ଓଡ଼ିଶାଲାଇଭ୍ ବ୍ୟୁରୋ

ଶେଷ ହୋଇଛି ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ। ଶେଷ ଦିନରେ ରାଜ୍ୟପାଳ ଭଗତ ସିଂହ ବିଜେପିକୁ ସରକାର ଗଠନ କରିବାକୁ ଆମନ୍ତ୍ରଣ କରିଛନ୍ତି। ବିଜେପି ଚଳିତ ନିର୍ବାଚନରେ ସର୍ବ ବୃହତ୍ତ ପାର୍ଟି ଭାବେ ମହାରାଷ୍ଟ୍ରରେ ଛିଡ଼ା ହୋଇଥିବାରୁ ନିମୟ ଅନୁସାରେ ବିଜେପିକୁ ପ୍ରଥମେ ସରକାର ଗଠନ କରିବାକୁ ଡାକିଛନ୍ତି ରାଜ୍ୟପାଳ।

ସରକାର ଗଠନ କରିବାକୁ ୧୪୬ ବିଧାୟକଙ୍କ ସମର୍ଥନ ଦରକାର। ହେଲେ ବିଜେପି ପାଖରେ ୧୦୫ ଜଣ ବିଧାୟକ ଅଛନ୍ତି। ଫିପ୍ଟି-ଫିପ୍ଟି ଫର୍ମୁଲାରେ ବିଜେପି ଜିଦ୍‌ ଧରିଥିବାରୁ ଶିବସେନା ବିଜେପିକୁ ସରକାର ଗଠନରେ ସହଯୋଗ କରୁନି। ବିଜେପି ସରକାର ଗଠନ ପାଇଁ ଆବଶ୍ୟକ ହେଉଥିବା ବିଧାୟକ କେଉଁଠୁ ପାଇବ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି।

ଚଳିତ ନିର୍ବାଚନରେ ବିଜେପି ୧୦୫, ଶିବସେନା ୫୬, ଏନ୍‌ସିପି ୫୪ ଏବଂ କଂଗ୍ରେସ ୪୪ଟି ଆସନରେ ବିଜୟୀ ହୋଇଥିଲେ। ମହାରାଷ୍ଟ୍ରବାସୀ ବିଜେପି-ଶିବସେନା ମେଣ୍ଟକୁ ସରକାର ଗଠନ ପାଇଁ ରାୟ ଦେଇଥିଲେ। ହେଲେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଭାଗବଣ୍ଟା ଛିଣ୍ଡୁ ନଥିବାରୁ ସରକାର ଗଠନ ହୋଇ ପାରୁନି।

ଗତ ଶୁକ୍ରବାର ଦିନ ଦେବେନ୍ଦ୍ର ଫଡ୍‌ନାବିସ୍‌ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କୁ କାମଚଳା ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟପାଳ ନିଯୁକ୍ତି ଦେଇଛନ୍ତି।

Comment