୁହେଁ ବୋଲି ରାଜନୀତି କରିଡରରେ ଚର୍ଚ୍ଚା ହେଉଛି।

ଗତ ସାଧାରଣ ନିର୍ବାଚନରେ ବିଜେପି ୨୩ଟି ଆସନ ପାଇ ମୁଖ୍ୟ ବିରୋଧୀ ଦଳ ଆସନରେ ବସିଛି। ପାଟକୁରା ଏବଂ ବିଜେପୁରରେ ବିଜୟ ହାସଲ କରି ଆସନ ସଂଖ୍ୟା ୨୫କୁ ବଢ଼ାଇବାକୁ ଚାହୁଁଥିଲା। ହେଲେ ପାଟକୁରା ଭଳି ବିଜେପୁରରେ ବି ବିଜେପି ଗଣିତ ଫେଲ୍ ମାରିଛି।

Comment