ଓଡ଼ିଶାଲାଇଭ୍‌ ବ୍ୟୁରୋ

ବରଗଡ଼ରୁ ଜୟପୁରକୁ ଡେଇଁଲା ଚାଷୀ ଆନ୍ଦୋଳନ। ଖରିଫ ଧାନ ବିକିବାକୁ ଅନ୍‌ଲାଇନ ଟୋକନ୍‌ ବିକ୍ରି ବ୍ୟବସ୍ଥାକୁ ବିରୋଧ କରି କିଛିଦିନ ହେବ ପଶ୍ଚିମ ଓଡ଼ିଶାରେ ଚାଷୀ ଆନ୍ଦୋଳନ ଜୋର ଧରିଛି। ତେବେ ବୁଧବାର ଏହି ଟୋକନ୍‌ ବ୍ୟବସ୍ଥାକୁ ବିରୋଧ କରି କୋରାପୁଟ ଜିଲ୍ଲା ଜୟପୁରଠାରେ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ଧାନ ବିକିବାକୁ ଅନ୍‌ଲାଇନ ଟୋକନ୍‌ ବିକ୍ରି ବ୍ୟବସ୍ଥାକୁ ବିରୋଧ କରି ଏହି ଆନ୍ଦୋଳନ କରିଛନ୍ତି କୋରାପୁଟ ଜିଲ୍ଲା ଚାଷୀ। ଜୟପୁର ଆରଏମସି ପରିସରରେ ଚାଷୀ ମନୋଜ ପାତ୍ରଙ୍କ ଆହ୍ୱାନରେ ଶହଶହ ଚାଷୀ ଏକତ୍ରିତ ହୋଇଥିଲେ।

ତାଙ୍କ ଦାବି ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଖରିଫ ଧାନ ବିକ୍ରି ପାଇଁ ରାଜ୍ୟସ୍ତରୀୟ ଟୋକନ୍‌ ବ୍ୟବସ୍ଥା ଦ୍ୱାରା ଚାଷୀ ବହୁ ହଇରାଣ ଓ କ୍ଷତିଗ୍ରସ୍ତ ହେବେ। ତେଣୁ ତୁରନ୍ତ ଟୋକେନ୍‌ ବ୍ୟବସ୍ଥା ଉଚ୍ଛେଦ କରି ଧାନ ମଣ୍ଡି ଆରମ୍ଭ କରାଯାଉ, ଧାନ କ୍ରୟ କରାଯାଉ, ଧାନ ମଣ୍ଡିରେ ହିଁ ଭେଣ୍ଡର ରସିଦ ଦେବାର ବ୍ୟବସ୍ଥା କରାଯାଉ, ଜଳ ସେଚିତ ଓ ଅଣ ଜଳ ସେଚିତ ଜମିରେ ଉତ୍ପାଦିତ ଧାନ ବିକ୍ରି ତାରତମ୍ୟ ଉଚ୍ଛେଦ କରାଯାଉ ଓ ଧାନ ମଣ୍ଡିଗୁଡିକର ଭିତ୍ତି ଭୂମିର ଉନ୍ନତି କରାଯାଉ।

ଏହି ଆନ୍ଦୋଳନରେ ଜୟପୁର ଉପଖଣ୍ଡର କୁନ୍ଦୁରା, ବୈପାରିଗୁଡା, ବୋରିଗୁମ୍ମା, କୋଟପାଡର ଓ ଜୟପୁରର ଚାଷୀମାନେ ଉପସ୍ଥିତ ରହିଥିଲେ। ଗତ ୧୫ ତାରିଖରେ ଖରିଫ ମଣ୍ଡି ଉଦ୍‌ଘାଟିତ ହୋଇଛି। ଜିଲ୍ଲାପାଳ ମଧୁ ସୂଦନ ମିଶ୍ର ଏହି ମଣ୍ଡି କୁ ଉଦ୍‌ଘାଟିତ କରିଥିଲେ।

୨୦୧୯-୨୦ ଆର୍ଥକ ବର୍ଷ ଖରିଫ ଋତୁ ପାଇଁ ଜିଲ୍ଲାରୁ ମୋଟ ୧୩ ଲକ୍ଷ ୫୩ ହଜାର କୁଇଣ୍ଟାଲ ଧାନ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି। ଏହି ଧାନ ସଂଗ୍ରହ ଲାଗି ଜୟପୁର ଉପଖଣ୍ଡରେ ୬୫ ଓ କୋରାପୁଟ ଉପଖଣ୍ଡରେ ୨୬ଟି ମଣ୍ଡିରେ ଧାନ ସଂଗ୍ରହ ହେବା ନେଇ ପ୍ରଶାସନ ପ୍ରସ୍ତୁତି ଚଳାଇଛି।  ସରକାର ଚଳିତ ବର୍ଷ ଧାନ ପ୍ରତି କୁଇଣ୍ଟାଲ ପିଛା ୧ ହଜାର ୮୧୫ ଟଙ୍କା ରଖିଛନ୍ତି।

Comment