ଓଡ଼ିଶାଲାଇଭ୍ ବ୍ୟୁରୋ

  • ତିନି ଜଣ ପୋଲିସ ଡିଆଇଜିଙ୍କୁ ନେଇ ଏସ୍‌ଆଇଟି ଗଠନ
  • ଡିସେମ୍ବର ୧୬ ସୁଦ୍ଧା ରିପୋର୍ଟ ଦେବ ଏସ୍‌ଆଇଟି
  • ଖାରବେଳ ସ୍ୱାଇଁ ଏବଂ ପୀଡ଼ିତାଙ୍କ ମା’ କରିଥିଲେ ଆବେଦନ

ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାର ଏସ୍ଆଇଟି ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ଘଟଣାର ତଦନ୍ତ ପାଇଁ କୋର୍ଟ ତିନିଜଣ ଡିଆଇଜିଙ୍କୁ ନେଇ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ (ଏସ୍ଆଇଟି) ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଘଟଣାର ତଦନ୍ତ କରି ଡିସେମ୍ବର ୧୬ ତାରିଖ ସୁଦ୍ଧା ନିଜ ରିପୋର୍ଟ ଦେବ। ରିପୋର୍ଟ ମିଳିବା ପରେ ହିଁ  ସେହିଦିନ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ହାଇକୋର୍ଟ ସୋମବାର ଶୁଣାଣି କରିଛନ୍ତି।

ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମକୁ ନେଇ ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ ଓ ପୀଡ଼ିତାଙ୍କ ମା’ ଡମାଇ ଛାଟି ହାଇକୋର୍ଟରେ ପିଟିସନ ଦାଖଲ କରିଥିଲେ। ଏହି ଆବେଦନର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ କେ.ଏସ୍. ଜାଭେରୀ ଏବଂ ବିଚାରପତି ଜଷ୍ଟିସ୍ କେଦାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ସୋମବାର ଏହି ନିର୍ଦ୍ଦେଶ ଦେଇଛନ୍ତି।

ଗତ ଅଗଷ୍ଟ ୨ ତାରିଖରେ କୁନ୍ଦୁଲି ମାମଲାର ଶୁଣାଣି ବେଳେ ହାଇକୋର୍ଟ କ୍ରାଇମବ୍ରାଞ୍ଚ୍ ତଦନ୍ତକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହାସହ ଏକ ମାସ ଭିତରେ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ (ଏସ୍ଆଇଟି) ଗଠନ ଲାଗି କିଛି ଅଧିକାରୀଙ୍କ ନାଁ ପ୍ରସ୍ତାବ ଦେବାକୁ କୋର୍ଟ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।  ସେପ୍ଟେମ୍ବର ୪ ତାରିଖରେ କ୍ରାଇମବ୍ରାଞ୍ଚ  ବନ୍ଦ ଲଫାପାରେ ହାଇକୋର୍ଟରେ ତଦନ୍ତ ରିପୋର୍ଟ ଦାଖଲ କରିଥିଲା।

୨୦୧୭ ମସିହା ଅକ୍ଟୋବର ୧୦ ତାରିଖରେ କୋରାପୁଟ ଜିଲ୍ଲା କୁନ୍ଦୁଲି ଗ୍ରାମପଞ୍ଚାୟତର ସୋରିଷପଦର ଜଙ୍ଗଲରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। ଯବାନମାନଙ୍କ ୟୁନିଫର୍ମରେ ୪ ଜଣ ବ୍ୟକ୍ତି ଏପରି କରିଥିବା ପୀଡ଼ିତା ଜଣକ ଅଭିଯୋଗ କରିଥିଲେ। ନବମ ଶ୍ରେଣୀରେ ପଢୁଥିବା ଏହି ପୀଡ଼ିତାଙ୍କୁ ଉଚିତ୍ ନ୍ୟାୟ ନମିଳିବା କାରଣରୁ ୨୦୧୮ ଜାନୁଆରୀ ୨୨ ତାରିଖରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିଲେ।

ପୀଡ଼ିତାଙ୍କ ଆତ୍ମହତ୍ୟା ପରେ  ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେବା ସହ ବିଚାର ବିଭାଗୀୟ ତଦନ୍ତ କମିସନ ବସାଇଥିଲେ। ପରେ ଏହି ଘଟଣାକୁ ନେଇ ହାଇକୋର୍ଟରେ ୭ଟି ମାମଲା ରୁଜୁ ହୋଇଥିଲା। ସେଥିମଧ୍ୟରୁ ୪ଟି ମାମଲା ପ୍ରତ୍ୟାହୃତ ହୋଇଯାଇଥିଲା ବେଳେ ଗୋଟିଏ ମାମଲାକୁ ହାଇକୋର୍ଟ ଖାରଜ କରି ଦେଇଥିଲେ। ଏବେ ଆଉ ବାକିଥିବା ଦୁଇଟି ମାମଲାର ଶୁଣାଣି କରି ହାଇକୋର୍ଟ ଏସ୍ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

Comment