ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ମଧ୍ୟରାତ୍ରିରୁ  ଜମ୍ମୁ କଶ୍ମୀର ବିଭାଜିତ ହୋଇ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହୋଇଛି। ଗୁରୁବାର ପରଠାରୁ ଜମ୍ମୁ କଶ୍ମୀର ଓ ଲଦାଖ କେନ୍ଦ୍ର ସରକାରଙ୍କ ଅଧୀନରେ ରହିବେ। ଏହି ଦୁଇ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଯଥାକ୍ରମେ ଗିରିଶ ଚନ୍ଦ୍ର ମୁର୍ମୁ ଓ ଆର କେ ମାଥୁର ଉପରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି। ଦୁଇ ଉପରାଜ୍ୟପାଳ ଆସନ୍ତାକାଲି ପଦ ଓ ଗୋପାନୀୟତାର ଶପଥ ନେବେ।

ଜମ୍ମୁ କଶ୍ମୀର ହାଇକୋର୍ଟର ମୁଖ୍ୟ ବିଚାରପତି ଗୀତା ମିତ୍ତଲ ସେମାନଙ୍କୁ ଶ୍ରୀନଗର ଓ ଲେହରେ ଶପଥ ପାଠ କରାଇବେ।
ଅଗଷ୍ଟ ୫ ତାରିଖରେ ମୋଦୀ ସରକାର ସମ୍ବିଧାନର ଧାରା ୩୭୦କୁ ଉଚ୍ଛେଦ କରିବା ସହ ଜମ୍ମୁ କଶ୍ମୀରର ରାଜ୍ୟ ପାହ୍ୟାକୁ ହଟାଇଦେଇଥିଲେ। ଜମ୍ମୁ କଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହେବା ପରେ ଭାରତର ରାଜ୍ୟ ସଂଖ୍ୟା ଏବେ ହ୍ରାସ ପାଇ ୨୮ହେବ। ସେହିଭଳି କେନ୍ଦ୍ର ଶାସିତ ଅଞ୍ଚଳ ସଂଖ୍ୟା ୯କୁ ବୃଦ୍ଧି ପାଇବ।

୧୯୪୭ରେ ଦେଶ ସ୍ଵାଧୀନ ହେବା ପରେ ଜମ୍ମୁ କଶ୍ମୀର ଭାରତର ଏକ ଅଭିନ୍ନ  ରାଜ୍ୟ ଭାବରେ ପରିଗଣିତ ହେଉଥିବା ବେଳେ ଆଜି ତାହା ଇତିହାସରେ ପରିଣତ ହୋଇଛି। ଭାରତର ଇତିହାସରେ ପ୍ରଥମ ଥର ପାଇଁ ଏକ ନିର୍ଦ୍ଦିଷ୍ଟ  ରାଜ୍ୟ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହୋଇଛି। ପୂର୍ବରୁ କେନ୍ଦ୍ର ଶାସିତ ଅଞ୍ଚଳ ରାଜ୍ୟ ପାହ୍ୟାକୁ ଉନ୍ନତ ହୋଇଥିବା ବେଳେ ଜମ୍ମୁ କଶ୍ମୀର କ୍ଷେତ୍ରରେ ତାହା ଠିକ୍ ଓଲଟା ହୋଇଛି।

ଜମ୍ମୁ କଶ୍ମୀର ପୁନର୍ଗଠନ ବିଲ ଅଗଷ୍ଟ ୫ ତାରିଖରେ ରାଜ୍ୟସଭାରେ ଗୃହୀତ ହେବା ପରେ ଏହା ଆଇନରେ ପରିଣତ ହୋଇଥିଲା। ଜମ୍ମୁ କଶ୍ମୀରର ବିଭାଜନ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଦିନରେ ହୋଇଛି। ଆଜିର ଦିନକୁ ଜାତୀୟ ଏକତା ଦିବସ ରୂପେ ପାଳନ କରାଯାଉଛି।

Comment