ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ସହରରେ ୭୦ରୁ ଅଧିକ ପୂଜା ମଣ୍ଡପରେ ଚାଲିଛି ଶ୍ୟାମାକାଳୀଙ୍କ ପୂଜା। ୨୦ରୁ ଅଧିକ ପୂଜା ମଣ୍ଡପରେ ମାଆଙ୍କର ଚାନ୍ଦି ମେଢ଼ ଶୋଭା ପାଉଛି।

ଐତିହାସିକ କଟକ ସହରରେ ଏବେ ଚାଲିଛି ଶ୍ୟାମାକାଳୀ ପୂଜା। ସହରର ୭୦ରୁ ଅଧିକ ପୂଜା ମଣ୍ଡପରେ ମାଆଙ୍କର ମୃଣ୍ମୟୀ ମୂର୍ତ୍ତି ପୂଜା ପାଉଛନ୍ତି। ଦୀପାବଳି ରାତିରେ ନଦୀରୁ ପବିତ୍ର ଜଳ ସଂଗ୍ରହ କରାଯିବା ପରେ ମଣ୍ଡପରେ ମାଆଙ୍କର ଆବାହନ କରାଯାଇଥିଲା।

ଏହା ପରେ ବିଳମ୍ଭିତ ରାତିରେ ମାଆଙ୍କର ପୂଜା ଅନୁଷ୍ଠିତ ହୋଇଥିଲା। ସହରର ଚୌଧୂରୀବଜାର, ଚାନ୍ଦିନୀଚୌକ, ଶେଖ୍ ବଜାର-ଚଣ୍ଡିରୋଡ୍‌, ଦରଘାବଜାର, ରାଣୀହାଟ, ମଙ୍ଗଳାବାଗ, ଚାଉଳିଆଗଞ୍ଜ, ଆଲିଶାବଜାର, ଖାନନଗର, ନୂଆବଜାର, ଯୋବ୍ରା, ମାଲଗୋଦାମ ଭଳି ପୂଜା ମଣ୍ଡପରେ ଏବେ ମାଆଙ୍କର ମୃଣ୍ମୟୀ ମୂର୍ତ୍ତି ଶୋଭା ପାଉଥିବା ବେଳେ ସହରର ଅଧିକାଂଶ ପୂଜା ମଣ୍ଡପରେ ସୁନ୍ଦର ଆଲୋକ ତୋରଣ ସବୁ ଶୋଭା ପାଉଛି।

କଟକ ସହରର ଯେଉଁ ସବୁ ପୂଜା ମଣ୍ଡପରେ ଦେବୀ ଦୁର୍ଗାଙ୍କର ଚାନ୍ଦି ମେଢ଼ ହୋଇଥାଏ, ସେଠାରେ ଶ୍ୟାମାକାଳୀଙ୍କ ପୂଜା ଅବସରରେ ମାଆଙ୍କର ମୃଣ୍ମୟୀ ମୂର୍ତ୍ତି ଓ ମେଢ଼କୁ ଚାନ୍ଦିରେ ସଜା ଯାଇଥିଲା। ବିଶେଷକରି ଚୌଧୂରୀ ବଜାରରେ ମାଆଙ୍କର ଚାନ୍ଦି ମେଢ଼-ସୁନାର ମେଢ଼ ଭକ୍ତଙ୍କୁ କାଳୀପୂଜାରେ ମଧ୍ୟ ବେଶ୍‌ ଆକର୍ଷିତ କରୁଛି। ସେହିପରି ଚାନ୍ଦିନୀଚୌକ, ଶେଖ୍ ବଜାର-ଚଣ୍ଡିରୋଡ୍‌, ଚାଉଳିଆଗଞ୍ଜ, ଖାନନଗର, ଆଲିଶାବଜାର, ରାଣୀହାଟ ଓ ଯୋବ୍ରା ଭଳି ପୂଜା ମଣ୍ଡପ ମାଆଙ୍କର ଚାନ୍ଦି ମେଢ ପ୍ରତିଷ୍ଠା କରିବା ସହିତ ସୁନା ମୁକୁଟର ଆଭୂଷଣ ମାଆଙ୍କୁ ସଜାଇଛନ୍ତି। ପାଗ ଅନୁକୂଳ ଥିବାରୁ ସଂଧ୍ୟାରେ ଭକ୍ତ ଅଧିକ ସଂଖ୍ୟାରେ କାଳୀ ମାଆଙ୍କର ଦର୍ଶନ କରିବାକୁ ଆସୁଥିବାର ଲକ୍ଷ୍ୟ କରାଯାଇଛି। ମାଆ ଚାରି ଦିନ ପୂଜା ମଣ୍ଡପରେ ରହିବେ।

କାଳୀପୂଜାରେ ଭକ୍ତଙ୍କର ସମାଗମ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ସବୁ ପୂଜା ମଣ୍ଡପଗୁଡ଼ିକରେ ପୋଲିସ ମୁତୟନ କରାଯାଇଛି। ଆସନ୍ତା ୩୦ ତାରିଖରେ କଟକ ସହରରେ କାଳୀପୂଜା ଭସାଣ ଅନୁଷ୍ଠିତ ହେବ। ମେଢ଼ଗୁଡିକ ୩୦ ତାରିଖ ପୂର୍ବାହ୍‌ଣରେ ବାହାରି ସାହି ପରିକ୍ରମା କରିବା ପରେ ମୁଖ୍ୟ ରାସ୍ତାରେ ଶୋଭାଯାତ୍ରାରେ ଯାଇ ଦେବୀଗଡ଼ାରେ ବିସର୍ଜିତ ହେବେ।

Comment