ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ରାମ ମନ୍ଦିର ପ୍ରସଙ୍ଗ ସହ ବିଜେପି ରାଜନୀତି ଓତଃପ୍ରୋତଃ ଭାବେ ଜଡ଼ିତ। ଏହା ଆମେ କହୁନୁ, ବିଗତ କିଛିଦିନର ଘଟଣାବଳୀରୁ ହିଁ ଏହା ସ୍ପଷ୍ଟ ହୋଇଛି। କ୍ଷମତାରେ ଥିବା ବେଳେ ହେଉ କି କ୍ଷମତାକୁ ଆସିବା ପାଇଁ ହେଉ, ସବୁବେଳେ ଅଯୋଧ୍ୟାର ରାମ ମନ୍ଦିରକୁ ମୁଖ୍ୟ ପ୍ରସଙ୍ଗ କରି ରାଜନୀତି କରି ଆସିଛି ବିଜେପି।

୧୯୮୪ରୁ ବିଜେପି ରାମ ମନ୍ଦିରକୁ ନେଇ ଯେଉଁ ଅଭିଯାନ ଆରମ୍ଭ କରିଥିଲା ତାହା ଆଜି ସାକାର ହୋଇଛି। ଏଥିପାଇଁ ବିଜେପିର ଭୀଷ୍ମ ପିତାମହ କୁହାଯାଉଥିବା ଲାଲକୃଷ୍ଣ ଆଡଭାନିଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ କରିଛନ୍ତି।

୧୯୮୦ରେ ଭାରତୀୟ ଜନତା ପାର୍ଟି ଗଠନ ହୋଇଥିଲା। ଏହାର ପ୍ରଥମ ସଭାପତି ହୋଇଥିଲେ ଅଟଳବିହାରୀ ବାଜପେୟୀ। ବାଜପେୟୀଙ୍କୁ ସହଯୋଗ କରି ଆସୁଥିଲେ ଆଡଭାନି। ରାମ ମନ୍ଦିର ସହିତ ବାଜପେୟୀଙ୍କ ସମ୍ପର୍କ ଯେତିକି ନିବିଡ଼ ନୁହେଁ, ତାଠୁ ଅଧିକ ଘନିଷ୍ଠ ସମ୍ପର୍କ ହେଉଛି ଆଡଭାନିଙ୍କର। କାରଣ ତିନି ଦଶନ୍ଧି ତଳେ ଆଡଭାନି ରାମ ମନ୍ଦିର ନିର୍ମାଣ ଅଭିଯାନର ମୂଳଦୁଆ ପକାଇଥିଲେ।

୧୯୮୯ ବିଜେପି ଏଜେଣ୍ଡାରେ ‘ରାମ ମନ୍ଦିର’

୧୯୮୯ ନିର୍ବାଚନରେ ବିଜେପି ପ୍ରଥମେ ରାମ ମନ୍ଦିର କଥା କହିଥିଲା। କେନ୍ଦ୍ରରେ ବିଜେପି ସମର୍ଥିତ ଅଣ କଂଗ୍ରେସ ସରକାର ଗଠନ ହେଲେ ରାମ ମନ୍ଦିର ନିର୍ମାଣ ନିଶ୍ଚିତ ବୋଲି ବିଜେପି ପ୍ରଚାର କରିଥିଲା। ଏହାର ପ୍ରଭାବ ଭୋଟରଙ୍କ ଉପରେ ପଡ଼ିଥିଲା। ଫଳରେ ବିଜେପି ୮୫ ଆସନ ପାଇଥିଲା। ବିଜେପି ସମର୍ଥନରେ ଜନତା ଦଳ ସରକାର ଗଠନ କରିଥିଲା ଏବଂ ଭି ପି ସିଂହ ପ୍ରଧାନମନ୍ତ୍ରୀ ହୋଇଥିଲେ।

କେନ୍ଦ୍ରରେ ବିଜେପି ସମର୍ଥନରେ ଜନତା ଦଳ ସରକାର ଗଠନ କରିବା ପରେ ଆଡଭାନି ରାମ ମନ୍ଦିର ନିର୍ମାଣ ଅଭିଯାନକୁ ଆଗକୁ ନେଇଥିଲେ। ସାରା ଦେଶରେ ଲୋକଙ୍କ ସମର୍ଥନ ପାଇବା ପାଇଁ ଆଡଭାନି ଗୁଜୁରାଟର ସୋମନାଥରୁ ରାମ ଜନ୍ମଭୂମି ଅଯୋଧ୍ୟା ପର୍ଯ୍ୟନ୍ତ ‘ରାମ ରଥଯାତ୍ରା’ ଆରମ୍ଭ କରିଥିଲେ।

ଆଡଭାନିଙ୍କ ‘ରାମ ରଥ’ ଯୁଆଡ଼େ ଗଡ଼ିଲା ସିଆଡ଼େ ବିପୁଳ ଜନସମର୍ଥନ ପାଇଲା। କିନ୍ତୁ ଉତ୍ତରପ୍ରଦେଶରେ ରଥ ପଶିବା ଆଗରୁ କାଳେ କିଛି ଅଘଟଣ ଘଟିବ ସେହି ଆଶଙ୍କାରେ ଆଡଭାନିଙ୍କୁ ଗିରଫ କରାଗଲା। ଏହି ଗିରଫଦାରୀ ପରେ ଦିଲ୍ଲୀ ରାଜନୀତି ହଲ୍‌ଚଲ୍‌ ହୋଇଥିଲା। ବିଜେପି ଜନତା ଦଳ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେବା ପରେ ଭି ପି ସିଂହ ସରକାର ଭାଙ୍ଗି ଯାଇଥିଲା।

ଏହାପରେ ଚନ୍ଦ୍ରଶେଖର ହୋଇଥିଲେ ପ୍ରଧାନମନ୍ତ୍ରୀ। ସେ ୨୨୩ ଦିନ କ୍ଷମତାରେ ରହିଥିଲେ। ୧୯୯୧ରେ ପୁଣି ହୋଇଥିଲା ନିର୍ବାଚନ। ହେଲେ ବିଜେପିର ରାମ ମନ୍ଦିର ପ୍ରସଙ୍ଗ ଆଉ କାମ ଦେଲାନି। କଂଗ୍ରେସର ପି ଭି ନରସିଂହ ରାଓ ହେଲେ ପ୍ରଧାନମନ୍ତ୍ରୀ।

ନରସିଂହ ରାଓଙ୍କ ସରକାରକୁ ମାତ୍ର ବର୍ଷେ ପୂରିବା ପରେ ବାବ୍ରୀ ମସ୍‌ଜିଦ୍‌ ଭଙ୍ଗା ଯାଇଥିଲା। ଦେଶର କୋଣ ଅନୁକୋଣରୁ କର ସେବକମାନେ ଅଯୋଧ୍ୟା ଆସି ବାବ୍ରୀ ମସ୍‌ଜିଦ୍‌ ଭାଙ୍ଗିଥିଲେ। କିନ୍ତୁ ଏହା ପଛରେ ବିଶ୍ୱହିନ୍ଦୁ ପରିଷଦ ଏବଂ ବିଜେପିର ହାତ ଥିବା କୁହାଗଲା।

ବାଜପେୟୀ ଓ ରାମ ମନ୍ଦିର

୧୯୯୨ର ବାବ୍ରୀ ମସ୍‌ଜିଦ୍‌ ଭଙ୍ଗାଯିବା ପରେ ରାମ ମନ୍ଦିର ନିର୍ମାଣ ସୁନିଶ୍ଚିତ ବୋଲି ପ୍ରଚାର କଲା ବିଜେପି। ଫଳରେ ୧୯୯୬ରେ ପୁଣି ବିଜେପି ଆସିଲା କ୍ଷମତାକୁ। ଅଟଳବିହାରୀ ବାଜପେୟୀ ହେଲେ ପ୍ରଧାନମନ୍ତ୍ରୀ। ବାଜପେୟୀଙ୍କ ସରକାରରେ ଅସ୍ଥିରତା ଦେଖାଦେବାରୁ ରାମ ମନ୍ଦିର ସ୍ୱପ୍ନ ପୂରଣ ହୋଇପାରିଲା ନାହିଁ।

୧୯୯୯ ନିର୍ବାଚନରେ ରାମ ମନ୍ଦିର ପ୍ରସଙ୍ଗକୁ ପୁଣି ଦୋହରାଇଲା ବିଜେପି। ବାଜପେୟୀଙ୍କ ନେତୃତ୍ୱରେ ୫ ବର୍ଷ ସରକାର ରହିଲା। ହେଲେ ରାମ ମନ୍ଦିର ଆଶା ପୂରଣ ହୋଇପାରିଲା ନାହିଁ। ୨୦୦୪ ନିର୍ବାଚନ ବେଳେ ପୁଣିଥରେ ଆଡଭାନି ‘ଭାରତ ଉଦୟ ରଥ’ ସାରା ଭାରତ ପରିକ୍ରମା କରାଇଥିଲେ। କିନ୍ତୁ ବିଜେପି ଉପରେ ଆସ୍ଥା ପ୍ରକଟ କରି ନଥିଲେ ଭୋଟର।

ବାଜପେୟୀଙ୍କ ସରକାର ରାମ ମନ୍ଦିର ନିର୍ମାଣ ସମ୍ପର୍କରେ କୌଣସି ପଦକ୍ଷେପ ନେଇ ନଥିବାରୁ ହିନ୍ଦୁତ୍ୱବାଦୀ ସଙ୍ଗଠନ ୨୦୦୪ ନିର୍ବାଚନରେ ବାଜପେୟଙ୍କୁ ସହଯୋଗ କଲେନି। ଫଳରେ କଂଗ୍ରେସ ନେତୃତ୍ୱାଧୀନ ଉପା ଆସିଥିଲା କ୍ଷମତାକୁ।

ଉପା ୨୦୧୪ ଯାଏଁ ସରକାରରେ ରହିଥିଲା। ୨୦୧୪ ନିର୍ବାଚନରେ ବିଜେପି ତାର ରଣନୀତି ବଦଳାଇଥିଲା। ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ପ୍ରୋଜେକ୍ଟ କରି ବିଜେପି ପ୍ରଚାର କଲା ଏବଂ ଇସ୍ତାହାରରେ ‘ରାମ ମନ୍ଦିର’ ନିର୍ମାଣ ପ୍ରସଙ୍ଗ ବି ରହିଲା। ମୋଦୀ ପ୍ରଧାନମନ୍ତ୍ରୀ ହେଲେ।

ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଆଶା ସଞ୍ଚରିତ ହେଲା। ହେଲେ ଉତ୍ତରପ୍ରଦେଶରେ ବିଜେପି ସରକାର ନଥିବାରୁ ପାଣିପାଗ ଗୋଳିଆ ହୋଇ ଯାଇଥିଲା। ୨୦୧୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ମାଷ୍ଟର ଷ୍ଟ୍ରୋକ ଖେଳିଥିଲା। ସମାଜବାଦୀ ଏବଂ ବହୁଜନ ସମାଜବାଦୀ ପାର୍ଟିକୁ ଚେକ୍‌ ଦେଇ ବିଜେପି ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ପାଇଥିଲା। ଏହାର ପ୍ରମୁଖ କାରଣ ‘ରାମ ମନ୍ଦିର’ ବୋଲି କୁହାଯାଉଛି।

୨୦୧୨ ବିଧାନସଭା ନିର୍ବାଚନରେ ‘ରାମ ମନ୍ଦିର’ ପ୍ରସଙ୍ଗ ଇସ୍ତାହାରରେ ରହିବ ନାହିଁ ବୋଲି ବିଜେପି ସଫା ସଫା ମନା କରି ଦେଇଥିଲା। ହେଲେ ୨୦୧୭ରେ କିନ୍ତୁ ‘ରାମ ମନ୍ଦିର’ ପ୍ରସଙ୍ଗକୁ ଅସ୍ତ୍ର କରିଥିଲା ବିଜେପି। ଉତ୍ତରପ୍ରଦେଶ ଦଖଲ କରିବା ପରେ କଠୋର ହିନ୍ଦୁବାଦୀ ନେତା ଯୋଗୀ ଆଦିତ୍ୟନାଥଙ୍କୁ ମୁଖ୍ୟମନ୍ତ୍ରୀ କଲା ବିଜେପି। ମୋଦୀ-ଯୋଗୀ ସରକାର ଅମଳରେ ‘ରାମ ମନ୍ଦିର’ ନିର୍ମାଣ ହେବା ସୁନିଶ୍ଚିତ ବୋଲି ସେବେଠାରୁ ଚର୍ଚ୍ଚା ହେଉଥିଲା।

Comment