ଓଡ଼ିଶାଲାଇଭ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବୁଲ୍‌ବୁଲ୍ ପ୍ରଭାବ ବାଲେଶ୍ଵର ଓ ଭଦ୍ରକ ଜିଲ୍ଲାରେ ଦେଖିବାକୁ ମିଳିଛି। ବର୍ତ୍ତମାନ ସୁଦ୍ଧା ପବନର ବେଗ ବୃଦ୍ଧି ପାଇବା ଫଳରେ ସହରର ସ୍ଥାନେ ସ୍ଥାନେ ବଡ ବଡ ଗଛ ଉପୁଡି ପଡିବା ସହ କେତେକ ଦୋକାନ ଘରର ସାଇନବୋର୍ଡ ସବୁ ଉଡେଇ ନେଇଛି। ଚାନ୍ଦିପୁର ଉପକୂଳ ଏରିଆରେ ମଧ୍ୟ ଦିନ ୧୨ ଟାରୁ ୧ଟା ଭିତରେ ଜୋରରେ ପବନ ବହିବା ଯୋଗୁଁ ବଡ ଗଛ ପାନ୍ଥନିବାସ ରାସ୍ତାରେ ଉପୁଡ଼ି ପଡ଼ିଛି।

ସହରରେ ସକାଳ ପହରୁ ଲଗାଣ ବର୍ଷା ଫଳରେ ଜୀବନଯାତ୍ରା ଠପ୍ ହୋଇଯାଇଥିବା ବେଳେ ଦୋକାନବଜାର ପ୍ରାୟ ବନ୍ଦ ରହିଥିବା ଦେଖାଦେଇଛି। ଜିଲ୍ଲାର ବାଲିଆପାଳ, ତାଳସାରୀ ପ୍ରଭୃତି ସ୍ଥାନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ପ୍ରଶାସନ ସଜାଗ ରହିଛି। ବାଲିଆପାଳରେ ଗଛ ଉପୁଡିଥିବାର ଖବର ମିଳିଛି।

ତେବେ ଏହି ଗଛ କଟାଯାଇ ରାସ୍ତା ଅବରୋଧକୁ ତୁରନ୍ତ ସଫା କରାଯିବା କାର୍ଯ୍ୟ ଚାଲିଛି। ବିଦ୍ୟୁତ ସରାବରାହ ଗ୍ରାମାଞ୍ଚଳରେ ବନ୍ଦ ରହିଥିବା ବେଳେ ସହରାଞ୍ଚଳରେ ବିଦ୍ୟୁତ ସଂଯୋଗ ହୋଇଛି। ବିଦ୍ୟୁତ କାର୍ଯ୍ୟ ଚାଲିଥିବାରୁ ମଝିରେ ମଝିରେ ପାଓ୍ଵାରକଟ୍ ହେଉଛି।

ବାଲେଶ୍ଵରରେ ୪୧.୫ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଥିବା ବେଳେ ସହରର ଖାଲୁଆ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି। ମତ୍ସ୍ୟଜୀବୀମାନଙ୍କୁ ତଳିଆ ଅଞ୍ଚଳରୁ ଅଣାଯାଇ ବାତ୍ୟା ଆଶ୍ରୟସ୍ଥଳରେ ରଖାଯାଇଛି। ପ୍ରାୟ ୯୭୦ ପରିବାର ଏବେ ବାତ୍ୟା ଆଶ୍ରୟସ୍ଥଳରେ ରହୁଛନ୍ତି ଓ ସେମାନଙ୍କ ପାଇଁ ରନ୍ଧାଖାଦ୍ୟର ବ୍ୟବସ୍ଥା ମଧ୍ୟ ହୋଇଛି।

ସହରର କେତୋଟି ମୁଖ୍ୟ ସଡକ ଉପରେ ଗଛ ଉପୁଡି ପଡିଥିବାରୁ ଯାତାୟତ ଅସୁବିଧା ହେଉଛି। କିଛି ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଭାଙ୍ଗିଯିବା କାରଣରୁ ବିଦ୍ୟୁତ୍ କାଟ୍ ହୋଇଛି। ତେବେ ଅସୁବିଧା ଥିବା ଜାଗାରେ ତୁରନ୍ତ ଏନ୍.ଡି.ଆର୍.ଏଫ୍. ଦଳ ପହଞ୍ଚି ସ୍ଥିତିକୁ ସୁଧାରୁଛନ୍ତି।

ବୁଲବୁଲ୍ ପ୍ରଭାବରେ ବାଲେଶ୍ଵର ଜିଲ୍ଲା ପ୍ରଭାବିତ ହୋଇଥିଲେ ମଧ୍ୟ ପରିସ୍ଥିତି ନିୟନ୍ତ୍ରାଧୀନ ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

Comment