ଓଡ଼ିଶାଲାଇଭ୍ ବ୍ୟୁରୋ

ମନ୍ତ୍ରୀଙ୍କୁ ପ୍ରଶ୍ନବାଣରେ ଘାଇଲା କରୁଛନ୍ତି ବିଜେଡି ବିଧାୟକ ପ୍ରଦୀପ ମହାରଥୀ।

ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କୁ ବିଧାନସଭାରେ ନୂଆ ଅବତାରରେ ଦେଖିବାକୁ ମିଳୁଛି। ଶାସକ ଦଳ ସଭ୍ୟ ହୋଇ ସେ ମନ୍ତ୍ରୀଙ୍କୁ ପ୍ରଶ୍ନବାଣରେ ଅଡୁଆରେ ପକାଉଛନ୍ତି। ଗତ କାଲି ମହାରଥୀ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଟାର୍ଗେଟ କରିଥିବା ବେଳେ ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ଟାର୍ଗେଟ କରିଥିଲେ।

ପ୍ରଶ୍ନକାଳ ଚାଲିଥିବା ବେଳେ ମହାରଥୀ ସ୍କୁଲ ଓ ଗଣଶିକ୍ଷା ବିଭାଗ ଉପରେ ପ୍ରଶ୍ନ କରିଥିଲେ। ମହାରଥୀ ଦୁଇଟି ପ୍ରଶ୍ନ ପଚାରିଥିଲେ।

ମହାରଥୀ ପଚାରିଥଲେ – ପ୍ରତି ସ୍କୁଲରେ ଶୌଚାଳୟ ବ୍ୟବସ୍ଥା ଅଛି। ହେଲେ ପାନୀୟ ଜଳର ବ୍ୟବସ୍ଥା ଅଛି କି? ଶୌଚାଳୟ ସଫା କରିବା ପାଇଁ ସୁଇପର୍‌ ନିଯୁକ୍ତି ବ୍ୟବସ୍ଥା କରିବେ କି?

ଏହାର ଉତ୍ତରରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଥିଲେ, ‘‘ପ୍ରତି ସ୍କୁଲରେ ପାନୀୟ ଜଳର ବ୍ୟବସ୍ଥା ଅଛି। ପିଲାଙ୍କୁ ପାନୀୟ ଜଳ ଯୋଗାଇ ଦିଆଯାଉଛି। ଶୌଚାଳୟ ସଫା ହେଉଛି।’’

ତେବେ ମହାରଥୀ ଯେଉଁ ଢଙ୍ଗରେ ପ୍ରଶ୍ନ କରିଥିଲେ ତାହା ବିରୋଧୀ ସଭ୍ୟଙ୍କଠାରୁ କିଛି କମ୍‌ ନୁହେଁ ବୋଲି ଚର୍ଚ୍ଚା ହେଉଛି।

ମହାରଥୀ ଗତକାଲି ପାନୀୟ ଜଳ ଯୋଗାଣ ମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ। ପ୍ରତି ଗାଁକୁ ଜଳ ଯୋଗାଣ ପାଇଁ ଯେଉଁ ପାଇପ୍‌ ପଡୁଛି ତାହା ଫାଟି ଯାଉଥିବା ମନ୍ତ୍ରୀ କହିଥିଲେ। ଖାଲି ସେତିକି ନୁହେଁ, ମନ୍ତ୍ରୀଙ୍କୁ କଟାକ୍ଷ କରିଥିଲେ ମହାରଥୀ। କେବଳ ନବୀନଙ୍କ ନାଁ ନେଇ ପାର୍‌ ହୋଇଗଲେ ଚଳିବ ନାହିଁ। ଏଥିପାଇଁ ପ୍ରତିକାର କରିବା ଦରକାର ବୋଲି ମହାରଥୀ କହିଥିଲେ।

ବଜେଟ୍‌ ଅଧିବେଶ ବେଳେ ମହାରଥୀ ଚର୍ଚ୍ଚାରେ ରହିଥିଲେ। ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଆକ୍ଷେପ କରିଥିଲେ। ଏହାକୁ ନେଇ ନିରଞ୍ଜନ ଓ ମହାରଥୀଙ୍କ ଭିତରେ ତୁତୁ ମେମେ ଚାଲିଥିଲା।

Comment