ଓଡ଼ିଶାଲାଇଭ ବ୍ୟୁରୋ

ସୁପ୍ରିମ୍‌କୋର୍ଟର ନିର୍ଦ୍ଦେଶ ପରେ ନରମିଲେ ହାଇକୋର୍ଟ ଓକିଲ। ଅନେକ ଦିନ ଧରି ଚାଲି ଆସୁଥିବା ଓକିଲ ଆନ୍ଦୋଳନକୁ ସ୍ଥଗିତ ରଖିବାକୁ ହାଇକୋର୍ଟ ବାର୍ ନିଷ୍ପତ୍ତି ନେଇଛି। ଏହାସହ ସମସ୍ତ ଆଇନଜୀବୀ ନଭେମ୍ଵର ୪ ତାରିଖରେ କାର୍ଯ୍ୟରେ ଯୋଗ ଦେବେ। ଏନେଇ ହାଇକୋର୍ଟ ବାର୍‌ ସଭାପତି ଗୋପାଳକୃଷ୍ଣ ମହାନ୍ତି ସୂଚନା ଦେଇଛନ୍ତି।

ବାର୍‌ କାଉନସିଲ୍‌ ଇଣ୍ଡିଆର ଅନୁରୋଧ କ୍ରମେ କାର୍ଯ୍ୟରେ ଯୋଗ ଦେଉଛୁ। କାର୍ଯ୍ୟରେ ଯୋଗ ଦେଉଥିଲେ ମଧ୍ୟ ଦାବିରୁ ଓହରିବୁ ନାହିଁ। କେଲେଜିୟମ ବ୍ୟବସ୍ଥାକୁ ସଂପୂର୍ଣ୍ଣ ଉଚ୍ଛେଦ ପାଇଁ ଆମ ଦାବୀ ଜାରି ରହିବ ବୋଲି ସମ୍ଵାଦିକ ସମ୍ମିଳନୀରେ କହିଛନ୍ତି ବାର୍‌ ସଭାପତି ଗୋପାଳକୃଷ୍ଣ ମହାନ୍ତି।

ଆଇନଜୀବୀଙ୍କ ଆନ୍ଦୋଳନ ଯୋଗୁଁ ହାଇକୋର୍ଟରେ ଅଚଳାବସ୍ଥା ଉପୁଜିଥିବା ଜାଣି ସୁପ୍ରିମକୋର୍ଟ ଭୀଷଣ କ୍ଷୁବ୍ଧ ହେବା ସହ କୋର୍ଟ କାର୍ଯ୍ୟ ସୁରୁଖୁରୁରେ କିପରି ଚାଲିବ ସେ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସ୍ଥାନୀୟ ପୋଲିସ ସୁରକ୍ଷା ନଦେଇ ପାରିଲେ ଅର୍ଦ୍ଧସାମରିକ ବାହିନୀ ମୁତୟନ କରାଯିବ ବୋଲି ଚେତାବନୀ ମଧ୍ୟ ଦେଇଥିଲେ।

ଏନେଇ ଓଡ଼ିଶା ବାର୍‌ କାଉନସିଲ୍‌ ଅଧ୍ୟକ୍ଷ ଓ ବାର୍‌ ଆସୋସିଏସନ୍‌ର ସଭାପତିଙ୍କୁ ସୁପ୍ରିମ୍‌କୋର୍ଟରେ ହାଜର ହେବା ପାଇଁ ନୋଟିସ୍‌ କରାଯାଇ ଥିଲା। ଏହାସହ ଏହି ମାମଲାରେ ଭାରତୀୟ ବାର୍‌ କାଉନସିଲ୍‌ ଅଧ୍ୟକ୍ଷଙ୍କୁ ମଧ୍ୟ ସହଯୋଗ ପାଇଁ ସୁପ୍ରିମ୍‌କୋର୍ଟ କହିଥିଲେ।

ହାଇକୋର୍ଟ ବାହାର ବାର୍‌ରୁ ଜଣେ ଆଇନଜୀବୀଙ୍କୁ ଜଜ୍ ଭାବେ ଚୟନ କରାଯିବା ଏବଂ ହାଇକୋର୍ଟରେ ଖାଲି ଥିବା ବିଚାରପତି ପଦବୀକୁ ପୂରଣ କରାଯିବା ପ୍ରସଙ୍ଗକୁ ନେଇ ହାଇକୋର୍ଟ ବାର୍‌ ଆସୋସିଏସନ୍‌ ପକ୍ଷରୁ ଏବେ କାର୍ଯ୍ୟବନ୍ଦ ଆନ୍ଦୋଳନ ହୋଇଥିଲା।

Comment