ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଶିବସେନାକୁ କଂଗ୍ରେସ ସମର୍ଥନ ଦେବ କି ନାହିଁ ତାକୁ ନେଇ ଚାଲିଛି ମାନସମନ୍ଥନ।

ମହାରାଷ୍ଟ୍ରରେ କିଏ ଗଢ଼ିବ ସରକାର? ଏହି ସମସ୍ୟା ଏବେ ବି ସମାଧାନ ହୋଇପାରୁନି। ଏନ୍‌ସିପି ଓ କଂଗ୍ରେସ ସମର୍ଥନରେ ଶିବସେନା ସରକାର ଗଠନ କରିବାକୁ ଦମ୍ଭ ଦେଖାଉଥିଲେ ମଧ୍ୟ କଂଗ୍ରେସ ଏଯାଏଁ କୌଣସି ନିଷ୍ପତ୍ତି ନେଇପାରୁନି।

ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ସୋମବାର ସକାଳେ ଏନ୍‌ସିପି ମୁଖ୍ୟ ଶରଦ ପାୱାରଙ୍କ ସହ ଆଲୋଚନା କରିଥିଲେ। ଏନ୍‌ସିପି ସମର୍ଥନ ଦେବାକୁ ଘୋଷଣା କରିଥିବା ଶିବସେନା ପକ୍ଷରୁ କୁହାଗଲା। ଏହାପରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ କଥା ହେଲେ ଉଦ୍ଧବ ଠାକ୍‌ରେ।

କଂଗ୍ରେସ ଶିବସେନାକୁ ବାହାରୁ ସମର୍ଥନ ଦେବ ବୋଲି ଚର୍ଚ୍ଚା ହେଲା। ହେଲେ କଂଗ୍ରେସ ଏହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛି। ଶିବସେନାକୁ ସମର୍ଥନ ଦେବା ପାଇଁ କୌଣସି ନିଷ୍ପତ୍ତି ହୋଇ ନଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି।

ଶିବସେନାକୁ ସମର୍ଥନ ଦେଲେ କଂଗ୍ରେସର ଲାଭ କ’ଣ ହେବ ଏବଂ କ୍ଷତି କ’ଣ ହେବ ତାକୁ ନେଇ ମନ୍ଥନ ଚାଲିଛି। ସୋନିଆ ଏ ସମ୍ପର୍କରେ ମହାରାଷ୍ଟ୍ରର କଂଗ୍ରେସ ନେତାଙ୍କ ସହ ଆଲୋଚନା କରିଛନ୍ତି। ଏହାପରେ ସେ ଶରଦ ପାୱାରଙ୍କ ସହ ଆଲୋଚନା କରିବେ। ଆଲୋଚନା ପରେ କଂଗ୍ରେସ ସମର୍ଥନ ଦେବା ନଦେବା ଉପରେ ସ୍ପଷ୍ଟ କରିବ।

ଏପଟେ ଶିବସେନା ନେତା ଆଦିତ୍ୟ ଠାକ୍‌ରେ ଏବଂ ଏକନାଥ ସିନ୍ଦେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କେସାୟରିଙ୍କୁ ଭେଟିଛନ୍ତି। ସରକାର ଗଠନ ପାଇଁ ସେନା ଆଉ ଦୁଇ ଦିନ ସମୟ ମାଗଗିଥିଲା। ହେଲେ ଏହାକୁ ଖାରଜ କରି ଦେଇଛନ୍ତି ରାଜ୍ୟପାଳ। ଫଳରେ ଶିବସେନା ପାଇଁ ସଙ୍କଟ ଦେଖାଦେଇଛି।

ଗୋଟିଏପଟେ କଂଗ୍ରେସ ନିଷ୍ପତ୍ତି ନେବାରେ ବିଳମ୍ବ କରୁଥିବା ବେଳେ ଅନ୍ୟପଟେ ରାଜ୍ୟପାଳ ସରକାର ଗଠନ ପାଇଁ ସମୟ ନଦେବାକୁ ନେଇ ଶିବସେନା ଚିନ୍ତାରେ ପଡ଼ିଛି।

Comment