ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ମହାରାଷ୍ଟ୍ର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। କିଏ ମୁଖ୍ୟମନ୍ତ୍ରୀ ହେବେ ତାକୁ ନେଇ କୌଣସି ସମାଧାନର ରାସ୍ତା ବାହାରି ପାରୁନାହିଁ। ବିଜେପି ଏବଂ ଶିବସେନା ନିଜ ନିଜ ଜିଦ୍‌ରେ ଅଟଳ ରହିଛନ୍ତି।

ବିଜେପି ବୁଧବାର ଦିନ ଦେବେନ୍ଦ୍ର ଫଡ୍‌ନାବିସ୍‌ଙ୍କୁ ବିଜେପି ବିଧାୟକ ଦଳ ନେତା ଭାବେ ଚୟନ କରିଥିବା ବେଳେ ଶିବସେନା ଏକନାଥ ସିନ୍ଧେଙ୍କୁ ବିଧାୟକ ଦଳ ନେତା ଭାବେ ଚୟନ କରିଛି। ଫଳରେ ମହାରାଷ୍ଟ୍ର ରାଜନୀତି ରୋଚକ ମୋଡ଼ ନେଇଛି।

ମହାରାଷ୍ଟ୍ରର ଏହି ଉଠାପକା ରାଜନୀତି ଭିତରେ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେଙ୍କ ବୟାନ ସାମ୍ନାକୁ ଆସିଛି।

ଉଦ୍ଧବ ଠାକ୍‌ରେ କହିଛନ୍ତି, ‘‘ଆମର ବିଧାୟକଙ୍କ ସଂଖ୍ୟା କିଛି କମ୍‌ ନାହିଁ। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦ ହେଉଛି ଆମର ହକ୍‌। ସବୁବେଳେ ଗୋଟିଏ ପାର୍ଟିର ମୁଖ୍ୟମନ୍ତ୍ରୀ ରହିବା ଠିକ୍‌ ନୁହେଁ। ବାଲ୍‌ ଠାକ୍‌ରେଙ୍କ ନୀତିକୁ ଆମେ ଠିକ୍‌ରେ ପାଳନ କରୁଛୁ। ନିର୍ବାଚନ ପୂର୍ବରୁ ଯାହା ସର୍ତ୍ତ ରହିଥିଲା ତାକୁ ବିଜେପି ପାଳନ କରୁ।’’

ଏପଟେ ବିଜେପି ଶିବିରରୁ ଅଲଗା କଥା କୁହାଯାଉଛି। ଶିବସେନା ସହ ଆଲୋଚନା ଶେଷ ହୋଇଛି। ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟ ସରକାର ରହିବ ଏବଂ ଦେବେନ୍ଦ୍ର ଫଡ୍‌ନାବିସ୍‌ ୫ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ରହିବେ। ଶିବସେନାକୁ ଉପମୁଖ୍ୟମନ୍ତ୍ରୀ ପଦ ଦିଆଯିବ ଏବଂ ୧୩ଟି ମନ୍ତ୍ରୀ ପଦ ଦିଆଯିବ। କିନ୍ତୁ ଶିବସେନା ଫିପ୍ଟି-ଫିପ୍ଟି ପଲିସରୁ ଓହରି ନଥିବାରୁ ଆଜିର ବିଧାୟକ ଦଳ ବୈଠକରୁ ସ୍ପଷ୍ଟ ହୋଇଛି।

Comment