ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଫଳରେ ଓଡ଼ିଶା ଉପରୁ ଆଉ ଏକ ବାତ୍ୟା ‘ବୁଲବୁଲ’କୁ ଆତଙ୍କିତ ଅବସ୍ଥାରେ ଥିଲେ ରାଜ୍ୟବାସୀ। ତେବେ ବାତ୍ୟା ନିଜର ଗତିପଥ ବଦଳାଇ ପଶ୍ଚିମବଙ୍ଗ-ବାଂଲାଦେଶ ଆଡ଼କୁ ମୁହାଁଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ଓଡ଼ିଶାକୁ ଆଉ ବାତ୍ୟାର ଭୟ ନାହିଁ। ହେଲେ ଲଘୁଚାପ ପ୍ରଭାବରେ ଉତ୍ତର ଓଡ଼ିଶା ଉପକୂଳରେ ପବନ ସହ ବର୍ଷା ହେବାର ସମ୍ଭାବନା ରହିଛି।

ପାଣିପାଗ ବିଭାଗ ପକ୍ଷରୁ ସନ୍ଧ୍ୟା ୫ଟା ୩୫ରେ ପ୍ରକାଶ ପାଇଥିବା ବୁଲେଟିନ୍‌ରେ ସୂଚନା ଦିଆଯାଇଛି। ବାତ୍ୟା ବୁଲବୁଲ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗକୁ ମୁହାଁଇ ପଶ୍ଚିମବଙ୍ଗ-ବାଂଲାଦେଶ ଆଡ଼କୁ ଗତି କରୁଥିବା ଆଇଏଡି ପକ୍ଷରୁ କୁହାଯାଇଛି। ହେଲେ ବାତ୍ୟା ପ୍ରଭାବରେ ଆସନ୍ତା ୯-୧୦ ତାରିଖରେ ଉତ୍ତର ଉପକୂଳ ଓଡ଼ିଶାରେ ପବନ ସହ ବର୍ଷା ହେବାର ସମ୍ଭାବନା ରହିଛି।

ଅନ୍ୟପକ୍ଷରେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ପ୍ରେସ୍‌ ମିଟ୍‌ କରି କହିଛନ୍ତି, “ଆଇଏମ୍‌ଡି ସୂଚନାକୁ ଅନୁସରଣ କରି ସେଇ ଅନୁସାରେ ପ୍ରସ୍ତୁତ ହେଉଛୁ। ବାତ୍ୟା ପ୍ରାୟତଃ ଓଡ଼ିଶା ଉପକୂଳ ଛୁଇଁନପାରେ। ବର୍ତ୍ତମାନ କେବଳ ରାଜ୍ୟକୃଷି ବିଭାଗ ସତର୍କ ରହିବାକୁ ପରାମର୍ଶ ଦିଆଯାଇଥିବା ବେଳେ ଏବଂ ମତ୍ସ୍ୟଜୀବିଙ୍କୁ ସମୁଦ୍ର ଭିତରକୁ ଯିବାକୁ ମନା କରାଯାଇଛି।”

ଆସନ୍ତା ୯ ତାରିଖରେ ବାତ୍ୟା ‘ବୁଲବୁଲ’ ଜଗତସିଂହପୁର ଅସ୍ତରଙ୍ଗଠାରୁ ୧୭୦ କିଲୋମିଟର ଦୂରରେ ରହିବା ଅନୁମାନ କରାଯାଉଛି। ସେହିପରି ୧୦ ତାରିଖରେ ପାରାଦୀପଠାରୁ ୧୬୦ କିଲୋମିଟର ଦୁରରେ ଏବଂ ୧୧ ତାରିଖରେ ଧାମରାଠାରୁ ୧୪୦ କିଲୋମିଟର ଦୂରରେ ରହିବା ଅନୁମାନ କରାଯାଉଛି। ୧୦ରୁ ୧୧ତାରିଖ ସୁଦ୍ଧା ବାତ୍ୟା ସ୍ଥଳ ଭାଗ ଛୁଇଁବ। ହେଲେ ଓଡ଼ିଶାରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ନଥିବା ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Comment