ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର ଉପକଣ୍ଠ କୌଶଲ୍ୟାଗଙ୍ଗସ୍ଥିତ କେନ୍ଦ୍ରୀୟ ମଧୁର ଜଳଜୀବ ଗବେଷଣା କେନ୍ଦ୍ରଠାରେ ତିନିଦିନିଆ ଚତୁର୍ଥ ପିଲ୍ଲେ ଜଳଜୀବ ପ୍ରତିଷ୍ଠାନ ଅଧିବେଶନ କଂଗ୍ରେସ ଉଦ୍‌ଘାଟିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ କେନ୍ଦ୍ର ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ପ୍ରାଣୀ ସମ୍ପଦ ବିକାଶ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ

ପ୍ରତାପ ଷଡ଼ଙ୍ଗୀ କହିଥିଲେ, ‘‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଅର୍ଥ ବ୍ୟବସ୍ଥାକୁ ପାଞ୍ଚ ଟ୍ରିଲିୟନ ଡଲାରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି। ଏହାସହ ୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ ଲକ୍ଷ୍ୟ ରହିଛି। ଏଥିପାଇଁ ଜଳଜୀବ କୃଷିର ବିକାଶ କ୍ଷେତ୍ରରେ ସମନ୍ୱିତ ଉଦ୍ୟମ ଅପରିହାର୍ଯ୍ୟ।’’

ଶ୍ରୀ ଷଡ଼ଙ୍ଗୀ ଆହୁରି କହିଥିଲେ, ‘‘ମଧୁର ଓ ଲୁଣି ଜଳଜୀବ ଚାଷ ସଂଲଗ୍ନ ବୈଷୟିକ ଜ୍ଞାନଗୁଡିକ ସମ୍ପର୍କରେ ସାଧାରଣ ମତ୍ସ୍ୟଚାଷୀମାନଙ୍କୁ ତାଲିମ ଦିଆଯିବା ଦରକାର। ରାଜ୍ୟର ବ୍ଲକସ୍ତରରେ ଘରୋଇ ଓ ସରକାରୀ ସହଭାଗୀତାରେ ଏଭଳି ତାଲିମ ପ୍ରତିଷ୍ଠାନମାନ ଖୋଲାଗଲେ ଜଳଜୀବ ଉତ୍ପାଦନ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିବା ସହ ଏଥିରେ ସମ୍ପୃକ୍ତ ଚାଷୀମାନଙ୍କ ମାନଦଣ୍ଡରେ ମଧ୍ୟ ଉନ୍ନତି ଘଟିବ।’’

ଆଇସିଏଆର-ସିଫାର ନିର୍ଦ୍ଦେଶକ ଡକ୍ଟର ବି ଆର ପିଲ୍ଲାଇ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହିତ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ସେ ତାଙ୍କ ଅଭିଭାଷଣରେ କହିଥିଲେ ଯେ ଆଧୁନିକ ଜଳଜୀବ କୃଷିର ଜନକ ଭାବେ ପରିଚିତ ଡକ୍ଟର ଟି.ଭି.ଆର ପିଲ୍ଲେଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ପିଲ୍ଲେ ଜଳଜୀବ ପ୍ରତିଷ୍ଠାନ ଅଧିବେଶନ କଂଗ୍ରେସ ଅନୁଷ୍ଠିତ ହେଉଛି।

କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଆଇସିଏଆରର ଉପ ମହାନିର୍ଦ୍ଦେଶକ ଡକ୍ଟର ଜେ କେ ଜେନା ଯୋଗ ଦେଇଥିଲେ। ସେ କହିଥିଲେ ଯେ ଭବିଷ୍ୟତର ଜଳଜୀବ କୃଷି ଜ୍ଞାନ ଆଧାରିତ ହେବା ଆବଶ୍ୟକ। କାରଣ ଉତ୍ପାଦନ ବୃଦ୍ଧି ସହିତ ଦିନକୁ ଦିନ ନିରାପଦ ତଥା ଉନ୍ନତମାନର ଖାଦ୍ୟର ଚାହିଦା ବୃଦ୍ଧି ପାଉଛି। ପ୍ରତିଷ୍ଠାନର ଏବିଆଇ ସୁବିଧାକୁ ସିଫାର ପ୍ରତିଷ୍ଠାତା ଡକ୍ଟର ଭିଆରପି ସିହ୍ନାଙ୍କ ନାମରେ ନାମିତ କରିବା ଲାଗି ସେ ଘୋଷଣା କରିଥିଲେ।

ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର ପବନ କୁମାର ଅଗ୍ରୱାଲ ଚାଷୀମାନଙ୍କୁ ନୀତିଗତ ସହାୟତା ଦେବା ଲାଗି ଆହ୍ୱାନ କରିଥିଲେ। କେନ୍ଦ୍ରରେ ନୂତନ ଭାବେ ମତ୍ସ୍ୟପାଳନ ମନ୍ତ୍ରାଳୟ ଗଠନ କରାଯାଇଥିବାରୁ ଏହା ଓଡ଼ିଶାରେ ମାଛ ଚାଷ ଲାଗି ଜ୍ଞାନ ଓ ଗବେଷଣାର ବିକାଶ ଦିଗରେ ସହାୟକ ହେବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ।

ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ସଚିବ ଆର ରଘୁପ୍ରସାଦ, ପିଏଏଫର ସଚିବ ଡକ୍ଟର ପି. କେଶବନାଥ, ଏଓଏର ସମ୍ପାଦକ ଡକ୍ଟର ପି ରାଉତରାୟ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ଶେଷରେ ପ୍ରମୁଖ ବୈଜ୍ଞାନିକ ତଥା ସହ ସମ୍ପାଦକ ଡକ୍ଟର ଏସ କେ ସ୍ୱାଇଁ ଧନ୍ୟବାଦ ଦେବା ସହିତ ତିନିଦିନିଆ ଅଧିବେଶନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ।

ଏହି ଅବସରରେ ମଧୁର ଓ ଲୁଣି ଜଳଜୀବ ଚାଷ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ସମ୍ବର୍ଦ୍ଧିତ କରିଥିଲେ।

କେନ୍ଦ୍ରମନ୍ତ୍ରୀ ସିଫାର ସ୍ମରଣିକା ଓ ଅନ୍ୟାନ୍ୟ ପୁସ୍ତିକା ସହିତ ଦୁଇଟି ମୋବାଇଲ ଆପ୍‌ ‘ଇଣ୍ଡ ଆକ୍ୱା’ ଓ ‘ଟ୍ରିଟ ମାଇ ଫିସ’ ହିନ୍ଦୀ, ଇଂରାଜୀ ଏବଂ ଓଡ଼ିଆ ଭାଷାରେ ଉନ୍ମୋଚନ କରିଥିଲେ। ଏହି କାର୍ଯ୍ୟକ୍ରମ ୧୭ ତାରିଖ ଯାଏଁ ଚାଲିବ।

Comment