ଓଡ଼ିଶାଲାଇଭ୍ ବ୍ୟୁରୋ

  • କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିରର ବିକାଶ ପାଇଁ ସାଢ଼େ ୮ କୋଟି ମଞ୍ଜୁର
  • ମନ୍ଦିର ଚାରିପଟୁ ହଟିବ ଜବରଦଖଲ
  • ବଳଦେବଜୀଉ ଓ ମାଉସୀ ମା’ ମନ୍ଦିରକୁ ଦିଆଯିବ ନୂଆ ରୂପ
  • ପର୍ଯ୍ୟଟକଙ୍କ ପାଇଁ ନୌକା ବିହାର
  • ଆଲୋକୀକରଣ, ଶିଶୁ ଉଦ୍ୟାନ, ପୁଷ୍କରିଣୀ ପୁନରୁଦ୍ଧାର ଉପରେ ଗୁରୁତ୍ୱ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ପୁରୀ ଶ୍ରୀକ୍ଷେତ୍ର ପରେ କେନ୍ଦ୍ରାପଡ଼ା ତୁଳସୀକ୍ଷେତ୍ରର ବିକାଶ ପାଇଁ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂରେ କେନ୍ଦ୍ରାପଡା ଜିଲାର ଲୋକ ପ୍ରତିନିଧି ଓ ଜିଲ୍ଲା ପ୍ରଶାସନଙ୍କ ସହିତ ଆଲୋଚନା କରି ୮ କୋଟି ୫୦ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରିଛନ୍ତି।

ଗତ ସ୍ନାନ ପୂର୍ଣ୍ଣିମା ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ କେନ୍ଦ୍ରାପଡ଼ାର ତୁଳସୀକ୍ଷେତ୍ର ପରିଦର୍ଶନରେ ଆସିଥିଲେ। ତୁଳସୀକ୍ଷେତ୍ରରେ ବଳଦେବଜୀଉଙ୍କ ସେବାୟତ ଓ ମନ୍ଦିର ପରିଚାଳନା କମିଟିର ସଦସ୍ୟମାନଙ୍କ ସହିତ ଆଲୋଚନା କରିଥିଲେ। ସେହି ଆଲୋଚନା ଏବେ ସାକାର ହୋଇଛି। ମୁଖ୍ୟମନ୍ତ୍ରୀ ବଳଦେବ ଜୀଉ ମନ୍ଦିରର ବିକାଶ ପାଇଁ ସାଢ଼େ ୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

ଭିଡିଓ କନଫରେନ୍ସିଂ ବେଳେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି, ବିଧାୟକ ଶଶୀଭୂଷଣ ବେହେରା, ଅତନୁ ସବ୍ୟସାଚୀ ନାୟକ, ଧ୍ରୁବ ସାହୁ, ପାଟକୁରା ବିଧାୟକଙ୍କ ପ୍ରତିନିଧି, କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଲୀପ ପରିଡ଼ା, ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ମହାପାତ୍ର, ସୂଚନା ଓ ଲୋକସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ ଚନ୍ଦ୍ରକାନ୍ତ ନାୟକ, ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରଦୀପ୍ତ ମହାନ୍ତି, ବଳଦେବଜୀଉ ମନ୍ଦିର ପରିଚାଳନା କମିଟିର କାର୍ଯ୍ୟନିର୍ବାହୀ ବଳଭଦ୍ର ପତ୍ରୀ, ଠାକୁରଙ୍କ ବଡପଣ୍ଡା ବଳରାମ ସୁଆର ପ୍ରମୁଖ ଉପସ୍ଥିତ ଥିଲେ।

ତୁଳସୀକ୍ଷେତ୍ରର ବିକାଶ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ୩୦୦ ବର୍ଷର ଏହି ପ୍ରାଚୀନ ଐତିହ୍ୟର ବିକାଶ ନିମନ୍ତେ ମୁଖ୍ୟମନ୍ତ୍ରୀ ୮କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ।

ଏହି ଟଙ୍କାରେ ବଳଦେବଜୀଉଙ୍କ ମନ୍ଦିର, ମାଉସୀ ମା’ଙ୍କ ମନ୍ଦିର, ଶିଶୁ ଉଦ୍ୟାନ, ପୁଷ୍କରିଣୀର ପୁନରୁଦ୍ଧାର ସହିତ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବାକୁ ନୌକା ବିହାରର ବ୍ୟବସ୍ଥା କରାଯିବ। ଏହାଛଡା ଆଲୋକୀକରଣ, ସିସିଟିଭି, ଅଗ୍ନି ନିର୍ବାପକ ବ୍ୟବସ୍ଥା କରାଯିବ। ଭକ୍ତମାନଙ୍କ ରହଣି ପାଇଁ ଅତିଥି ଭବନ ନିର୍ମାଣ କରାଯିବ। ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ମନ୍ଦିର ଚାରିପଟୁ ଜବର ଦଖଲ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନିଆଯାଇଛି।

କେନ୍ଦ୍ରାପଡ଼ାର ଏହି ପ୍ରାଚୀନ ଐତିହ୍ୟର ପୁନରୁଦ୍ଧାର କରିବାକୁ ଅଭିଜ୍ଞମାନଙ୍କର ସହାୟତା ନିଆଯିବ। ଏହି ସମସ୍ତ ଉନ୍ନୟନ କାର୍ଯ୍ୟର ସମ୍ପାଦନା ପାଇଁ ଅଭିଜ୍ଞ ଆର୍ଚିଟେକଙ୍କ ଦ୍ୱାରା ଡିଜାଇନ ପ୍ରସ୍ତୁତ କରାଯାଇ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯିବ।

Comment