ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ହରିଆଣାରେ କାମ କଲାନି ମୋଦି ମ୍ୟାଜିକ୍‌। ‘ଅବ୍‌ କି ବାର୍‌ ୭୫ ପାର୍‌’ ସ୍ଲୋଗାନ ଦେଇ ପ୍ରଚାର କରିଥିବା ବିଜେପି ମ୍ୟାଜିକ୍‌ ନମ୍ବର ୪୬ ଛୁଇଁବାକୁ ବି ସମର୍ଥ ହେଲାନି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାରାଥନ ରାଲି ଏବଂ ଅମିତ ଶାହଙ୍କ ଷ୍ଟ୍ରାଟେଜିକୁ ହରିଆଣା ଭୋଟର ପ୍ରତ୍ୟାଖ୍ୟାନ କରିଛନ୍ତି।

ଖାଲି ସେତିକି ନୁହେଁ, କୌଣସି ଦଳ ସରକାର ଗଠନ କରିବାକୁ ପୂର୍ଣ୍ଣ ବହୁମତ ପାଇ ନାହାନ୍ତି। ଫଳରେ ହରିଆଣାରେ କିଏ ସରକାର ଗଢ଼ିବ ତାକୁ ନେଇ ପ୍ରଶ୍ନବାଚୀ ଉଠିଛି। ୯୦ ଆସନ ବିଶିଷ୍ଟ ହରିଆଣା ବିଧାନସଭା ପାଇଁ ସନ୍ଧ୍ୟା ୭ଟା ସୁଦ୍ଧା ମିଳିଥିବା ରିପୋର୍ଟ ଅନୁଯାୟୀ ବିଜେପିକୁ ୪୦ ଆସନ ମିଳିଥିବା ବେଳେ କଂଗ୍ରେସକୁ ୩୧, ଜେଜେପିକୁ ୧୦ ଏବଂ ୯ ଜଣ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଥିବା ଜଣାପଡ଼ିଛି।

କାହା ପାଖରେ ପୂର୍ଣ୍ଣ ବହୁମତ ନଥିବାରୁ ଏବେ ଦୁଷ୍ମନ୍ତ ଚଉତାଲାଙ୍କ ଜେଜେପି ଉପରେ ସମସ୍ତଙ୍କ ନଜର ରହିଛି। ଦୁଷ୍ମନ୍ତଙ୍କୁ ମନାଇବା ପାଇଁ ବିଜେପି ଏବଂ କଂଗ୍ରେସ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି। ହରିଆଣାରେ ସରକାର ଗଠନ ପାଇଁ ଦୁଷ୍ମନ୍ତ କିଙ୍ଗମେକର ସାଜି ପାରନ୍ତି ବୋଲି କୁହାଯାଉଛି।

ହରିଆଣାରେ ପରବର୍ତ୍ତୀ ସରକାର ଗଠନର ଚାବି ଏବେ ‘ତାଉ’ ଙ୍କ ପରିବାର ହାତରେ। ଏକଦା ବିଜୁ ପଟ୍ଟନାୟକଙ୍କ ଘନିଷ୍ଠ ଥିବା ତାଉ ବା ଚୌଧୁରୀ ଦେବୀଲାଲ ଜନତା ପାର୍ଟି ରାଜନୀତିର ମଙ୍ଗ ଧରିଥିବା ବେଳେ ଏବେ ତାଙ୍କ ଅଣନାତି ଦୁଷ୍ମନ୍ତ ଚଉତାଲା ସେହି ଭୂମିକା ଗ୍ରହଣ କରିବା ଦେଖାଯାଉଛି।
ଦୁଷ୍ମନ୍ତଙ୍କ ଜନନାୟକ ଜନତା ପାର୍ଟି ନିର୍ବାଚନରେ ଖୁବ୍ ଭଲ ପ୍ରଦର୍ଶନ କରିଥିବା ବେଳେ ଏହାର ୧୦ ଜଣ ପ୍ରାର୍ଥୀ ଜିତିଛନ୍ତି। ମାତ୍ର ବର୍ଷକ ତଳେ ଏହି ଦଳ ଗଠନ କରିଥିବା ଦୁଷ୍ମନ୍ତ ହେଉଛନ୍ତି ଦେବୀଲାଲଙ୍କ ପୁଅ ଏବଂ ପୂର୍ବ ମୁଖ୍ୟମନ୍ତ୍ରୀ ଓଁ ପ୍ରକାଶ ଚଉତାଲାଙ୍କ ନାତି। ଓଁ ଚଉତାଲାଙ୍କ ବଡ଼ ପୁଅ ଅଜୟ ଚଉତାଲା ହେଉଛନ୍ତି ଦୁଷ୍ମନ୍ତଙ୍କ ବାପା। ଦୁଷ୍ମନ୍ତଙ୍କ ସମର୍ଥନରେ ବିଜେପି ସରକାର ଗଠନ କରିବାର ସମ୍ଭାବନା ରହିଛି ଓ ଦୁଷ୍ମନ୍ତ ଉପମୁଖ୍ୟମନ୍ତ୍ରୀ  ହୋଇପାରନ୍ତି।

୨୦୧୪ ନିର୍ବାଚନରେ ବିଜେପି ୪୭ଟି ଆସନରେ ବିଜୟୀ ହୋଇ ଏକାକୀ ସରକାର ଗଠନ କରିଥିଲା। ମନୋହରଲାଲ୍‌ ଖଟ୍ଟର ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ଚଳିତ ନିର୍ବାଚନରେ ବିଜେପି ୭ ଆସନ ହରାଇଛି। ସେହିପରି ୨୦୧୪ରେ ମାତ୍ର ୧୫ ଆସନ ପାଇଥିବା କଂଗ୍ରେସ ଏଥର ଭଲ ପ୍ରଦର୍ଶନ କରିଛି। ଦଳ ୩୧ଟି ଆସନ ପାଇ ବିଜେପିକୁ କଡ଼ା ଟକ୍କର ଦେଇଛି।

ବିଜେପି ଏଥର ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଏବଂ ବାଲାକୋଟ ଏୟାରଷ୍ଟ୍ରାଇକ୍‌କୁ ଅସ୍ତ୍ର କରିଥିଲା। ହେଲେ ଏହାର ପ୍ରଭାବ ହରିଆଣା ଭୋଟରଙ୍କ ପଡ଼ି ନଥିବା ଫଳାଫଳରୁ ସ୍ପଷ୍ଟ ହୋଇଛି।

Comment