ଓଡ଼ିଶାଲାଇଭ୍‌ ବ୍ୟୁରୋ


ପ୍ରଥମ ଥର ପାଇଁ ରଙ୍ଗୀନ ରଙ୍ଗମଞ୍ଚରେ ଝଟକିବ କେନ୍ଦ୍ରାପଡ଼ାର ଭିତରକନିକା ମହୋତ୍ସବ। ବିଶ୍ୱପ୍ରସିଦ୍ଧ ଭିତରକନିକାକୁ ଅତି ନିକଟରୁ ଦର୍ଶକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ରାଜ୍ୟସରକାର ପ୍ରୋତ୍ସାହନ ଯୋଗାଇ ଦେଇଛନ୍ତି। ତିନି ଦିନ ଧରି ହେବାକୁ ଥିବା ଏହି ମହୋତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରର କଳାକାରମାନେ ଭାଗ ନେବେ।

ରାଜ୍ୟ ପର୍ଯ୍ୟଟନ ବିଭାଗର ଉଦ୍ୟମରେ ଚଳିତବର୍ଷ ଭିତରକନିକା ମହୋତ୍ସବ ପାଳନ କରାଯିବାକୁ ରାଜ୍ୟ ସରକାର କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନକୁ ଅବଗତ କରିବାପରେ ଆରମ୍ଭ ହୋଇଛି ତତ୍ପରତା। ଏହି ଉତ୍ସବକୁ ଅଧିକ ସରସ ସୁନ୍ଦର କରିବାକୁ ରାଜ୍ୟ ଖଣି ନିଗମ ସହାୟତାର ହାତ ବଢ଼ାଇଛି। ପର୍ଯ୍ୟଟନ ବିଭାଗ ୧୦ ଲକ୍ଷ ଟଙ୍କା ଦେଇଥିବା ବେଳେ ଖଣି ନିଗମ ୨୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି।

ଏହି ଉତ୍ସବ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକର ଡାଙ୍ଗମାଳ ମୁଖ୍ୟ ରାସ୍ତା ପାର୍ଶ୍ଵରେ ଅନୁଷ୍ଠିତ ହେବ ବୋଲି ପ୍ରାଥମିକ ସ୍ତରରେ ଆଲୋଚନା କରାଯାଇଛି। ଶୀତ ଋତୁରେ ଏହି ସ୍ଥାନକୁ ଦେଶ ବିଦେଶରୁ ଅଧିକ ପର୍ଯ୍ୟଟକମାନେ ଆସୁଥିବାରୁ ଏହି ସମୟକୁ ପ୍ରକୃଷ୍ଟ ସମୟ ବୋଲି ଧରାଯାଇଛି। ତେଣୁ ୨୦୨୦ ଜାନୁଆରି ମାସର ୧୨ ,୧୩  ଓ ୧୪ ତାରିଖରେ ଏହି ଉତ୍ସବ ପାଳନ କରାଯିବ ବୋଲି ଦିନ ଧାର୍ଯ୍ୟ ହୋଇଛି।

ଏହି ମହୋତ୍ସବରେ ରାଜ୍ୟ ଓ ରାଜ୍ୟ ବାହାରର କଳା ନୈପୂଣ୍ୟ ପ୍ରଦର୍ଶନ କରାଯିବ। ଏହାଛଡ଼ା ଭିତରକନିକାର ବୈଭବ ସମ୍ପର୍କରେ ବହୁ ପରିବେଶବିତ ଓ ଗବେଷକମାନଙ୍କ ଦ୍ୱାରା ଚର୍ଚ୍ଚା ଆଲୋଚନା କରାଯିବ । ଦୈନିକ ଅନୁନ୍ୟ ୨୦ ହଜାର ଜନ ସାଧାରଣ ଓ ପର୍ଯ୍ୟଟକ ଯେପରି ଏଥିରେ ଭାଗନେଇ ପାରିବେ ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।

କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ପ୍ରସ୍ତୁତି ବୈଠକରେ ରାଜନଗର ବିଧାୟକ ଧୃବ ସାହୁ, ରାଜନଗର ବନଖଣ୍ଡ ଅଧିକାରୀ ବିକାଶ ରଞ୍ଜନ ଦାଶ, କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର , ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ନିରୋଦ କୁମାର ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ ଚନ୍ଦ୍ରକାନ୍ତ ନାୟକ, ରାଜନଗର ବିଡିଓ ମନ୍ଦରଧର ମାହାଳି, ତହସିଲଦାର ଦ୍ୱିବେନ୍ଦୁ ଦାଶ କେନ୍ଦ୍ରାପଡ଼ା ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ମହାନ୍ତି ପ୍ରମୁଖ ଯୋଗଦେଇଥିଲେ ।

Comment