ଓଡ଼ିଶାଲାଇଭ୍ ବ୍ୟୁରୋ

ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ କାମ କରୁଥିବା ଅନ୍ତର୍ଜାତୀୟ ସଙ୍ଗଠନ ‘ଜେ-ପଲ୍‌’ ସହ ଓଡ଼ିଶା ସରକାର ଏମ୍‌ଓୟୁ (ବୁଝାମଣାପତ୍ର) ସ୍ୱାକ୍ଷର କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଖାରବେଳ ଭବନଠାରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ଉନ୍ନୟନ କମିଶନର ସୁରେଶ ମହାପାତ୍ର ଏବଂ ଜେ-ପଲ୍‌ ଦକ୍ଷିଣ ଏସିଆ ପକ୍ଷରୁ ଏହାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶୋଭିନୀ ମୁଖାର୍ଜୀ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ।

‘ଜେ ପଲ୍‌’ ରାଜ୍ୟର ଦାଦନ ସମସ୍ୟା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗବେଷଣା ଭିତ୍ତିକ ସହଯୋଗ ତଥା ମହିଳା ସଶକ୍ତିକରଣ, କୃଷି ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ ଦେବ। ଶ୍ରମ, ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ଓ ଶିଶୁକଲ୍ୟାଣ ଯୋଜନାର ମୂଲ୍ୟାୟନ କରିବ।

ଦାରିଦ୍ର୍ୟ ଦୂରୀକରଣ ପାଇଁ ବିଭିନ୍ନ କ୍ଷେତ୍ରରେ ରାଜ୍ୟ ସରକାର ଗ୍ରହଣ କରିଥିବା କାର୍ଯ୍ୟକ୍ରମର ସୁଫଳ ଯେପରି ହିତାଧିକାରୀ ପାଇପାରିବେ ସେ ଦିଗରେ ଉଭୟ କାର୍ଯ୍ୟ କରିବେ। ଜେ-ପଲ୍‌ ଏ ଦିଗରେ ତଥ୍ୟଭିତ୍ତିକ, ବୈଷୟିକ ସହଯୋଗ ଯୋଗାଇ ଦେବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ‘‘ଦାରିଦ୍ର୍ୟ ଦୂରୀକରଣ ପାଇଁ ଜେ ପଲ୍‌ ସହ ଯେଉଁ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି ତାହା ଓଡିଶାବାସୀଙ୍କ କ୍ରମବର୍ଦ୍ଧିଷ୍ଣୁ ଆଶା ଆକାଂକ୍ଷା ପୂରଣ କରିବ।’’

ଜେ-ପଲ୍‌ ଦକ୍ଷିଣ ଏସିଆ ରାଜ୍ୟ ସରକାରଙ୍କ ସହିତ ଏହି ବୁଝାମଣା କରି ଅତ୍ୟନ୍ତ ଆନନ୍ଦିତ ବୋଲି ଏହାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶୋଭିନୀ ମୁଖାର୍ଜୀ କହିଥିଲେ। ସେ କହିଲେ ଯେ ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମର ସୁପରିଚାଳନା, ଦକ୍ଷତାବୃଦ୍ଧି ସହିତ ଜନସାଧାରଣଙ୍କ ଜୀବନରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିବା ଉପରେ ଗୁରୁତ୍ୱ ଦିଆଯିବ।

Comment