ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାରିପଦାର ସ୍ୱସ୍ତିକ ହୋଟେଲ ସମ୍ମିଳନୀ କକ୍ଷରେ ମୟୂରଭଞ୍ଜ ଜିଲ୍ଲା ସରକାରୀ ଠିକାଦାର ସଂଘ ପକ୍ଷରୁ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଛି। ଠିକାଦାର ସଂଘର ମୟୂରଭଞ୍ଜ ଜିଲ୍ଲା ସଭାପତି ପରେଶ ଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ପ୍ରାୟ ୫ଶହରୁ ଅଧିକ ଠିକାଦାରମାନେ ଏଥିରେ ଅଂଶ ଗ୍ରହଣ କରିଥିଲେ।

ବରିଷ୍ଠ ଠିକାଦାର ତଥା ସଂଘର ଉପଦେଷ୍ଟା ମୁରାରୀ ଶର୍ମା ଜିଲ୍ଲାରେ ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ଠିକାଦାରମାନେ କେଉଁ ସବୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ରାଜ୍ୟ ସରକାରଙ୍କ ଠିକାଦାର ମାରଣ ନୀତି ସମ୍ପର୍କରେ ଆଲୋଚନା କରିଥିଲେ। ସରକାରଙ୍କ ପକ୍ଷରୁ ନିର୍ଦିଷ୍ଟ ଭାବେ କୌଣସି ମାଟି କିମ୍ବା ମୋରମ ଖାଦାନ ନଥିଲେ ମଧ୍ୟ ଠିକାଦାରମାନଙ୍କଠାରୁ ରୟାଲିଟି ଏବଂ ପେନାଲିଟି ଆଦାୟ କୁ ସଂଘ ପକ୍ଷରୁ ସମାଲୋଚନା କରାଯାଇଥିଲା।

ରାଜ୍ୟ ସରକାରଙ୍କ ଏହି ଠିକାଦାର ମାରଣ ନୀତିକୁ ବିରୋଧ କରି ସମଗ୍ର ରାଜ୍ୟରେ ଠିକାଦାର ସଂଘ ପକ୍ଷରୁ କାମ ବନ୍ଦ ଆନ୍ଦୋଳନ ଜାରି ରହିଛି। ସଂଘ ପକ୍ଷରୁ ଏକ ୧୦ଦଫା ଦାବିପତ୍ର ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରାଯାଇଛି। ଗତ ୧ ତାରିଖଠାରୁ ଜିଲ୍ଲାରେ କାମବନ୍ଦ ରଖାଯାଇଥିବାରୁ ଜିଲ୍ଲାର ପ୍ରାୟ ତିନି ହଜାର କୋଟି ଟଙ୍କାର କାମ ବନ୍ଦ ରହିଛି। ରାଜ୍ୟ ସରକାର ଯଦି ସଂଘ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ବିଚାର ନ କରନ୍ତି, ଆଗାମୀ ଦିନରେ ଏହି ଆନ୍ଦୋଳନ ତୀବ୍ରତର ହେବ ବୋଲି ସଂଘ ପକ୍ଷରୁ କୁହାଯାଇଛି।

Comment