ଓଡ଼ିଶାଲାଇଭ୍ ବ୍ୟୁରୋ

କଟକରେ ବର୍ଷା ବିତ୍ପାତ। ଲଘୁଚାପ ବର୍ଷା ପ୍ରଭାବରେ ଉବୁଟୁବୁ କଟକ ସହର। ଘରେ ପଶୁଛି ଡ୍ରେନ୍‌ ପାଣି। କାହାର ଏରୁଣ୍ଡି ଡେଇଁ ପାଣି ପଶିଲାଣି ତ କାହାର ଘରେ ପାଣି ପଶି ଆସବାବ ପତ୍ର ଭାସୁଛି। କଟକ ରାସ୍ତାରେ ୨ ଫୁଟ୍‌ ଉଚ୍ଚରେ ପାଣି ଚାଲୁଛି।

କଟକର ବିଡ଼ାନାସୀ, ସୂତାହାଟ, ପଟାପୋଲ, ଓଡ଼ିଆ ବଜାର, ସେମିନାରି ଛକ, ସିଦ୍ଧେଶ୍ୱର ସାହି, ବାଦାମବାଡ଼ି, କାଜି ବଜାର, ରୋଭର୍ସ ଷ୍ଟ୍ରିଟ୍‌, ତୁଳସୀ ପୁର, କୃଷକ ବଜାର, ନେତାଜୀ ନଗର ଆଦି ଅଞ୍ଚଳରେ ପାଣି ଜମିଛି। ପାଣି କାଢ଼ିବା ପାଇଁ ପାଖାପାଖି ୨୦୦ ପମ୍ପ ନିୟୋଜିତ କରାଯାଇଛି।

ବୁଧବାରରୁ ଆରମ୍ଭ ହୋଇଥିବା ଲଘୁଚାପ ବର୍ଷା ଆଜି ମଧ୍ୟ ଜାରି ରହିଛି। ବର୍ଷା ପାଣି ଜମି ରହିଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାତାୟାତରେ ମଧ୍ୟ ସମସ୍ୟା ଉପୁଜୁଛି।

ତେବେ ଲଘୁଚାପ ପ୍ରଭାବରେ ଆହୁରି ୪୮ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ବୁଲେଟିନ୍‌ ଜାରି କରାଯାଇଛି।

ପୁରୀରେ ୧୩୮.୩ ମିଲିମିଟର ବର୍ଷା ହୋଇଥିବା ବେଳେ ଗଞ୍ଜାମରେ ୧୨୫.୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେହିପରି ଭୁବନେଶ୍ୱରରେ ୧୦୩.୬ ମିଲିମିଟର ବର୍ଷା ହୋଇଥିବା ବେଳେ କଟକରେ ୭୮.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ଅନ୍ୟପଟେ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ଘୋଷଣା କରିଛନ୍ତି।

LEAVE A REPLY

Please enter your comment!
Please enter your name here