ଓଡ଼ିଶାଲାଇଭ ବ୍ୟୁରୋ

ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ରୋଗୀମାନଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ଥିବା ୧୦୮ ଆମ୍ବୁଲାନ୍ସର ଡ୍ରାଇଭର ଓ ଏଥିରେ ଡ୍ୟୁଟିରେ ଥିବା ଫର୍ମାସିଷ୍ଟଙ୍କୁ ମାତାଲ ଅବସ୍ଥାରେ ଦେଖିବାକୁ ମିଳିଛି।

ବୈଶିଙ୍ଗା ଥାନା ଅନ୍ତର୍ଗତ ଶାଳଗାଁ ଅଞ୍ଚଳର ଜଣେ ମହିଳାଙ୍କୁ ଅସୁସ୍ଥତା ଯୋଗୁଁ ବୈଶିଙ୍ଗା ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା। ତେବେ ଉକ୍ତ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ଡାକ୍ତର ତାଙ୍କୁ ବାରିପଦାଠାରେ ଥିବା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲକୁ ନେବା ପାଇଁ ପରାମର୍ଶ ଦେଇଥିଲେ।

ପରିବାର ପକ୍ଷରୁ ଏଥିପାଇଁ ୧୦୮ ଆମ୍ବୁଲାନ୍ସକୁ ଦିନ ୧୧ଟା ସମୟରେ ଯୋଗାଯୋଗ କରିଥିଲେ ସୁଦ୍ଧା ଆମ୍ବୁଲାନ୍ସ ଦିନ ୩ଟା ବେଳେ ଆସି ପହଞ୍ଚି ଥିଲା। ତେବେ ପରିବାର ଲୋକେ ଆମ୍ବୁଲାନ୍ସର ଡ୍ରାଇଭର ଓ ଫାର୍ମାସିଷ୍ଟଙ୍କ ଅବସ୍ଥା ଦେଖି ହତବାକ ହୋଇପଡିଥିଲେ। ଉଭୟ ଏତେ ପରିମାଣରେ ମଦ ପିଇଥିଲେ ଯେ ଠିକ ଭାବେ ନା କଥା କହି ପାରୁଥିଲେ ନା ଠିକଭାବେ ଚାଲି ପାରୁଥିଲେ।

ସେମାନଙ୍କର ଏପରି ଅବସ୍ଥା ଦେଖି ପରିବାର ପକ୍ଷରୁ ଭୟରେ ଉକ୍ତ ଆମ୍ବୁଲାନ୍ସରେ ବାରିପଦା ଯିବା ପାଇଁ ମନା କରିଦେଇଥିଲେ। ଏହି ଘଟଣା ପରେ ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ସେଠାରେ ଏହାର ପ୍ରତିବାଦ କରିଥିଲେ। ପରେ ବୈଶିଙ୍ଗା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ ତଦନ୍ତ ଆରମ୍ଭ କରିଛି।

Comment