ଓଡ଼ିଶାଲାଇଭ୍‌ ବ୍ୟୁରୋ

ସରିଲା ଐତିହାସିକ ବାଲିଯାତ୍ରା। ଏଥର ଜମିଛି ବେପାର। ୯ ଦିନରେ ୧୦୦ କୋଟିର ବ୍ୟବସାୟ କଲେ ବ୍ୟବସାୟୀ।

କଟକ: ୨ହଜାରରୁ ଅଧିକ ବ୍ୟବସାୟୀ। ପ୍ରତିଦିନ ଲକ୍ଷାଧିକ ଲୋକଙ୍କ ଗହଳିଚହଳି। କୋଟି କୋଟି ଟଙ୍କାର କିଣାବିକା। ଏହି ୯ଦିନିଆ କିଣାବିକାରେ ଐତିହାସିକ ତଥା ରାଜ୍ୟସ୍ତରୀୟ ବାଲିଯାତ୍ରା ମହୋତ୍ସବ ଆଜି ସରିଛି। ମେଳାରେ ଏଥର ବେପାର ବି ବେଶ୍ ଜମାଣିଆ ହୋଇଛି। ଉଠା ଦୋକାନୀଙ୍କଠାରୁ ଆରମ୍ଭ କରି ବଡ ବ୍ୟବସାୟୀଙ୍କ ମୁହଁରେ ହସ ଫୁଟିଛି। ଆକଳନ କହୁଛି, ନ’ ଦିନରେ ୭୦କୋଟି ଟଙ୍କାର କିଣାବିକା ହୋଇଛି। କେବଳ ଓରମାସ୍ ବ୍ୟବସାୟ ୧୫କୋଟି ଛୁଇଁଛି।

ଗତ ୧୨ତାରିଖରୁ ଆରମ୍ଭ ହୋଇଥିବା ବାଲିଯାତ୍ରା ଏଥର ଥିଲା ସ୍ୱତନ୍ତ୍ର। ମେଳାର ୧୦ଦିନ ପୂର୍ବରୁ ଏହାକୁ ରାଜ୍ୟସ୍ତରୀୟ ମହୋତ୍ସବ ଭାବେ ରାଜ୍ୟ ସରକାର ଘୋଷଣା କରିଥିଲେ। ଏହାଛଡ଼ା ଦିନକୁ ଦିନ ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଏଥର ବାଲିଯାତ୍ରା ୧୦ ଦିନକୁ ବୃଦ୍ଧି କରାଯାଇଥିଲା। ଯେଉଁଠି ଉପର ଓ ତଳ ପଡ଼ିଆ ମିଶି ୪୦ ଏକର ଜମି ଲିଜ୍ ନିଆ ଯାଏ ସେଠାରେ ଆହୁରି ୧୦ଏକର ଜମି ନେଇଥିଲା କଟକ ଜିଲ୍ଲା ପ୍ରଶାସନ।

ଉପର ପଡ଼ିଆରେ ସମ୍ପୂର୍ଣ୍ଣ କିଲା ପଡ଼ିଆ ଏବଂ ତଳ ପଡ଼ିଆ କାର୍ତ୍ତିକେଶ୍ୱର ଗଡାଠାରୁ ଆରମ୍ଭ କରି ସିସୋର୍ ଗଡା ପର୍ଯ୍ୟନ୍ତ ଲମ୍ବିଥିଲା। ଏହାସହ ୩ଟି ସାଂସ୍କୃତିକ ମଞ୍ଚ, ପ୍ରତିଦିନ ଷ୍ଟାର୍ ଆକର୍ଷଣ ଏବଂ ସବୁପରେ ପଥୋତ୍ସବକୁ ନେଇ ମେଳାର ଗୁରୁତ୍ୱ ବଢିଥିଲା। ୯ ଦିନର ମେଳା ଭିତରେ ତିନି ଦିନ ଛୁଟି ପଡିଥିଲା। ୧୨ତାରିଖ ଉଦ୍‌ଘାଟନୀ ଉତ୍ସବ, ୧୭ତାରିଖ ରବିବାର ଏବଂ ୨୦ ତାରିଖ ପ୍ରଥମାଷ୍ଟମୀ ଛୁଟିରେ ଲୋକେ ମନଇଛା ମେଳା ବୁଲିବା ସହ କିଣାବିକା ମଧ୍ୟ କରିଥିଲେ।

ପ୍ରଥମେ ପ୍ଲଟ ବଣ୍ଟନକୁ ନେଇ ବିଭ୍ରାଟ ଉପୁଜିଥିଲା ଏବଂ ପ୍ରକୃତ ବ୍ୟବସାୟୀଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଥିଲା। ହେଲେ ପରେ ପୂବ ବର୍ଷ ଅପେକ୍ଷା ଏଥର ଯଥେଷ୍ଟ ସଂଖ୍ୟାରେ ଲୋକ ବାଲିଯାତ୍ରାକୁ ଆସିଥିବାରୁ ସମସ୍ତେ ଭଲ ବେପାର କରିବାର ସୁଯୋଗ ପାଇଥିଲେ। ପ୍ରଥମ ଚାରି ଦିନ ଛାଡିଲେ ବଳକା ୫ଦିନ ବାଲିଯାତ୍ରା ପଡିଆ ଜନସମାଗମରେ ଉଛୁଳି ପଡିଥିଲା। ବିଶେଷ କରି ରବିବାର ପରିସ୍ଥିତି ଏମିତି ହେଲା କି ବାଲିଯାତ୍ରା ପାଇଁ ହୋଇଥିବା ପାର୍କିଂ ଷ୍ଟାଣ୍ଡ୍ ଫୁଲ୍ ହୋଇଯାଇଥିଲା।

ସେହିପରି ଆଜି ଶେଷ ଦିନରେ ବାଲିଯାତ୍ରାରେ ଜନସମୁଦ୍ର ଦେଖିବାକୁ ମିଳିଛି। ଉପର ଓ ତଳ ପଡିଆରେ ଲୋକେ ଛିଡା ହେବାକୁ ଜାଗା ନଥିଲା। ତେବେ ମୋଟ୍ ଉପରେ କହିବାକୁ ଗଲେ, ୯ ଦିନର ଏହି ମେଳାରେ ପ୍ରାୟ ୭୦କୋଟିରୁ ଅଧିକ ଟଙ୍କାର କାରବାର ହୋଇଥିବା ଆକଳନରୁ ଜଣାପଡିଛି। ଏଥର ଷ୍ଟଲ୍ ସଂଖ୍ୟା ବୃଦ୍ଧି ହୋଇ ହୋଇଥିବା ବେଳେ ଉଠା ବ୍ୟବସାୟୀଙ୍କୁ ମିଶାଇ ପ୍ରାୟ ୨ହଜାର ବେପାରି ବାଲିଯାତ୍ରାରେ ସାମିଲ୍ ହୋଇଥିଲେ। ଉଭୟ ଉପର ଓ ତଳ ପଡ଼ିଆ ମିଶି ୯୩୧ଟି ଷ୍ଟଲ୍ ହୋଇଥିଲା।

ଏହାବ୍ୟତୀତ ୬୬ଟି ଭେଣ୍ଡିଂଜୋନ୍ କରାଯାଇଛି। ପ୍ରତିବର୍ଷ ତୁଳନାରେ ଓରମାସର ଆକାର ମଧ୍ୟ ବୃଦ୍ଧି କରାଯାଇ ୪୧୦ଟି ଷ୍ଟଲ୍ କରାଯାଇଥିଲା। ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଭିନ୍ନକ୍ଷମଙ୍କ ପାଇଁ ୪୦ଟି, କିନ୍ନରଙ୍କ ପାଇଁ ୧୦ଟି ଷ୍ଟଲ୍‌ର ସୁବିଧା କରାଯାଇଥିଲା। ଅଅଯଫକ୍ଷରେ ୯ଟି କମ୍ପାନୀ ପକ୍ଷରୁ ୩୫ଟି ଦୋଳି,ଝୁଲା ଓ ଟୟଟ୍ରେନ୍ ବାଲିଯାତ୍ରାର ଆକର୍ଷଣକୁ ବୃଦ୍ଧି କରିଥିଲା।

Comment