ଓଡ଼ିଶାଲାଇଭ୍ ବ୍ୟୁରୋ

ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁକୁ ନେଇ ଦେଖାଦେଇଥିବା ବିବାଦ ଥମିବାର ନାଁ ଧରୁନି। ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଏହି ଘଟଣାରେ ନିରପେକ୍ଷ ତଦନ୍ତ କରି ନଥିବା ଅଭିଯୋଗରେ ବିଜେପି ମହିଳା ମୋର୍ଚ୍ଚା ରାଜରାସ୍ତାକୁ ଓହ୍ଲାଇଛି।

ବିଜେପି ମହିଳା ମୋର୍ଚ୍ଚାର କର୍ମକର୍ତ୍ତା ଆଜି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ତାଙ୍କ ଇସ୍ତଫା ଦାବି କରିଛି। ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ପଦ ଏକ ସାମ୍ବିଧାନିକ ପଦ ହୋଇଥିବା ବେଳେ ଏହାର ଅଧ୍ୟକ୍ଷା ଶାସକ ବିଜେଡି ଦଳର ମୁଖପାତ୍ର ସାଜି କାମ କରୁଥିବା ବିଜେପି ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ପ୍ରଭାତି ପରିଡା ଅଭିଯୋଗ କରିଛନ୍ତି।

‘‘ମହିଳା କମିଶନ ଅଧ୍ୟକ୍ଷା ଯେଉଁ ନିରପେକ୍ଷ ତଦନ୍ତ କରିଛନ୍ତି ବୋଲି କହୁଛନ୍ତି ସେହି ରିପୋର୍ଟକୁ ସେ ସାର୍ବଜନୀନ କରନ୍ତୁ । ମୃତା ସ୍ମିତାରାଣୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ କରାଯାଉ। ଏଥିସହ ଯାଜପୁର ଏସ୍‌ପିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନନ ନିଆଯାଉ’’, ଏହି ଦାବି କରିଛି ବିଜେପି ମହିଳା ମୋର୍ଚ୍ଚା।

ଏହି ଘେରାଉ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ପିଙ୍କି ପ୍ରଧାନ, ବବିତା ପାତ୍ର, ଅନୀତା ଶୁଭଦର୍ଶିନୀ, କାନନବାଳା ପଟ୍ଟନାୟକ, ନିୟତି ଗିରି, ସୋନାଲି ସାହୁ, ସୁବାସିନୀ ପୃଷ୍ଟି, ରଶ୍ମିରେଖା ଦାସ, ମନ୍ଦାକିନୀ ରଥ, ନିରୋଜ ନଳିନୀ ମହାଲ୍ଲିକ, ଯଜ୍ଞସେନୀ ଜେନା, କଳ୍ପନା ପଟ୍ଟନାୟକ, ମନସ୍ମିତା ଖୁଂଟିଆ, ଜ୍ୟୋତି ମହାପାତ୍ର, ରାଜଲକ୍ଷ୍ମୀ ଉପାଧ୍ୟାୟଙ୍କ ସମେତ ଶତାଧିକ ମହିଳା ସାମିଲ ଥିଲେ।

Comment