ଓଡ଼ିଶାଲାଇଭ୍ ବ୍ୟୁରୋ


ସରକାର ଗଠନକୁ ନେଇ ମହାରାଷ୍ଟ୍ର ରାଜନୀତି ଗୋଳିଆ ହୋଇଯାଇଛି। ସରକାର ଗଠନରୁ ବିଜେପି ଓହରି ଯିବା ପରେ ଏବେ ଶିବସେନା ସରକାର ଗଠନ କରିବାକୁ ଅଣ୍ଟା ଭିଡ଼ିଛି। ଏଥିପାଇଁ ବିରୋଧୀ ଏନ୍‌ସିପି-କଂଗ୍ରେସ ସହ ଆଲୋଚନା କରିଛି ଶିବସେନା। ହେଲେ କଂଗ୍ରେସ ସରକାର ଗଠନ ପାଇଁ ନୂଆ ଫର୍ମୁଲା ଦେଇଛି।

କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଯଦି ଶିବସେନାକୁ ଆମେ ସମର୍ଥନ କରିବୁ ତାହାଲେ ଶିବସେନା-ଏନ୍‌ସିପି-କଂଗ୍ରେସର ୧୪ ଜଣ ଲେଖାଏଁ ମନ୍ତ୍ରୀ ରହିବେ। କଂଗ୍ରେସ ଓ ଏନ୍‌ସିପିରୁ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ରହିବେ।

ଶିବସେନା ଆଜି ଏନ୍‌ସିପିକୁ ଭେଟି ସରକାର ଗଠନ ସମ୍ପର୍କରେ ଆଲୋଚନା କରିଛି। କଂଗ୍ରେସ ସରକାର ଗଠନ ପାଇଁ ଫର୍ମୁଲା କହିଛି, ହେଲେ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ଦେଇ ନାହିଁ। ଏଣୁ ଶିବସେନା ଓ ଏନ୍‌ସିପି କଂଗ୍ରେସର ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି।

ଆଜି ସନ୍ଧ୍ୟାରେ କଂଗ୍ରେସର ବୈଠକ ବସିବ। ଏହି ବୈଠକରେ ମହାରାଷ୍ଟ୍ରରେ ସରକାର ଗଠନ ସମ୍ପର୍କରେ ଆଲୋଚନା ହେବ।

ଶିବସେନା ଆଜି ସନ୍ଧ୍ୟାରେ ରାଜ୍ୟପାଳଙ୍କୁ ଭେଟିବ। ସରକାର ଗଠନ କରିବ କି ନାହିଁ ସେ ସମ୍ପର୍କରେ ଜଣାଇବ।

ନିର୍ବାଚନ ପୂର୍ବରୁ ବିଜେପି-ଶିବସେନା ଭିତରେ ମେଣ୍ଟ ହୋଇଥିଲା। ବିଜେପି-ଶିବସେନା ମେଣ୍ଟକୁ ସରକାର ଗଠନ ପାଇଁ ମହାରାଷ୍ଟ୍ରବାସୀ ରାୟ ଦେଇଥିଲେ। ବିଜେପି ୧୦୫ ଆସନ ପାଇଥିବା ବେଳେ ଶିବସେନା ୫୬ ଆସନ ପାଇଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଭାଗବଣ୍ଟା ନଛିଣ୍ଡିବାରୁ ସରକାର ଗଠନ ହୋଇପାରୁ ନାହିଁ।

ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ଶେଷ ହୋଇଯିବାରୁ ଚଳିତ ନିର୍ବାଚନରେ ଅଧିକ ଆସନ ପାଇଥିବା ବିଜେପିକୁ ସରକାର ଗଠନ ପାଇଁ ଡାକିଥିଲେ ରାଜ୍ୟପାଳ। ହେଲେ ଆବଶ୍ୟକ ବିଧାୟକଙ୍କ ସମର୍ଥନ ନଥିବାରୁ ବିଜେପି ସରକାର ଗଠନରୁ ଓହରି ଯାଇଥିଲା।

ପରେ ରାଜ୍ୟପାଳ ଦ୍ୱିତୀୟ ବଡ଼ ପାର୍ଟି ଭାବେ ପରିଚିତ ଶିବସେନାକୁ ସରକାର ଗଠନ କରିବାକୁ ଡାକିଥିଲେ। ଶିବସେନା ପାଖରେ ମ୍ୟାଜିକ୍‌ ନମ୍ବର ନଥିବାରୁ ଏନ୍‌ସିପି-କଂଗ୍ରେସ ସହ କଥାବାର୍ତ୍ତା ଚଳାଇଛି।

Comment