ଓଡ଼ିଶାଲାଇଭ୍ ବ୍ୟୁରୋ

ହରିୟାଣାରେ ଲଗାତାର ଦ୍ୱିତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି ବିଜେପି। ଜେଜେପି ସହ ମେଣ୍ଟ କରି ବିଜେପି ସରକାର ଗଠନ କରିବା ସ୍ପଷ୍ଟ ହୋଇଛି। ନେତା ମନୋହରଲାଲ୍ ଖଟ୍ଟର ମଧ୍ୟ ଲଗାତାର ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।

ସାଧାରଣ ପରିବାରରୁ ଆସି ଖଟ୍ଟର କେମିତି ହେଲେ ହରିୟାଣା ମୁଖ୍ୟମନ୍ତ୍ରୀ ଜାଣନ୍ତୁ ଏହି ରିପୋର୍ଟରୁ।

ଖଟ୍ଟର ସାଧାରଣ ଚାଷୀ ପରିବାରରୁ ଆସିଛନ୍ତି। ୧୯୫୪ ମସିହାରେ ପୂର୍ବ ପଞ୍ଜାବ (ବର୍ତ୍ତମାନର ହରିୟାଣା)ର ରୋହତକ ଜିଲ୍ଲାରେ ସେ ଜନ୍ମ ହୋଇଥିଲେ। ତାଙ୍କ ବାପା ହରିବଂଶଲାଲ ଖଟ୍ଟର ଚାଷ କରି ପରିବାର ଚଳାଉଥିଲେ।

ମନୋହରଲାଲ୍ ମାଟ୍ରିକ ପରୀକ୍ଷା ଦେଇସାରିବା ପରେ ଦିଲ୍ଲୀ ଚାଲି ଆସିଥିଲେ। ସେଠାରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ିବା ସହ ସଦର ବଜାରରେ ଏକ ଦୋକାନ ମଧ୍ୟ ଖୋଲିଥିଲେ।

ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ନିଜର ପାଠପଢ଼ା ସାରିବା ପରେ ସେ ୧୯୭୭ ମସିହାରେ ଆରଏସ୍‌ଏସ୍‌ରେ ଯୋଗ ଦେଇଥିଲେ। ଏହାପରେ ସେ ସଂଘ ପାଇଁ ପ୍ରଚାରକ ଭାବେ କାର୍ଯ୍ୟ କରିଥିଲେ। ଦୀର୍ଘ ୧୪ ବର୍ଷ ପାଇଁ ସେ ସଂଘର ବିଭିନ୍ନ ପ୍ରଚାର କାର୍ଯ୍ୟ କରିଥିଲେ। ଏଥିପାଇଁ ସେ ସାରା ଜୀବନ ଅବିବାହିତ ରହିବା ପାଇଁ ମଧ୍ୟ ନିଷ୍ପତ୍ତି ନେଇଥିଲେ।

ମନୋହର ତାଙ୍କର ରାଜନୈତିକ ଜୀବନ ୧୯୯୪ ମସିହାରେ ଆରମ୍ଭ କରିଥିଲେ। ଏହିବର୍ଷ ସେ ବିଜେପିରେ ଯୋଗ ଦେଇଥିଲେ। ୨୦୦୦ ମସିହାରୁ ୨୦୧୪ ମସିହା ପର୍ଯ୍ୟନ୍ତ ସେ ଦଳର ସାଧାରଣ ସଂପାଦକ ରହିଥିଲେ। ୨୦୧୪ ଲୋକସଭା ନିର୍ବାଚନରେ ଦଳ ତାଙ୍କୁ କ୍ୟାମ୍ପେନିଂ କମିଟିର ମୁଖ୍ୟ ଭାବେ ଦାୟିତ୍ୱ ଦେଇଥିଲା।

ସେହି ବର୍ଷ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଦଳ ତାଙ୍କୁ କର୍ନାଲ ବିଧାନସଭା ଆସନରୁ ପ୍ରାର୍ଥୀ କରିଥିଲା। ଏହା ତାଙ୍କର ପ୍ରଥମ ନିର୍ବାଚନ ଥିଲା। ପ୍ରାର୍ଥୀ ଭାବେ ସେ ପ୍ରଥମ ଥର ପାଇଁ ନିର୍ବାଚନ ଲଢୁଥିଲେ। କିନ୍ତୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ସେ ସେହି ନିର୍ବାଚନରେ ୬୩ ହଜାର ୭୩୬ ଭୋଟ ବ୍ୟବଧାନରେ କଂଗ୍ରେସ ପ୍ରାର୍ଥୀଙ୍କୁ ହରାଇଥିଲେ।

୨୦୧୪ ହରିୟାଣା ବିଧାନସଭା ନିର୍ବାଚନରେ ବିଜେପି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା। ଏହାପରେ ତତ୍କାଳୀନ ହରିୟାଣା ବିଜେପି ସଭାପତି ରାମବିଳାସ ଶର୍ମା ଓ କିଛି ବିଧାୟକଙ୍କ ସମର୍ଥନରେ ତାଙ୍କୁ ଦଳର ମୁଖ୍ୟମନ୍ତ୍ରୀ ଭାବେ ବଛା ଯାଇଥିଲା।

ତାଙ୍କ ଶାସନ କାଳ ମଧ୍ୟରେ ତାଙ୍କର ଅନେକ କାର୍ଯ୍ୟକଳାପ ଲୋକମାନଙ୍କୁ ପସନ୍ଦ ଆସିଥିଲା। ତାଙ୍କ ଶାସନ କାଳ ମଧ୍ୟରେ ସେ ତାଙ୍କର ସରକାରକୁ ଇ-ଗର୍ଭର୍ଣ୍ଣାସ୍ ରୂପ ଦେଇଥିଲେ। ଏହାସହ ରାଜ୍ୟରେ ମହିଳାମାନଙ୍କର ଉନ୍ନତି ପାଇଁ ବେଟି ବଚାଓ, ବେଟି ପଢ଼ାଓ ଭଳି ଜାତୀୟ ସ୍ତରର ଯୋଜନାକୁ ରାଜ୍ୟରେ କାର୍ଯ୍ୟକାରୀ କରିଥିଲେ। ତାଙ୍କ ଶାସନକାଳ ମଧ୍ୟରେ ରାଜ୍ୟରେ ଅନେକ ସଡ଼କ ପଥ ସହ ରେଳପଥର ବିକାଶ ଘଟିଥିଲା।

୨୦୧୯ ମସିହାରେ ମଧ୍ୟ ବିଜେପି ତାଙ୍କରି ନେତୃତ୍ୱରେ ହରିୟାଣାରେ ବିଧାନସଭା ନିର୍ବାଚନ ଲଢ଼ିଥିଲା। ବିଧାନସଭା ନିର୍ବାଚନରେ ବିଜେପି ୪୦ଟି ସିଟ୍ ଜିତିଥିଲା। ହରିୟାଣାରେ ମୋଟ୍ ୯୦ଟି ବିଧାନସଭା ଆସନ ରହିଥିବା ବେଳେ ସରକାର ଗଠନ ପାଇଁ ୪୬ଟି ସିଟ୍ ଆବଶ୍ୟକ ଥିଲା।

ଏଭଳି ପରିସ୍ଥିତିରେ ବିଜେପି ସ୍ୱାଧୀନ ବିଧାୟକ ସହ ଦୁଷ୍ମନ୍ତ ଚୌତାଲାଙ୍କ ଜନନାୟକ ଜନତା ପାର୍ଟି ସହ ମିଶି ଲଗାତାର ଦ୍ୱିତୀୟ ଥର ପାଇଁ ରାଜ୍ୟରେ ଶାସନ କରିବାକୁ ଯାଉଛି।

ପୂର୍ବରୁ ପାଞ୍ଚ ବର୍ଷ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବା ମନୋହର ଲାଲଙ୍କୁ  ବିଜେପି ବିଧାୟକମାନ ବିଧାୟକ ଦଳର ନେତା ଭାବେ ମନୋନିତ କରିଛନ୍ତି।

Comment