ଓଡ଼ିଶାଲାଇଭ୍ ବ୍ୟୁରୋ

ବିଭିନ୍ନ ଜିଲ୍ଲାରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିବା ପାଇଁ ଯାଉଥିବା ବରିଷ୍ଠ ପ୍ରଶାସକମାନଙ୍କ ପାଇଁ ଏକ ନିର୍ଦ୍ଦେଶାବଳି ଜାରି କରାଯାଇଛି। ଉନ୍ନୟନ କମିସନର ସୁରେଶ ମହାପାତ୍ର ଏହି ଗାଇଡ୍‌ଲାଇନ ଜାରି କରିଛନ୍ତି। ଏଥିରେ କୁହାଯାଇଛି ଯେ, ବରିଷ୍ଠ ପ୍ରଶାସକମାନେ ନିଜ ନିଜ ଜିଲ୍ଲାରେ ନିହାତି କମରେ ୩-୪ ଦିନ ରହିବେ ଓ ଅନ୍ତତଃ ଦୁଇଟି ବ୍ଲକର ବାସ୍ତବ ସ୍ଥିତି ସମୀକ୍ଷା କରିବେ।

ଜିଲ୍ଲା ଗସ୍ତ ସମୟରେ ଅଧିକାରୀମାନେ ପଞ୍ଚାୟତ ପ୍ରତିନିଧି, ପୌର ସଂସ୍ଥା, ବିଭିନ୍ନ ବିଭାଗର ଅଧିକାରୀଙ୍କୁ ଭେଟିବେ ଓ ପୂର୍ବାହ୍‌ଣରେ ବ୍ଲକ ଅଫିସ ଆଦି ଯିବେ। ସେଠାରୁ ଉନ୍ନୟନମୂଳକ କାର୍ଯ୍ୟ କିଭଳି ଚାଲିଛି ତା’ର ଖବର ନେବେ। କ’ଣ କରାଗଲେ ଏହି ସବୁ କାର୍ଯ୍ୟ ଅଧିକ ଫଳପ୍ରଦ ହୋଇପାରିବ ସେହି ପରାମର୍ଶ ଲୋଡ଼ିବେ।

ନିର୍ଦ୍ଦେଶାବଳିରେ କୁହାଯାଇଛି ଯେ, ପ୍ରଶାସକମାନେ ଆଇବି କିମ୍ବା ସର୍କିଟ ହାଉସରେ ଭୋଜନ ନକରି ଆହାର କେନ୍ଦ୍ରରେ ଖାଇବେ। ଉଲ୍ଲେଖଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀ ମାନଙ୍କୁ ମଧ୍ୟ ଏହି ନିର୍ଦ୍ଦେଶ ଦେଇଥିଲେ।

ବରିଷ୍ଠ ପ୍ରଶାସକମାନେ ସ୍କୁଲ, ଡାକ୍ତରଖାନା, ଶିଶୁ ଯତ୍ନ ଅନୁଷ୍ଠାନ, ମୂକ ବଧିର ସ୍କୁଲ, ନିରାଶ୍ରୟ ଗୃହ ଆଦି ବୁଲି ତନଖି କରିବେ। କିଭଳି ଖାଦ୍ୟ ଦିଆଯାଉଛି ଓ କ’ଣ ସବୁ ଦୈନନ୍ଦିନ ସମସ୍ୟା ରହିଛି ସେ କଥା ପଚାରି ବୁଝିବେ।

ଯୋଜନା ଓ ସମନ୍ୱୟ ବିଭାଗ ବରିଷ୍ଠ ଆଇଏଏସ ଅଫିସରଙ୍କ ଜିଲ୍ଲା ଗସ୍ତ ସମ୍ପର୍କରେ ଟିକିନିଖି ବିବରଣୀ ରଖିବ ଓ ଏହି ସବୁ ରିପୋର୍ଟ ତୃତୀୟ ମହଲାରେ ଦାଖଲ ହେବ। ମନ୍ତ୍ରୀ ଯେଉଁମାନେ ଜିଲ୍ଲା ଗସ୍ତ କରିଛନ୍ତି ସେମାନଙ୍କ ରିପୋର୍ଟ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଂଚିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Comment