ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଦିନ ଯେତିକି ଗଡୁଛି ମହାରାଷ୍ଟ୍ର ଗଣିତ ସେତିକି ଜଟିଳ ହେଉଛି।

ନଭେମ୍ବର ୯ ତାରିଖରେ ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଛି। ଏହିଦିନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଦେବେନ୍ଦ୍ର ଫଡ୍‌ନାବିସ୍‌। ବିଧାନସଭା କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ମହାରାଷ୍ଟ୍ରରେ ନୂଆ ସରକାର ଶପଥ ନେବା କଥା। ହେଲେ ବିଜେପି-ଶିବସେନା ମେଣ୍ଟ ଭିତରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ କୌଣସି ସମାଧାନର ବାଟ ବାହାରୁ ନଥିବାରୁ ସରକାର ଗଠନ ଅନିଶ୍ଚିତତାରେ ରହିଛି।

ଯଦି ୯ ତାରିଖ ଭିତରେ ନୂଆ ସରକାର ଗଠନ ନହୁଏ ତାହାଲେ ରାଜ୍ୟପାଳ ତାଙ୍କ କ୍ଷମତାର ଉପଯୋଗ କରିବେ। ଆବଶ୍ୟକ ପଡ଼ିଲେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ସୁପାରିଶ କରିବେ ରାଜ୍ୟପାଳ।

ନଭେମ୍ବର ୯ ତାରିଖରେ ବିଧାନସଭା କାର୍ଯ୍ୟକାଳ ଶେଷ ହେବା ପରେ ଦେବେନ୍ଦ୍ର ଫଡ୍‌ନାବିସ୍‌ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ଯଦି ସରକାର ଗଠନ ହୋଇନପାରେ ତାହାଲେ ରାଜ୍ୟପାଳ ଫଡ୍‌ନାବିସ୍‌ଙ୍କୁ ଆଉ କିଛି ଦିନ ଅସ୍ଥାୟୀ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଦେଇ ପାରନ୍ତି। ଏହାପରେ ସରକାର ଗଠନ ପାଇଁ ଅନ୍ୟ ବିକଳ୍ପ ଖୋଜିବେ ରାଜ୍ୟପାଳ।

ପ୍ରଥମେ ରାଜ୍ୟାପାଳ ସଂଖ୍ୟାଗରିଷ୍ଠ ହାସଲ କରିଥିବା ଦଳକୁ ସରକାର ଗଠନ କରିବାକୁ ଆମନ୍ତ୍ରଣ କରିବେ। ତାଙ୍କ ପାଖରେ ଆବଶ୍ୟକ ସଂଖ୍ୟକ ବିଧାୟକଙ୍କ ସମର୍ଥନ ଅଛି କି ନାହିଁ ତାହା ଜାଣିବାକୁ ଚାହିଁବେ। ଯଦି ସରକାର ଗଠନ କରିବାକୁ ସେମାନଙ୍କ ପାଖରେ ସଂଖ୍ୟା ବଳ ନଥିବ ତାହାଲେ ଅନ୍ୟ ଦଳକୁ ରାଜ୍ୟପାଳ ଆମନ୍ତ୍ରିତ କରିବେ।

ଏସବୁ ପ୍ରକ୍ରିୟା ପରେ ଯଦି ସରକାର ଗଠନ ହୋଇ ନପାରେ ତାହାଲେ ରାଜ୍ୟପାଳ ରାଷ୍ଟ୍ରପତିଙ୍କୁ ତାଙ୍କ ରିପୋର୍ଟ ଦେବେ। ଏବଂ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ସୁପାରିଶ କରିବେ।

ଅକ୍ଟୋବର ୨୪ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ଆସିଥିଲା। ବିଜେପି-ଶିବସେନାକୁ ମହାରାଷ୍ଟ୍ରବାସୀ ସରକାର ଗଠନ କରିବାକୁ ରାୟ ଦେଇଥିଲେ। ହେଲେ ଶିବସେନା ଫିପ୍ଟି-ଫିପ୍ଟି ପଲିସିରେ ଅଟଳ ରହିବାରୁ ସରକାର ଗଠନ ସମ୍ଭବ ହେଉନି।

Comment