ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

୧୯୯୫ ଫର୍ମୁଲାରେ ମହାରାଷ୍ଟ୍ରରେ ସରକାର ଗଠନ କରିବାକୁ ବିଜେପି ଚାହୁଁଛି। ହେଲେ ଶିବସେନା ଏଥିରେ ରାଜି ହେବ କି?

ଦିନ ପରେ ଦିନ ଗଡୁଛି ପଛେ ମହାରାଷ୍ଟ୍ରରେ ଅଡୁଆ ତୁଟୁନି। ମହାରାଷ୍ଟ୍ର ସରକାର ଗଠନକୁ ନେଇ ଶିବସେନା ଫିପ୍ଟି-ଫପ୍ଟି ଫର୍ମୁଲାରେ ଅଡ଼ି ବସିଥିବା ବେଳେ ବିଜେପି ୧୯୯୫ ଫୁର୍ମଲା କଥା କହିଛି। ହେଲେ ଶିବିସେନା ଏହି ଫର୍ମୁଲାରେ ସରକାର ଗଠନ କରିବାକୁ ରାଜି ହେବ କି?

୧୯୯୫ ଫର୍ମୁଲା କ’ଣ?

ମହାରାଷ୍ଟ୍ରରେ ବିଜେପି ଏବଂ ଶିବସେନା ଭିତରେ ୧୯୯୦ରେ ମେଣ୍ଟ ହୋଇଥିଲା। ଏହି ମେଣ୍ଟ ୧୯୯୫ ନିର୍ବାଚନ ଯାଏଁ ବଳବତ୍ତର ରହିଥିଲା। ତତ୍କାଳୀନ ବିଜେପି ନେତା ପ୍ରମୋଦ ମହାଜନ ଏବଂ ଶିବସେନା ମୁଖ୍ୟ ବାଲାସାହେବ ଠାକ୍‌ରେଙ୍କ ମଧ୍ୟରେ ମେଣ୍ଟ ଗଠନ ବେଳେ ଅନେକ ସର୍ତ୍ତ ଲାଗୁ ହୋଇଥିଲା।

ବିଜେପି କେନ୍ଦ୍ରରେ ଏବଂ ଶିବସେନା ମହାରାଷ୍ଟ୍ରରେ ରାଜୁତି କରିବ ବୋଲି ସେତେବେଳେ କଥା ହୋଇଥିଲା। ଏହାସହ ବିଜେପି-ଶିବସେନା ମେଣ୍ଟ ଭିତରୁ ଯେଉଁ ଦଳକୁ ଅଧିକ ଆସନ ମିଳିବ ସେହି ଦଳ ମୁଖ୍ୟମନ୍ତ୍ରୀ ଏବଂ ଯାହାକୁ କମ୍‌ ଆସନ ମିଳିବ ତାକୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିବ ବୋଲି ସର୍ତ୍ତ ରହିଥିଲା।

୧୯୯୫ରେ ଶିବସେନା ୧୬୯ ଆସନରେ ନିର୍ବାଚନ ଲଢ଼ି ୭୩ଟି ଏବଂ ବିଜେପି ୧୧୬ ଆସନରେ ଲଢ଼ି ୬୫ଟି ଆସନରେ ବିଜୟୀ ହୋଇଥିଲା। ସର୍ତ୍ତ ଅନୁସାରେ ଶିବସେନା ଅଧିକ ଆସନ ପାଇଥିବାରୁ ମୁଖ୍ୟମନ୍ତ୍ରୀ ପଦ ପାଇଥିଲା ଓ ବିଜେପିକୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିଥିଲା। ଏହାସହ ଗୃହ, ରାଜସ୍ୱ, ପୂର୍ତ୍ତ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିଥିଲା।

ଏବେ ଏହି ଫର୍ମୁଲାରେ ଶିବସେନା ରାଜି ହେବ କି?

ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପିକୁ ୧୦୫ ଏବଂ ଶିବସେନାକୁ ୫୬ ଆସନ ମିଳିଛି। ବିଜେପି-ଶିବସେନା ମେଣ୍ଟକୁ ମହାରାଷ୍ଟ୍ରବାସୀ ସରକାର ଗଠନ କରିବାକୁ ରାୟ ଦେଇଛନ୍ତି। ହେଲେ ଅଢ଼େଇ ବର୍ଷ ପାଇଁ ଶିବସେନା ମୁଖ୍ୟମନ୍ତ୍ରୀ ପଦ ଦାବି କରୁଥିବାରୁ ସରକାର ଗଠନ ସମ୍ଭବ ହେଉନି।

ବିଜେପି ଦେବେନ୍ଦ୍ର ଫଡ୍‌ନାବିସ୍‌ଙ୍କୁ ବିଧାୟକ ଦଳ ନେତା ଚୟନ କରି ମୁଖ୍ୟମନ୍ତ୍ରୀ ପଦ ଅକ୍ତିଆର କରିବାକୁ ଅଣ୍ଟା ଭିଡିଥିବା ବେଳେ ଶିବସେନା ବାଟ ଛାଡୁନି। ଫଳରେ ମହାରାଷ୍ଟ୍ର ଗଣିତ ବିଗିଡି ଯାଇଛି। ଶିବସେନାକୁ ଉପମୁଖ୍ୟମନ୍ତ୍ରୀ ପଦ ସମେତ ୧୪ଟି ବିଭାଗ ଦେବାକୁ ବିଜେପି ଚାହୁଁଥିବା ଥିବା ବେଳେ ଶିବସେନା ନିଜ ଜିଦ୍‌ରେ ଅଟଳ ରହିଛି। ଶେଷରେ ବିଜେପି ୧୯୯୫ ଫୁର୍ମଲାରେ ଶିବସେନାକୁ ବୁଝାଇବା ପାଇଁ ଗୋଟି ଚାଳନା କରୁଛି। ହେଲେ ଶିବସେନା ୨୪ ବର୍ଷ ତଳର ଏହି ଫୁର୍ମଲାକୁ ଏବେ ଗ୍ରହଣ କରୁଛି କି ନାହିଁ ତାହା ଦେଖିବାର କଥା।

Comment