ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ପଦକୁ ନେଇ ଭାଗବଣ୍ଟା ନଛିଣ୍ଡିବାରୁ ବିଜେପି-ଶିବସେନା ଭିତରେ ୩୦ ବର୍ଷର ସମ୍ପର୍କ ଭାଙ୍ଗି ଯାଇଛି।

ରାଜନୀତିରେ କେତେବେଳେ କ’ଣ ଘଟିବ ତାହା ଆଗୁଆ କଳନା କରିବା ମୁସ୍କିଲ୍‌। କାରଣ କ୍ଷମତା ପାଇଁ କେତେବେଳେ କ’ଣ ବି ଘଟିପାରେ। ଏବେ ଯେମିତି ମହାରାଷ୍ଟ୍ରରେ ଚାଲିଛି। କ୍ଷମତା ପାଇଁ ବିଜେପି-ଶିବସେନା ଭିତରେ ୩୦ ବର୍ଷର ସମ୍ପର୍କ ଭାଙ୍ଗି ଯାଇଛି।

କେବେଠୁ ମେଣ୍ଟ?

୧୯୬୬ ମସିହା ଜୁନ୍ ୧୯ରେ ବାଲ୍‌ ଠାକ୍‌ରେଙ୍କ ନେତୃତ୍ୱରେ ଗଠନ ହୋଇଥିଲା ଶିବସେନା। କିନ୍ତୁ ୧୯୮୯ରେ ବିଜେପି ସହ ସମ୍ପର୍କ ଯୋଡ଼ିଥିଲା ଶିବସେନା। ୧୯୮୯ରୁ ୨୦୧୯ ଭିତରେ ମହାରାଷ୍ଟ୍ର ରାଜନୀତି ଅନେକ ଉତ୍ଥାନ ପତ୍ତନ ଦେଖିଛି। ହେଲେ  ବିଜେପି-ଶିବସେନା ସମ୍ପର୍କରେ ଭଟ୍ଟା ପଡ଼ି ନଥିଲା। ରାଜ୍ୟରେ ହେଉ କି କେନ୍ଦ୍ରରେ ସରକାର ଗଠନ ବେଳେ ବିଜେପିକୁ ସମର୍ଥନ ଦେଇ ଆସୁଥିଲା ଶିବସେନା। ଶିବସେନା ପ୍ରତିଷ୍ଠାତା ବାଲ୍‌ ଠାକ୍‌ରେଙ୍କ ଦେହାନ୍ତ ପରେ ବି ମେଣ୍ଟ ଆଗକୁ ବଢ଼ିଥିଲା।

୧୯୮୯ରେ ବିଜେପି-ଶିବସେନା ମେଣ୍ଟ ହେବା ପରେ ୧୯୯୦ ଏବଂ ୧୯୯୫ରେ ନିର୍ବାଚନ ହୋଇଥିଲା। ବିଜେପି-ଶିବସେନା ମେଣ୍ଟ ନିର୍ବାଚନ ଲଢ଼ିଥିଲା। ହେଲେ ସରକାର ଗଠନ ପାଇଁ ଜନମତ ମିଳି ନଥିଲା। ଏନ୍‌ସିପି ମୁଖ୍ୟ ଶରଦ ପାୱାର ହୋଇଥିଲେ ମୁଖ୍ୟମନ୍ତ୍ରୀ। ବିରୋଧୀ ଆସନରେ ବସିଥିଲେ ବିଜେପି-ଶିବସେନା।

ବିରୋଧୀ ଆସନରେ ବସିଥିଲେ ବି ମେଣ୍ଟରେ କୌଣସି ଅସୁବିଧା ହୋଇ ନଥିଲା। ୧୯୯୫ରେ ଯେଉଁ ନିର୍ବାଚନ ହୋଇଥିଲା ସେଥିରେ ବିଜେପି-ଶିବସେନା ବିପୁଳ ଭୋଟରେ ବିଜୟୀ ହୋଇ ସରକାର ଗଠନ କରିଥିଲେ। ଏହି ସମୟରେ ବିଜେପି-ଶିବସେନା ଭିତରେ ସର୍ତ୍ତ ରହିଥିଲା। ଯାହାର ଅଧିକ ଆସନ ଆସିବ ସେ ମୁଖ୍ୟମନ୍ତ୍ରୀ ପଦ ନେବ ବୋଲି ସର୍ତ୍ତ ରହିଥିଲା। ଏହି ସର୍ତ୍ତ ଅନୁସାରେ ଶିବସେନା ନେଇଥିଲା ମୁଖ୍ୟମନ୍ତ୍ରୀ ପଦ।

ହେଲେ ଏହାପରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି-ଶିବସେନା ମେଣ୍ଟ ସରକାର ଗଠନ କରିପାରି ନଥିଲେ। କଂଗ୍ରେସ-ଏନ୍‌ସିପି ମେଣ୍ଟ ୧୯୯୯ରୁ ୨୦୧୪ ଯାଏଁ ସରକାରରେ ରହିଥିଲେ।

୨୦୧୪ରେ ବିଗିଡ଼ି ଗଲା ଗଣିତ

୨୦୧୪ରେ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିଲା। କିନ୍ତୁ ଆସନ ବୁଝାମଣାକୁ ନେଇ ଅଡୁଆ ଦେଖାଦେବାରୁ ବିଜେପି, ଶିବସେନା ଅଲଗା ଅଲଗା ନିର୍ବାଚନ ଲଢ଼ିଥିଲେ। ଏହି ନିର୍ବାଚନରେ ବିଜେପି ଅଧିକ ଆସନ ପାଇଥିଲା। ବିରୋଧୀ ଆସନରେ ବସିବାକୁ ଆମେ ପ୍ରସ୍ତୁତ ବୋଲି ସେତେବେଳେ ଘୋଷଣା କରିଥିଲେ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ। ହେଲେ ଆଲୋଚନା ପରେ ଶେଷରେ ବିଜେପି ସରକାରକୁ ସମର୍ଥନ ଦେଇଥିଲା ଶିବସେନା। ୨୦୧୪ରୁ ୨୦୧୯ ଯାଏଁ ସରକାର ଠିକ୍‌ ଠାକ୍‌ ଚାଲିଲା। ହେଲେ ଏବେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ସମ୍ପର୍କ ଭାଙ୍ଗି ଯାଇଛି।

୨୦୧୯ରେ ଭାଙ୍ଗିଲା ସମ୍ପର୍କ

୨୦୧୯ ନିର୍ବାଚନ ବିଗୁଲ ବାଜିବା ପୂର୍ବରୁ ବିଜେପି ଓ ଶିବସେନା ଭିତରେ ଆସନ ବୁଝାମଣା ହୋଇଥିଲା। ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ୧୦୫ ଓ ଶିବସେନା ୫୬ଟି ଆସନରେ ବିଜୟୀ ହୋଇଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଭାଗବଣ୍ଟା ଛିଣ୍ଡିଲାନି। ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ଅଢ଼େଇ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ପଦ ଦାବି କରିବାରୁ ବିଜେପି ଏଥିରେ ରାଜି ହେଲାନି। ଶେଷରେ ବିଜେପି ଓ ଶିବସେନା ଭିତରେ ୩୦ ବର୍ଷର ସମ୍ପର୍କ ତୁଟି ଯାଇଛି। ଶିବସେନା ଏନ୍‌ସିପି ଓ କଂଗ୍ରେସ ସହ ମିଶି ସରକାର ଗଠନ କରିବାକୁ ଅଣ୍ଟା ଭିଡ଼ିଛି।

Comment