ଓଡ଼ିଶାଲାଇଭ୍ ବ୍ୟୁରୋ

ଅଧିକ ମଦ ଦୋକାନ ଖୋଲିବେ ରାଜ୍ୟ ସରକାର। ଏହାସହ ବିଭିନ୍ନ ମେଳା ମହୋତ୍ସବରେ ମଦ ବିକ୍ରି ପାଇଁ ଅସ୍ଥାୟୀ ଲାଇସେନ୍ସ ଦେବାକୁ ଅବକାରୀ ବିଭାଗ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିବା ପରେ ବିରୋଧୀ ଏହାକୁ ଅସ୍ତ୍ର କରିଛନ୍ତି। ଏହି ପଦକ୍ଷେପ ବନ୍ଦ କରିବା ଦାବିରେ ଗୃହ ହୁଲସ୍ତୁଲ୍‌ ହୋଇଛି।

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି, ‘‘ଏବେ ଆର୍ଥିକ ସଙ୍କଟ ଦେଇ ଗତି କରୁଛି ରାଜ୍ୟ। ଆଉ କିଛିଦିନ ପରେ ଓଭର ଡ୍ରାଫ୍ଟ ସ୍ଥିତି ଉପୁଜିବ। ରାଜସ୍ୱ ବଢ଼ାଇବା ପାଇଁ ରାଜ୍ୟ ସରକାର ଅଧିକ ମଦ ଦୋକାନ ଖୋଲିବା ଉପରେ ଗୁରୁତ୍ୱ ଦେଉଛନ୍ତି।’’

ଅବକାରୀ ବିଭାଗ ଜିଲ୍ଲାପାଳମାନଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ ରହିଛି ଯେ ୨୦୧୯-୨୦ ଅବକାରୀ ନୀତି ଅନୁଯାୟୀ ବିଭିନ୍ନ ମେଳା ମହୋତ୍ସବ ସମୟରେ ମଦ ବିକ୍ରି ପାଇଁ ଅସ୍ଥାୟୀ ଲାଇସେନ୍ସ ଦିଆଯାଉ।

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ମଦ ଦୋକାନ ଖୋଲା ନିଷ୍ପତ୍ତିକୁ ଜୋରଦାର ବିରୋଧ କରିଛନ୍ତି। ସେ କହିଛନ୍ତି ଯେ ମଦ ଦୋକାନ ଖୋଲି ସରକାର ଭିତିରିଆ ଭାବେ ୧୦ରୁ ୨୦ ଲକ୍ଷ ଟଙ୍କା ପାଉଛନ୍ତି। ଏ ସରକାର ଗରିବ ଓ ଦଳିତ ବିରୋଧୀ। ମଦ ପଇ ଲୋକେ ମରିଯିବାକୁ ଚାହୁଁଛନ୍ତି ସରକାର।

‘‘ଅଧିକ ମଦ ଦୋକାନ ଖୋଲିବା ଫଳରେ କେତେ ଲାଭ ଓ କେତେ କ୍ଷତି ହେଉଛି ତାହା ଆକଳନ କରିବା ଦରକାର। ତା’ ପରେ ମଦ ଦୋକାନ ଖୋଲାଯିବ କି ନାହିଁ ସେ ବିଷୟରେ ନିଷ୍ପତ୍ତି ନେଲେ ଭଲ’’, କହିଛନ୍ତି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ।

Comment