ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଆସନ୍ତା କେତେ ଘଣ୍ଟା ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୨୦୧୪ରେ ଗଠିତ ମହାରାଷ୍ଟ୍ର ବିଧାନସଭାର ଶୁକ୍ରବାର ହେଉଛି ଶେଷ ଦିନ। କିନ୍ତୁ ଏ ପର୍ଯ୍ୟନ୍ତ ସରକାର ଗଠନ ନେଇ କୌଣସି ସ୍ପଷ୍ଟ ଚିତ୍ର ଆସୁନାହିଁ। ଶିବସେନା ବିଜେପିକୁ ଧମକ ଦେଇ ଚାଲିଥିଲେ ହେଁ ସରକାର ଗଠନ ସମ୍ପର୍କରେ କିଛି ନିଷ୍ପତ୍ତି ନେଇପାରୁନାହିଁ। ତେଣେ ବିଜେପି ମଧ୍ୟ କିଛି ବାଟ ବାହାର କରିପାରୁନାହିଁ। ମହାରାଷ୍ଟ୍ରର ଚାରୋଟି ଯାକ ଦଳ ବିଜେପି, ଶିବସେନା, କଂଗ୍ରେସ ଓ ଏନସିପି ହରଡ଼ଘଣାରେ ପଡ଼ିଥିବା ଦେଖାଯାଉଛି।

ରାଜନୈତିକ ବିଶେଷଜ୍ଞମାନଙ୍କ ମତରେ ଏବେ ଚାବି କେବଳ ଉଦ୍ଧବ ଠାକ୍‌ରେଙ୍କ ହାତରେ। ସେ ଯାହା ଚାହିଁବେ ତାହା ହିଁ ହେବ। ଯଦିଓ ଉଭୟ ଦଳ ଭିତରେ ସରକାରର ରୂପରେଖ ନେଇ କୌଣସି ବୁଝାମଣା ହୋଇନାହିଁ, ତେବେ ଏହି ନଅଟି ଚିତ୍ର ସାମ୍ନାକୁ ଆସିଛି।

ସବୁଠାରୁ ବଡ଼ ଦଳ ଭାବରେ ବିଜେପି ରାଜ୍ୟପାଳଙ୍କ ନିକଟରେ ସରକାର ଗଠନ ପାଇଁ ଦାବି କରିବ। ଯଦି ତାହା ହୁଏ, ଅନ୍ୟ ଛୋଟ ଛୋଟ ଦଳ ଓ ସ୍ୱାଧୀନ ବିଧାୟକଙ୍କୁ ନେଇ ବିଜେପି କ୍ଷମତାକୁ ଫେରିବ। ବିଜେପିର ନବନିର୍ବାଚିତ ବିଧାୟକଙ୍କ ସଂଖ୍ୟା ସଂଖ୍ୟା ହେଉଛି ୧୪୫।

ଏଥର ନିର୍ବାଚନ ଲଢ଼ିଥିବା ଚାରୋଟି ମଧ୍ୟରୁ କୌଣସି ବି ଦଳରେ ବିଭାଜନର ସମ୍ଭାବନା ନାହିଁ। ଏଣୁ ବିଜେପି ପାଇଁ ଏହା କଷ୍ଟକର ହୋଇପଡ଼ିଛି।

ଯଦି ଆସନ୍ତା କାଲି ସୁଦ୍ଧା କୌଣସି ଦଳ ସରକାର ଗଠନ ନ କରୁଛନ୍ତି, ମହାରାଷ୍ଟ୍ର ରାଷ୍ଟ୍ରପତି ଶାସନ ଆଡ଼କୁ ମୁହାଁଇବ।
ଶିବସେନା ଓ ବିଜେପି ଭିତରେ ଯଦି ପୁଣି କଥାବାର୍ତ୍ତା ହୁଏ, ତାହାର ଭୂମିକା କିଏ ନେବ? ଉଦ୍ଧବ ଠାକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିମ୍ବା ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ଛଡ଼ା ଅନ୍ୟ କାହା ସହ କଥାବାର୍ତ୍ତା ଚାହୁଁନାହାନ୍ତି।

ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାଭିସଙ୍କ ସ୍ଥାନରେ ଆଉ କାହାକୁ ଯଦି ମୁଖ୍ୟମନ୍ତ୍ରୀ କରାଯାଏ, ଶିବସେନା ସରକାରରେ ସାମିଲ ହେବା ପାଇଁ ରାଜି ହୋଇପାରେ। ଏହି ପରିସ୍ଥିତିରେ ନିତିନ ଗଡ଼କରୀଙ୍କ ନାଁ ଉଠୁଛି। ତାଙ୍କର ଶିବସେନା ନେତାଙ୍କ ସହ ସମ୍ପର୍କ ଭଲ।

ବିଜେପି ଯଦି ପୁଣି ସରକାର ଗଠନ କରେ, ଯାହା କି ଖୁବ୍ ସମ୍ଭବ, ତେବେ ଦ୍ୱିତୀୟ ପିଢ଼ିର ନେତାଙ୍କୁ ଉଠାଇବା ପାଇଁ ଚାହିଁବ। ଏମାନଙ୍କ ଭିତରେ ଅଛନ୍ତି ପଙ୍କଜା ମୁଣ୍ଡେ।

ମହାରାଷ୍ଟ୍ରର ଏହି କ୍ଷମତା ଖେଳରେ ଏନସିପି ଅଧ୍ୟକ୍ଷ ଶରଦ ପାୱାର ବଡ଼ ଖେଳୁଆଡ଼ ହୋଇ ବାହାରିଛନ୍ତି। ତାଙ୍କ ଦଳର ବେଶୀ ବିଧାୟକ ଏଥର ଜିତିଛନ୍ତି। କିନ୍ତୁ, ସେ କାହା ସହିତ ଫିଟ୍‌ ହୋଇପାରୁ ନାହାନ୍ତି। ସେ ନିଜେ କହିଛନ୍ତି ଯେ, ବିଜେପି ଶିବସେନା ସରକାର ହିଁ ହେବ।

କଂଗ୍ରେସ ବି ଏଥର ଭଲ କରିଛି। ମହାରାଷ୍ଟ୍ର ରାଜନୀତି କୁଆଡ଼କୁ ଗତି କରୁଛି ତା’ ଉପରେ ଦଳ ପକ୍ଷରୁ ତୀକ୍ଷ୍ଣ ନଜର ରଖାଯାଇଛି। ତେବେ ଏଥର ନୁହେଁ, ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରିବା ପାଇଁ କଂଗ୍ରେସ ପ୍ରସ୍ତୁତ ହେଉଛି।

ପ୍ରକୃତରେ ସବୁ କିଛି ନିର୍ଭର କରୁଛି ବିଜେପି ଉପରେ। କୋଉ ରାସ୍ତାରେ ଦଳ ଯିବାକୁ ଚାହୁଁଛି ତାହା ଏବେ ଦେଖିବାକୁ ବାକି ରହିଲା। ଶିବସେନା ସହ ପୂର୍ବ ଭଳି ସମ୍ପର୍କ ରଖି ଚାଲିବ ନା ଏକଲା ଚାଲିବ ତାହା ଆଜି ରାତି ସୁଦ୍ଧା ସ୍ପଷ୍ଟ ହୋଇଯିବ।

Comment