ଓଡ଼ିଶାଲାଇଭ୍ ବ୍ୟୁରୋ

ସୋସିଆଲ୍ ମିଡିଆରେ ଲିଙ୍କ୍ ହେବନି ଆଧାର କାର୍ଡ। ବୁଧବାର ଏନେଇ ଲୋକସଭାରେ କେନ୍ଦ୍ର ସରକାର ସ୍ପଷ୍ଟ ଉତ୍ତର ରଖିଛନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ଆଧାର ଲିଙ୍କ୍ ହେବାକୁ ନେଇ କୌଣସି ଯୋଜନା ନଥିବା କହିଛନ୍ତି କେନ୍ଦ୍ର ସରକାର। ଏହାପୂର୍ବରୁ ସୁପ୍ରିମକୋର୍ଟ ମଧ୍ୟ ସୋସିଆଲ ମିଡିଆରେ ଆଧାର ଲିଙ୍କ୍ ହେବା ଆବେଦନକୁ ଖାରଜ କରିସାରିଛନ୍ତି।

ସୋସିଆଲ ମିଡିଆରେ ଆଧାର କାର୍ଡକୁ ଲିଙ୍କ୍ କରିବା ପାଇଁ ବହୁ ଦିନରୁ ଚର୍ଚ୍ଚା ହୋଇଆସୁଛି। ଏହାଦ୍ୱାରା ଫେସବୁକ୍, ଇନଷ୍ଟାଗ୍ରାମ୍, ଟୁଇଟର, ମେସେଞ୍ଜର ଭଳି ସୋସିଆଲ୍ ସାଇଟରେ ଥିବା ଫେକ୍ ଆକାଉଣ୍ଟକୁ ରୋକିବା ସହଜ ହେବ। ଏହାସହ ମିଛ ଖବରକୁ ଭାଇରାଲ୍ ହେବାରୁ ରୋକାଯାଇପାରିବ ବୋଲି କୁହାଯାଉଛି।

ଭାରତୀୟ ଜନତା ପାର୍ଟିର ନେତା ତଥା ଓକିଲ ଅଶ୍ୱିନୀ ଉପାଧ୍ୟାୟ ଏନେଇ ସେପ୍ଟେମ୍ବରରେ ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ। ଯେଉଁଥିରେ ଫେକ୍ ଆକାଉଣ୍ଟକୁ ରୋକିବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ନିୟମ ଆଣିବାକୁ କୁହାଯାଇଥିଲା। ଏହି ଆବେଦନକୁ ଜଷ୍ଟିସ୍ ଦୀପକ ଗୁପ୍ତା ଓ ଜଷ୍ଟିସ୍ ଅନିରୁଦ୍ଧ ବୋଷଙ୍କୁ ନେଇ ଗଠିତ୍ ଦୁଇ ଜଣିଆ ଖଣ୍ଡପୀଠ ଖାରଜ କରିଦେଇଥିଲା। ଏହା ଲୋକଙ୍କ ବ୍ୟକ୍ତିଗତ ବ୍ୟାପାର ସହ ଜଡ଼ିତ ଥିବାରୁ  କୋର୍ଟ ଏହାକୁ ଖାରଜ କରିଦେଇଥିଲେ। ଏନେଇ କେନ୍ଦ୍ର ସରକାର ଓ ପରିଚୟ ପତ୍ର ବିଭାଗ ସହ ଆଲୋଚନା କରାଯିବ ବୋଲି ସୁପ୍ରିମକୋର୍ଟ କହିଥିଲେ।

Comment