ଓଡ଼ିଶାଲାଇଭ ବ୍ୟୁରୋ

ବାରିପଦା ଟାଉନ ଥାନା ପୋଲିସ ଷ୍ଟେସନର ସବ୍‌ଇନ୍ସପେକ୍ଟର ଦୟାନିଧି ଦାସଙ୍କ ବାଇକ ଧକ୍କାରେ ମୃତ୍ୟୁ ହୋଇଥିଲା। କାର୍ଯ୍ୟରତ ସମୟରେ ଏଭଳି ଅଘଟଣ ଘଟିଥିଲା। ମୃତ୍ୟୁ ପରେ ତାଙ୍କୁ ମୟୂରଭଞ୍ଜ ଜିଲ୍ଲାର ରିଜର୍ଭ ପୋଲିସ କାର୍ଯ୍ୟଳୟ ପରିସରରେ ଗାର୍ଡ ଅଫ ଅନର ଦିଆଯାଇଥିଲା। ପରେ ପରିବାରକୁ ମୃତଦେହ ହସ୍ତାନ୍ତର କରାଯାଇଥିଲା।

ଏହି ସମୟରେ ପୂର୍ବାଞ୍ଚଳ ଆଇଜି ଦିପ୍ତେଶ ପଟ୍ଟନାୟକ, ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ସ୍ମିଥ ପି ପରମାରଙ୍କ ସମେତ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ, ପୋଲିସ କର୍ମଚାରୀ, ଜିଲ୍ଲା ଓକିଲ ସଂଘ, ଆଇନ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ସମେତ ବହୁ ବରିଷ୍ଠ ନାଗରିକମାନେ ଉପସ୍ଥିତ ରହି ଶ୍ରଦ୍ଧାଞଳି ଦେଇଥିଲେ।

ଏହି ଅବସରରେ ତାଙ୍କର ଅମର ଆତ୍ମାର ସଦଗତି କାମନା କରି ଦୁଇ ମିନିଟ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା। ଏହାପରେ ମୃତ ପୋଲିସ ଅଧିକାରୀଙ୍କ ମର ଶରୀରକୁ ତାଙ୍କର ବାଲେଶ୍ଵର ଜିଲ୍ଲାର ପୈତୃକ ଗ୍ରାମକୁ ପଠାଇ ଦିଆଯାଇଥିଲା।

ସ୍ଥାନୀୟ ତକତପୁର ନିକଟରେ ନିଜ ଟିମ୍ ସହିତ ଗାଡି ଚେକିଂ କରୁଥିଲେ ପୁଲିସ୍ ଏସ୍ଆଇ ଦୟାନିଧି ଦାସ। ଗାଡ଼ି ଚେକିଂ ସମୟରେ ଏସ୍‌ଆଇ ଦୟାନିଧି ଦାସ ଗୋଟେ ଗାଡ଼ିକୁ ରୋକିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଗାଡ଼ି ଆରୋହୀ ଖସିବାକୁ ଉଦ୍ୟମ କରି ଦୟାନିଧି ଦାସଙ୍କୁ ଧକ୍କା ଦେଇଥିଲେ। ଘଟାସ୍ଥଳରେ ଏସ୍‌ଆଇ ଜଣକ ଗୁରୁତର ଭାବେ ଆହତ ହୋଇଥିଲେ।

ସଙ୍ଗେ ସଙ୍ଗେ ତାଙ୍କୁ ପିଆରଏମ୍ ହସ୍ପିଟାଲକୁ ନିଆଯାଇଥିଲା। ଗୁରୁତର ଅବସ୍ଥାରେ ଥିବା ପୋଲିସ ଅଧିକାରୀଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ଘଟାଇଥିବା ମୋଟର ସାଇକେଲ୍ ଚାଳକଙ୍କୁ ଗାଡି ସହିତ ଅଟକ ରଖାଯାଇ ଆଜି ତାଙ୍କ ନାମରେ ଏକ ମାମଲା ରୁଜୁ କରାଯାଇ ସମ୍ପୃକ୍ତ ଦୁର୍ଘଟଣା ଘଟାଇଥିବା ଯୁବକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

Comment