ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏଣିକି ଗୋଟିଏ ଦିନରେ ମିଳିପାରେ ସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଦରମା। ଏନେଇ ମୋଦୀ ସରକାର ଆଣୁଛନ୍ତି ନୂଆ ଯୋଜନା। ‘ଓ୍ଵାନ୍‌ ନେସନ, ଓ୍ଵାନ୍‌ ପେ ଡେ’ ବ୍ୟବସ୍ଥା ମାଧ୍ୟମରେ ଏହାକୁ ଲାଗୁ କରାଯିବ। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ଵାର।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, “ଦରମା ମିଳିବା କ୍ଷେତ୍ରରେ ଗୋଟିଏ ସମାନ ବ୍ୟବସ୍ଥା ରହିବା ଦରକାର। ଏହା ଫଳରେ ସାରା ଦେଶରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀ ପ୍ରତି ମାସ ନିର୍ଦ୍ଧାରିତ ସମୟରେ ଦରମା ପାଇ ପାରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହାକୁ ସଂସଦରେ ମଞ୍ଜୁରି କରାଇବାକୁ ଇଚ୍ଛା ପ୍ରକାଶ କରିଛନ୍ତି।”

‘ଓ୍ଵାନ୍‌ ନେସନ, ଓ୍ଵାନ ପେ ଡେ’ ଲାଗୁ ହେବା ପରେ ସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଗୋଟିଏ ଦିନରେ ଦରମା ମିଳିବ। ବର୍ତ୍ତମାନ ଦରମା ମିଳିବାର କୌଣସି ଦିନ ଧାର୍ଯ୍ୟ ନାହିଁ। ସଂସ୍ଥା କର୍ମଚାରୀଙ୍କ ସୁବିଧା ହିସାବରେ ମାସର ଯେକୌଣସି ତାରିଖରେ ଦରମା ପ୍ରଦାନ କରୁଛନ୍ତି।

ଏହାଛଡ଼ା ସରକାର ୟୁନିଫର୍ମ ମିନିମମ୍‌ ଓ୍ଵେଜ୍‌ ପୋଗ୍ରାମ ଲାଗୁ କରିବା ଦିଗରେ ମଧ୍ୟ କାମ କରୁଛନ୍ତି। ଏହାସହ ବୃତ୍ତିଗତ ସୁରକ୍ଷା, ସ୍ଵାସ୍ଥ୍ୟ ଓ କାର୍ଯ୍ୟସ୍ଥଳରେ ସ୍ଥିତି(ଓଏସଏଚ୍‌) କୋଡ୍‌ ଓ ବେତନ କୋଡ୍‌ ଲାଗୁ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି।

Comment