ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ନେଇ ପୁଣି ତେଜିଲା ରାଜନୀତି। ରତ୍ନଭଣ୍ଡାରରେ ମହାପ୍ରଭୁଙ୍କ ସୁନାଅଳଙ୍କାର ସୁରକ୍ଷିତ ଅଛି କି ନାହିଁ ତାକୁ ନେଇ ସନ୍ଦେହ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ରତ୍ନଭଣ୍ଡାରରେ କେତେ ଅଳଙ୍କାର ଅଛି ଏବଂ ଏହା ସୁରକ୍ଷିତ ଅଛି କି ନାହିଁ ସେ ସମ୍ପର୍କରେ ସରକାର ରିପୋର୍ଟ ଦେବାକୁ ବିରୋଧୀ ଦଳ ନେତା ଦାବି କରିଛନ୍ତି।

 ‘‘ରତ୍ନଭଣ୍ଡାର ଚାବି ହଜିବା ଘଟଣାକୁ ଏବେ ଦେଢ ବର୍ଷରୁ ଅଧିକ ଦିନ ବିତିଗଲାଣି। ରତ୍ନଭଣ୍ଡାର ଚାବି ହଜିବା ପରେ ଏଥିରେ ଥିବା କୋଟି କୋଟି ଟଙ୍କା ମୂଲ୍ୟର ଅଳଙ୍କାର ବାସ୍ତବରେ ସୁରକ୍ଷିତ ଅଛି କି ନାହିଁ ତାହା ଆଜିବି ସନ୍ଦେହରେ ରହିଛି। ମୁଖ୍ୟମନ୍ତ୍ରୀ ତୁରନ୍ତ ଏହାକୁ ଖୋଲି ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ। ରତ୍ନଭଣ୍ଡାର ଭିତର ଗୃହର ଅଳଙ୍କାର ଉପରେ ୧୯୭୮ ମସିହାରେ ଯେଉଁ ତାଲିକା ପ୍ରସ୍ତୁତ ହୋଇଥିଲା ସେହି ତାଲିକା ସହିତ ଏବେର ଅଳଙ୍କାରର ତାଲିକା ପ୍ରସ୍ତୁତ କରାଯାଇ ସାର୍ବଜନୀନ କରାଯାଉ’’, କହିଛନ୍ତି ପ୍ରଦୀପ୍ତ ନାଏକ।

ପ୍ରଦୀପ୍ତ ନାଏକ ଆହୁରି କହିଛନ୍ତି, ‘‘ରାଜ୍ୟ ସରକାର ଏବେ 5T ଉପରେ ଗୁରୁତ୍ୱ ଦେଉଛନ୍ତି। ସେହି 5T ବ୍ୟବସ୍ଥାକୁ ଶ୍ରୀମନ୍ଦିର ପ୍ରଶାସନିକ ବ୍ୟବସ୍ଥାରେ ଲାଗୁ କରନ୍ତୁ। ଟ୍ରାନସପରେନ୍ସି ଓ ଟାଇମକୁ ରାଜ୍ୟ ସରକାର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଲାଗୁ କରନ୍ତୁ।’’

୨୦୧୮ ମାର୍ଚ୍ଚ ୨୨ରେ ରତ୍ନଭଣ୍ଡାର ଚାବି ହଜିଥିବା କଥା ପ୍ରଶାସନ ସ୍ୱୀକାର କରିଥିଲା। ବଢୁଥିବା ଜନ ଆକ୍ରୋଶ ଏବଂ ପ୍ରତିବାଦକୁ ପ୍ରଶମିତ କରିବା ପାଇଁ ରାଜ୍ୟ ସରକାର ଜୁନ ୮, ୨୦୧୮ରେ ଏକ ବିଚାର ବିଭାଗୀୟ ତଦନ୍ତ କମିଶନ ଘୋଷଣା କରିଲେ। ୩ ମାସ ଭିତରେ ରିପୋର୍ଟ ପ୍ରଦାନ ପାଇଁ ସମୟ ଧାର୍ଯ୍ୟ ହୋଇଥିଲା। ପରେ ରାଜ୍ୟ ସରକାର ଏହାର କାର୍ଯ୍ୟକାଳକୁ ଆଉ ୩ ମାସ ବୃଦ୍ଧି କରିଲେ।

୬ ମାସ ପରେ ନଭେମ୍ବର ୩୦, ୨୦୧୮ ରେ କମିଶନ ରିପୋର୍ଟ ପ୍ରଦାନ କଲେ। ରିପୋର୍ଟ ଆସିଲା, ହେଲେ ଫଳ ଶୂନ। ସରକାର ସେହି ତଦନ୍ତ ରିପୋର୍ଟକୁ କାହିଁକି ଚାପି ଦେଲେ ବୋଲି ପ୍ରଶ୍ନ ଉଠାଇଛନ୍ତି ଶ୍ରୀ ନାଏକ।

Comment