ଓଡ଼ିଶାଲାଇଭ୍ ବ୍ୟୁରୋ

ମହାରାଷ୍ଟ୍ରରେ ସରକାର ଗଢ଼ିବାକୁ ମନା କଲା ବିଜେପି। ରାଜ୍ୟରେ ଏକାକୀ ସରକାର ଗଠନ କରିପାରିବ ନାହିଁ ବୋଲି ରାଜ୍ୟପାଳଙ୍କୁ ଭେଟି ଜଣାଇଛନ୍ତି ମହାରାଷ୍ଟ୍ର ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲ।

ଶନିବାର ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀ ବିଜେପିକୁ ବଡ଼ ଭାବେ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଥିଲେ। ସୋମବାର ବିଜେପିକୁ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ଥିଲା। ହେଲେ ଏହାର ଗୋଟିଏ ଦିନ ପୂର୍ବରୁ ବିଜେପି ରାଜ୍ୟରେ ସରକାର ଗଠନ କରିପାରିବନି ବୋଲି କହିଛି।ନିର୍ବାଚନରେ ବିଜେପି-ଶିବସେନା ମେଣ୍ଟକୁ ସଂଖ୍ୟାଗରିଷ୍ଠତା ମିଳିଥିଲେ ସୁଦ୍ଧା ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦୁଇ ଦଳ ମଧ୍ୟରେ ବିବାଦ ଲାଗି ରହିଛି। ଶିବସେନା ଫିପ୍ଟି- ଫିପ୍ଟି ଫର୍ମୁଲାରେ ମୁଖ୍ୟମନ୍ତ୍ରୀ ପଦ ଚାହୁଁଥିଲାବେଳେ ବିଜେପି ଏଥିରେ ରାଜି ହେଉନାହିଁ।ଅନ୍ୟପଟେ ଶିବସେନା ମଧ୍ୟ ରାଜ୍ୟରେ ଏକାକୀ ସରକାର ଗଠନ କରିପାରିବ ନାହିଁ। କାରଣ ଦଳ ପାଖରେ ସରକାର ଗଠନ ପାଇଁ ଆବଶ୍ୟକୀୟ ବିଧାୟକ ନାହାନ୍ତି। ଦଳ ଏନସିପି- କଂଗ୍ରେସ ସହ ମିଶି ସରକାର ଗଠନ କରିବ ବୋଲି ଚର୍ଚ୍ଚା ହେଉଛି। ତେବେ ଏନସିପି ନେତା ଶରଦ ପାୱାର ଓ କଂଗ୍ରେସ ନେତା ମଲିକାର୍ଜୁନ୍ ଖଡଗେ ଶିବସେନା ସହ ସରକାର ଗଠନ କରିବାକୁ ରାଜି ନାହାନ୍ତି। ଲୋକମାନେ ତାଙ୍କୁ ବିରୋଧୀ ଦଳ ଆସନରେ ବସିବାକୁ ଭୋଟ୍ ଦେଇଛନ୍ତି ବୋଲି କହୁଛନ୍ତି ଏହି ଦୁଇ ଏନସିପି ଓ କଂଗ୍ରେସ ନେତା।

ଏଭଳି ଭାବେ ମହାରାଷ୍ଟ୍ରରେ ସରକାର ଗଠନ ନେଇ ଅନିଶ୍ଟିତତା ଲାଗି ରହିଛି। ଯଦି କୌଣସି ଦଳ ରାଜ୍ୟରେ ସରକାର ଗଠନ ପାଇଁ ସକ୍ଷମ ନହୁଅନ୍ତି ତେବେ ରାଜ୍ୟପାଳ ରାଷ୍ଟ୍ରପତି ଶାସନ ପାଇଁ ରାଷ୍ଟ୍ରପତିଙ୍କୁ କହିପାରନ୍ତି।

Comment