ଓଡ଼ିଶାଲାଇଭ ବ୍ୟୁରୋ

ଲଗାଣ ବର୍ଷାରେ ବେହାଲ ଓଡ଼ିଶା। ଲଘୁଚାପ ଯୋଗୁଁ ଦୁଇଦିନ ହେବ ବର୍ଷା ଲାଗି ରହିଛି। ଫଳରେ ଅନେକ ସ୍ଥାନ ଜଳମଗ୍ନ ହୋଇଛି।

କେଉଁଠି ତୁହାକୁ ତୁହା ତ’ କେଉଁଠି ଲଗାଣ ବର୍ଷା। ଲଘୁଚାପ ଯୋଗୁଁ ଗତକାଲିଠାରୁ ସାରା ରାଜ୍ୟରେ ବର୍ଷା ବିତ୍ପାତ ଲାଗି ରିହିଛି। ଅନେକ ଜାଗାରେ ଘରେ ପାଣି ପଶି ଯାଇଥିବା ବେଳେ କିଛି ସ୍ଥାନରେ ପହାଡ଼ ଧସି ଯାଇ ଯାତାୟତ ବାଧାପ୍ରାପ୍ତ ହୋଇଛି। ଏଥିରୁ ରାଜଧାନୀ ଭୁବେନଶ୍ଵର ମଧ୍ୟ ବର୍ତ୍ତି ନାହିଁ। ଏଭଳି ଅଦିନିଆ ବର୍ଷା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

ଭୁବନେଶ୍ଵର ରାସ୍ତାରେ ଲହଡ଼ି ମାରୁଛି ବର୍ଷା ପାଣି

ଲଗାଣ ବର୍ଷାରେ ବେହାଲ ହୋଇଛି ସ୍ମାର୍ଟ ସିଟି। ସହରର ପ୍ରମୁଖ ରାସ୍ତା ଜଳମଗ୍ନ ହୋଇଛି। ଭିଏସ୍‌ଏସ୍‌ ନଗର, ଲକ୍ଷ୍ମୀସାଗର, ନୟାପଲ୍ଲୀ, ଗ୍ୟାରେଜ ଛକ ଆଦି ତଳିଆ ଅଞ୍ଚଳରେ ପାଣି ପଶିଯିବାରୁ ଲୋକେ ସକାଳୁ ଘରୁ ବାହାରି ପାରିନାହାନ୍ତି। ନୟାପଲ୍ଲୀ ବେହେରା ସହିରେ ରାସ୍ତା ଉପରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମି ରହିଥିଲା। ସେହିପରି ଭିଏସ୍ଏସ୍ ନଗର ପଥରବନ୍ଧି ବସ୍ତିରେ ବର୍ଷା ପାଣି ଲୋକଙ୍କ ଘରେ ପଶି ଯିବାର ଦେଖିବାକୁ ମିଳିଥିଲା। ଲୋକଙ୍କ ଘରେ ସକାଳୁ ଚୁଲି ମଧ୍ୟ ଲାଗି ପାରିନାହିଁ। ବର୍ଷା ଯୋଗୁଁ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲା ଲକ୍ଷ୍ମୀସାଗର ଅଞ୍ଚଳ। ବର୍ଷା ଯୋଗୁଁ ପୁରୀ-କଟକ ଜାତୀୟ ରାଜପଥର ଦୁଇ ପଟରେ ବର୍ଷା ପାଣି ଲହଡ଼ି ଭଙ୍ଗିଥିଲା। ଫଳରେ ଗାଡ଼ି ଚଳାଚଳରେ ବାଧାପ୍ରାପ୍ତ ହୋଇଥିଲା।

କଟକରେ ଘରେ ପଶିଲା ଡ୍ରେନ ପାଣି

କଟକରେ ବର୍ଷା ବିତ୍ପାତ ଯୋଗୁଁ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଲଘୁଚାପ ବର୍ଷା ପ୍ରଭାବରେ ଉବୁଟୁବୁ ହୋଇଛି କଟକ ସହର। ଘରେ ଡ୍ରେନ୍‌ ପାଣି ପଶିଛି। କାହାର ଏରୁଣ୍ଡି ଡେଇଁ ପାଣି ପଶିଲାଣି ତ କାହାର ଘରେ ପାଣି ପଶି ଆସବାବ ପତ୍ର ଭାସୁଛି। କଟକ ରାସ୍ତାରେ ୨ ଫୁଟ୍‌ ଉଚ୍ଚରେ ପାଣି ଚାଲୁଛି। କଟକର ବିଡ଼ାନାସୀ, ସୂତାହାଟ, ପଟାପୋଲ, ଓଡ଼ିଆ ବଜାର, ସେମିନାରି ଛକ, ସିଦ୍ଧେଶ୍ୱର ସାହି, ବାଦାମବାଡ଼ି, କାଜି ବଜାର, ରୋଭର୍ସ ଷ୍ଟ୍ରିଟ୍‌, ତୁଳସୀ ପୁର, କୃଷକ ବଜାର, ନେତାଜୀ ନଗର ଆଦି ଅଞ୍ଚଳରେ ପାଣି ଜମିଛି। ପାଣି କାଢ଼ିବା ପାଇଁ ପାଖାପାଖି ୨୦୦ ପମ୍ପ ନିୟୋଜିତ କରାଯାଇଛି। ବୁଧବାରଠୁ ଲାଗି ରହିଥିବା ଏହି ବର୍ଷା ଯୋଗୁଁ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଗଜପତିରେ ପାହାଡ଼ ଧସି ୨୦ ଘର ନଷ୍ଟ

ବର୍ଷାରେ କେବଳ ଲୋକ ହଇରାଣ ନୁହେଁ କ୍ଷତି ମଧ୍ୟ ସହିଛନ୍ତି। ଏମତି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ତିପିସିଂ କୁଲମ୍‌ ଅଞ୍ଚଳରେ। ଏଟାରେ ପାହାଡ଼ ଧସିବା ଯୋଗୁଁ ୨୦ଟି ଘର ଭଙ୍ଗି ଯାଇଛି। ଏହାସହ ୬୦ରୁ ଅଧିକ ଘର ଆଂଶିକ ନଷ୍ଟ ହୋଇଛି। ଲୋକମାନେ ଘର ହରାଇ ନିରାଶ୍ରୟ ହୋଇ ବାହାରେ ବର୍ଷାରେ ଭିଜିବାକୁ ବାଧ୍ୟ ହେଉଛନ୍ତି।

Rayagada Gunupur

ରାୟଗଡ଼ାରେ ପାହାଡ଼ରୁ ଖସିଲା ପଥର ଯାତାୟତ ବାଧାପ୍ରାପ୍ତ

ଗତ ୨ଦିନ ଧରି ଗୁଣୁପୁରରେ ଲଗାଣ ବର୍ଷା ଲାଗି ରହିଥିବା ଯୋଗୁଁ ବିଭିନ୍ନ ସ୍ଥାନରେ ମାଟି ଅତଡ଼ା ଧସିଯାଇଛି। ତେବେ ଏହି ସମୟରେ ଗୁଣୁପୁର ଅଞ୍ଚଳରେ ପାହାଡ଼ରୁ ମାଟି ଅତଡ଼ା ଧସି ଏକ ବିରାଟ କାୟ ପଥର ଖଣ୍ଡ ପୁଟାସିଂ ପଞ୍ଚାୟତର ରେଜିଂତାଲ୍ ରାସ୍ତାରେ ପଡ଼ିଛି। ରାସ୍ତାରେ ବିରାଟକାୟ ପଥର ପଡ଼ିଥିବାରୁ ଗାଁ ଲୋକ ଯାତାୟତ କରିପାରୁନାହାନ୍ତି। ଆନ୍ଧ୍ରପ୍ରଦେଶକୁ ଯୋଗାଯୋଗ କରୁଥିବା ଜଗନ୍ନାଥପୁର ଅସ୍ଥାୟୀ ପୋଲ ଉପରେ ୨ ଫୁଟର ପାଣି ଚାଲିଥିବା ଜଣାଯାଇଛି। ଫଳରେ ଗୁଣୁପୁରରୁ ଆନ୍ଧ୍ରକୁ ଯୋଗାଯୋଗ ବିଛିନ୍ନ ରହିଛି।

ଗଞ୍ଜାମ ଜିଲ୍ଲାରେ ଧୋଇଗଲା ଆସିକା-ଦିଗପହଣ୍ଡି ମୁଖ୍ୟ ରାସ୍ତା

ଲଗାଣ ବର୍ଷାର ବତ୍ପାତ ଗଞ୍ଜାମ ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି। ବର୍ଷା ଯୋଗୁଁ ଆସିକା -ଦିଗପହଣ୍ଡି ମୁଖ୍ୟରାସ୍ତା ଧୋଇଯାଇଛି। ବୁଧେଶ୍ୱର ନିକଟସ୍ଥ ପୋଚକା ନାଳ ଉପରେ ନିର୍ମିତ ଏହି ରାସ୍ତା ଧୋଇଯିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି। ଫଳରେ ଯାତାୟତରେ ବାଧାପ୍ରାପ୍ତ ହୋଇଛି। ରାସ୍ତା ଧୋଇଯିବାରୁ ଆସିକାରୁ ଦିଗପହଣ୍ଡି, ସାନଖେମୁଣ୍ଡି, ପାଟପୁର, ତପ୍ତପାଣି, ମୋହନା, ଚନ୍ଦ୍ରଗିରି ଆଦି ଅଞ୍ଚଳକୁ ଯିବାଆସିବା ବନ୍ଦ ହୋଇଯାଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟାରେ ଗାଡ଼ି ଅଟକି ରହିଛି।

ପୁରୀ ବଡ଼ଦାଣ୍ଡରେ ଆଣ୍ଠୁଏ ପାଣି

ଲଗାଣ ବର୍ଷାରେ ବୁଡ଼ି ଯାଇଛି ପୁରୀ ବଡ଼ଦାଣ୍ଡ। ବର୍ଷାରେ ସ୍ଥାନୀୟ ବାସିନ୍ଦାଙ୍କ ସମେତ ପର୍ଯ୍ୟଟକ ଓ ହବିଷ୍ୟାଳି ମଧ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବଡଦାଣ୍ଡରୁ ପ୍ରମୁଖ ବଡଡାକ୍ତରଖାନା ଛକ, ମାର୍କେଟଛକ, ବଳଗଣ୍ଡି ଛକରେ ବର୍ଷା ପାଣି ଜମି ରହିଛି। ପ୍ରବଳ ବର୍ଷା ଯୋଗୁଁ ଘରୁ ବାହାରିବା କଷ୍ଟକର ହୋଇପଡିଛି। ସେହିପରି ସହରତଳି ଅଞ୍ଚଳ ଓ ବସ୍ତିଗୁଡିକରେ ବର୍ଷା ପାଣି ଜମି ରହିଛି। ବିଶେଷ କରି ପୁରୀ ଵୁଲିବାକୁ ଆସିଥିବା ପର୍ଯ୍ୟଟକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

Comment