ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ ଏସ୍‌ସିବି ମେଡିକାଲରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ହୋଇଥିବା ଅଭିଯୋଗ କରି ପରିବାର ଲୋକେ ଡାକ୍ତରଙ୍କ ଚାମ୍ବର ତାଲା ପକାଇଦେଇଥିଲେ। ଫଳରେ କିଛି ସମୟ ଧରି ମେଡିକାଲରେ ଉତ୍ତେଜନା ଦେଖା ଦେଇଥିଲା।

ଶନିବାର କଟକ ସିଡିଏ ସେକ୍ଟର ୬ରେ ଜଣେ ୩ ବର୍ଷର ଶିଶୁ ସିଡ଼ିରୁ ଖସି ପଡ଼ିଥିଲା। ଏହାପରେ ପରିବାର ଲୋକେ ଶିଶୁଟିକୁ ବଡ଼ ମେଡିକାଲରେ ଭର୍ତ୍ତି କରାଇଥିଲେ। ଡାକ୍ତର ଶିଶକୁ ଯାଞ୍ଚ କରି ସବୁକିଛି ଠିକ୍‌ ଥିବା ଦର୍ଶାଇ ଘରକୁ ନେଇଯିବାକୁ ପରାମର୍ଶ କରିଥିଲେ।

ହେଲେ ଶନିବାର ରାତିରେ ଶିଶୁର ବାନ୍ତି ହୋଇ ଗୁରୁତର ହୋଇପଡ଼ିଥିଲା। ପରିବାର ଲୋକେ ଶିଶୁଟିକୁ ପୁଣି ଥରେ ମେଡିକାଲକୁ ଆଣିଥିଲେ। ରବିବାର ଭୋର୍‌ରୁ ଶିଶୁଟିର ମୃତ୍ୟୁ ହୋଇଥିବା ପ୍ରକାଶ ପାଇଛି।

ଚିକିତ୍ସା ଅବହେଳାରୁ ଶିଶୁଟିର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରି ଡାକ୍ତରଙ୍କ ଚାମ୍ବର ତାଲା ପକାଇଦେଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ମଙ୍ଗଳାବାଗ ଥାନା ଅଧିକାରୀ ପହଞ୍ଚି ବୁଝାଶୁଖା କରିବା ପରେ ସ୍ଥିତି ଆୟତକୁ ଆସିଥିଲା।

Comment