ଓଡ଼ିଶାଲାଇଭ୍‌ ବ୍ୟୁରୋ

ସମ୍ପତ୍ତି ଲୋଭରେ ଭାଉଜଙ୍କୁ ହତ୍ୟା କଲା ଦିଅର। ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ବାରିପଦା ସଦର ଥାନା ଅନ୍ତର୍ଗତ ଲକ୍ଷ୍ମୀପୋଷି ଇନ୍ଦୁପାହି ଅଞ୍ଚଳରୁ। ହିସି ହେମ୍ବ୍ରମ ନାମ ଜଣେ ମହିଳାଙ୍କୁ ତାଙ୍କ ଦିଅର ହତ୍ୟା କରିଥିବା ଥାନାରେ ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ଭାଇ ରାଜେଶ ବାସ୍କେଙ୍କ ଏହି ଅଭିଯୋଗ କରିଛନ୍ତି।

ଅଭିଯୋଗ ପରେ ସଦର ଥାନା ପୁଲିସ୍ ମହିଳାଙ୍କ ଦିଅରକୁ ଥାନାରେ ଅଟକ ରଖି ପଚରାଉଚୁରା କରୁଥିବା ଆଇଆଇସି ସ୍ଵର୍ଣ୍ଣଲତା ମିଞ୍ଜ୍ ସୂଚନା ଦେଇଛନ୍ତି। ମୃତକଙ୍କର ସ୍ଵାମୀ ପୂର୍ବରୁ ମୃତ୍ୟୁବରଣ କରିସାରିଛନ୍ତି। ନିଜର କୌଣସି ପିଲାପିଲି ନଥିବାରୁ ମହିଳାଜଣଙ୍କ ଘରେ ଏକୁଟିଆ ରହୁଥିଲେ।

ପୂର୍ବରୁ ମଧ୍ୟ ମହିଳାଙ୍କ ସହିତ ତାଙ୍କ ସମ୍ପର୍କୀୟଙ୍କର ପାରିବାରିକ ବିବାଦ ରହିଥିବା ପୁଲିସ୍ ଜଣାପଡ଼ିଛି। ତେବେ ଗୁରୁବାର ସକାଳୁ ହିସି ମରିପଡ଼ିଥିବା ଦେଖିବାକୁ ମିଳିଥିଲା। କୌଣସି କ୍ଷତ ଚିହ୍ନ ନଥିବାରୁ ମହିଳାଙ୍କୁ ତଣ୍ଟି ଚିପି କିମ୍ବା ଅଣନିଶ୍ଵାସୀ କରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଏନେଇ ସଦର ଥାନାରେ କେସ୍ ନଂ-୧୫୪ ଆଧାରରେ ଏକ ହତ୍ୟା ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ପୁଲିସ୍ ପକ୍ଷରୁ ସୂଚନା ମିଳିଛି।

Comment