ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାରାଷ୍ଟ୍ରରେ କିଏ ହେବ ମହାରାଜା? କାହାକୁ ମିଳିବ ମୁଖ୍ୟମନ୍ତ୍ରୀ ଆସନ? ଏବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଶୁକ୍ରବାର ଭୋଟଗଣନା ସରିବା ପରେ ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟ ସଂଖ୍ୟା ଗରିଷ୍ଠତା ହାସଲ କରିଛନ୍ତି।

ତେବେ ନିର୍ବାଚନ ଫଳାଫଳ ପରେ ଶନିବାର ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେଙ୍କ ପୁଅ ଆଦିତ୍ୟ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ କରାଇବା ପାଇଁ ତାଙ୍କ ନିର୍ବାଚନମଣ୍ଡଳୀ ବର୍ଲିରେ କେତେକ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ବର୍ତ୍ତମାନ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଛି।

ବିଜେପି- ଶିବସେନା ମଧ୍ୟରୁ କେଉଁ ଦଳକୁ ମୁଖ୍ୟମନ୍ତ୍ରୀ ପଦ ମିଳିବ ଏବେ ତାକୁ ନେଇ ଜୋରଦାର ଚର୍ଚ୍ଚା। ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ବିଜେପି ନେତା ଦେବେନ୍ଦ୍ର ଫଡନାବିସଙ୍କୁ ମୁଖ୍ୟମନ୍ତ୍ରୀ କରାଇବାକୁ ଚେଷ୍ଟା କରୁଛନ୍ତି। ଅନ୍ୟପଟେ ଶିବସେନା ଫିପ୍ଟି-ଫିପ୍ଟି ଫର୍ମୁଲା ଆପଣାଇବାକୁ କହିଛି।

ଶାସନ କାଳର ଅଧା ସମୟ ମୁଖ୍ୟମନ୍ତ୍ରୀ ପଦ ଶିବସେନା ପାଖରେ ରଖିବାକୁ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ଗତକାଲି ସାମ୍ବାଦିକ ସମ୍ମିଳନୀର କହିସାରିଛନ୍ତି। ମେଣ୍ଟ ସମୟରେ ହେଇଥିବା ଚୁକ୍ତି ଅନୁସାରେ ହିଁ ମୁଖ୍ୟମନ୍ତ୍ରୀ ବଛାଯିବ ବୋଲି ସେ ସିଧାସଳଖ ଗଣମାଧ୍ୟମ ଆଗରେ ଉତ୍ତର ରଖିଛନ୍ତି। ଏହାହେଲେ ଶାସନର ଅଧା ସମୟ ଆଦିତ୍ୟ ଠାକ୍‌ରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବେ।

LEAVE A REPLY

Please enter your comment!
Please enter your name here