ଓଡ଼ିଶାଲାଇଭ ବ୍ୟୁରୋ

ଓକିଲ ଆନ୍ଦୋଳନକୁ ନେଇ କଠୋର ହୋଇଛନ୍ତି ସୁପ୍ରିମ୍‌କୋର୍ଟ। ଏନେଇ ଓଡ଼ିଶା ବାର୍‌ କାଉନସିଲ୍‌ ଅଧ୍ୟକ୍ଷ ଓ ବାର୍‌ ଆସୋସିଏସନ୍‌ର ସଭାପତିଙ୍କୁ ସୁପ୍ରିମ୍‌କୋର୍ଟରେ ହାଜର ହେବା ପାଇଁ ନୋଟିସ୍‌ କରାଯାଇଛି। ଏହାସହ ଏହି ମାମଲାରେ ଭାରତୀୟ ବାର୍‌ କାଉନସିଲ୍‌ ଅଧ୍ୟକ୍ଷଙ୍କୁ ମଧ୍ୟ ସହଯୋଗ ପାଇଁ କହିଛନ୍ତି ସୁପ୍ରିମ୍‌କୋର୍ଟ।

୨୦୧୮-୧୯ରେ ହାଇକୋର୍ଟ ଓ ତଳ କୋର୍ଟ କେତେ ଥର ଅଚଳ ହୋଇଛି ଜଣାଇବାକୁ ହାଇକୋର୍ଟକୁ ନିର୍ଦ୍ଦେଶ ଦେଇଛନ୍ତି ସପ୍ରିମ୍‌କୋର୍ଟ। ଏହାସହ ମହକିଲ ଓ ଇଚ୍ଛୁକ ଓକିଲଙ୍କୁ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଆଇନଜୀବୀଙ୍କ ଆନ୍ଦୋଳନ ଯୋଗୁଁ ହାଇକୋର୍ଟରେ ଅଚଳାବସ୍ଥା ଉପୁଜିଥିବା ଜାଣି ଗତକାଲି ସୁପ୍ରିମକୋର୍ଟ ଭୀଷଣ କ୍ଷୁବ୍ଧ ହେବା ସହ କୋର୍ଟ କାର୍ଯ୍ୟ ସୁରୁଖୁରୁରେ କିପରି ଚାଲିବ ସେ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସ୍ଥାନୀୟ ପୋଲିସ ସୁରକ୍ଷା ନଦେଇ ପାରିଲେ ଅର୍ଦ୍ଧସାମରିକ ବାହିନୀ ମୁତୟନ କରାଯିବ ବୋଲି ଚେତାବନୀ ଦେଇଥିଲେ।

ଏନେଇ ବୁଧବାର ହାଇକୋର୍ଟ ବାର୍ ଆସୋସିଏସନ୍ ଆକ୍ସନ କମିଟି, ଏକଜିକ୍ୟୁଟିଭ୍ କମିଟି ଏବଂ ଅନ୍ୟମାନଙ୍କୁ ନେଇ ବାର୍ ସଭାପତି ଗୋପାଳକୃଷ୍ଣ ମହାନ୍ତିଙ୍କ ପୌରୋହିତ୍ୟରେ ଜରୁରି ବୈଠକ ବସିଥିଲା। ହାଇକୋର୍ଟ ବାର୍ ପାଇଁ ଯେଉଁ ଭୁଲ୍ ବୁଝାମଣା ଜନିତ ପରିସ୍ଥିତି ସୃଷ୍ଟି ହୋଇଛି ଏଥିପାଇଁ ଆଇନଜୀବୀ ଶିବଶଙ୍କର ମିଶ୍ରଙ୍କୁ ଦାୟୀ କରାଯାଇଥିଲା। ଏଥିସହ ସୁପ୍ରିମକୋର୍ଟରେ ସେ ମିଥ୍ୟା ତଥ୍ୟ ଦେଇଥିବାରୁ ଏ ସମ୍ପର୍କରେ ବାର୍‌ କାଉନସିଲ୍‌କୁ ଅବଗତ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା।

ହାଇକୋର୍ଟ ବାହାର ବାର୍‌ରୁ ଜଣେ ଆଇନଜୀବୀଙ୍କୁ ଜଜ୍ ଭାବେ ଚୟନ କରାଯିବା ଏବଂ ହାଇକୋର୍ଟରେ ଖାଲି ଥିବା ବିଚାରପତି ପଦବୀକୁ ପୂରଣ କରାଯିବା ପ୍ରସଙ୍ଗକୁ ନେଇ ହାଇକୋର୍ଟ ବାର୍‌ ଆସୋସିଏସନ୍‌ ପକ୍ଷରୁ ଏବେ କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲିଛି। ତେବେ ହାଇକୋର୍ଟ ବାର୍ ସମେତ ରାଜ୍ୟର ଅନ୍ୟାନ୍ୟ ବାର୍ ଆସୋସିଏସନ୍‌ ସଦସ୍ୟ ଆଇନଜୀବୀମାନେ ବିଭିନ୍ନ ସମୟରେ କୋର୍ଟ ବର୍ଜନ, କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଥିବାରୁ ହାଇକୋର୍ଟ ନିଜ ଆଡୁ ଏକ ଅଦାଲତ ଅବମାନନା ମାମଲା ରୁଜୁ କରିଛନ୍ତି।

Comment