ଓଡ଼ିଶାଲାଇଭ୍ ବ୍ୟୁରୋ

ସହରବାସୀଙ୍କୁ ଅନଲାଇନ୍ ସାହାଯ୍ୟରେ ସମସ୍ତ ସୁବିଧାସୁଯୋଗ ଦେବାକୁ ଉଦ୍ୟମ କରୁଛନ୍ତି ରାଜ୍ୟ ସରକାର। ଗୁରୁବାର ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନୋଟି ସଂସ୍ଥା ସହ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି।

ସହରବାସୀଙ୍କୁ ରାଜ୍ୟସରକାର ଅନଲାଇନ୍ ସାହାଯ୍ୟରେ ବିଭିନ୍ନ ସେବା ପ୍ରଦାନ କରିବା ସହ ପୌରସଂସ୍ଥାମାନଙ୍କରେ ଅନଲାଇନ୍ ସେବା, ସହରାଞ୍ଚଳ ସେବାକୁ  ଲୋକାଭିମୁଖୀ କରିବା ପାଇଁ ଇ-ଗଭ୍ ଫାଉଣ୍ଡେସନ୍ ନାମକ ଏକ ସଂସ୍ଥା ସହ ଏହି ଚୁକ୍ତି ସ୍ୱାକ୍ଷର ହୋଇଛି।

ସେହିପରି ସହରାଞ୍ଚଳଗୁଡ଼ିକର ନିଜସ୍ୱ ଆୟବୃଦ୍ଧି ଓ ଆର୍ଥିକ ପରିଚାଳନା ପାଇଁ ରାଜ୍ୟ ସରକାର ‘ଜନାଗ୍ରହ’ ନାମକ ଆଉ ଏକ ସଂସ୍ଥା ସହ ବୁଝାମଣା କରିଛନ୍ତି। ଏହି ବୁଝାମଣାରେ ପୌରସଂସ୍ଥାଗୁଡ଼ିକର ଆର୍ଥିକ ସମ୍ବଳକୁ ବୃଦ୍ଧି କରାଯିବା ସହ ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ଼, ପୌରସଂସ୍ଥା କର୍ମଚାରୀଙ୍କର ଦକ୍ଷତା ବୃଦ୍ଧି କରିବା ପାଇଁ ଆଲୋଚନା ହୋଇଛି।

ଅନ୍ୟପଟେ ଓଡ଼ିଶାର ଐତିହ୍ୟ ଓ ପର୍ଯ୍ୟଟନର ବିକାଶର ପ୍ରୋତ୍ସାହନ ପାଇଁ ରାଜ୍ୟ ସରକାର ଭାରତୀୟ ଐତିହ୍ୟ ସହର ନେଟୱାର୍କ ଫାଉଣ୍ଡେସନ୍ (ଆଇଏଚସିଏନ୍ଏଫ୍) ସହ ବୁଝାମଣା ପତ୍ର ସ୍ୱାକ୍ଷର କରିଛନ୍ତି। ଏହାଦ୍ୱାରା ସହରମାନଙ୍କରେ ଥିବା ଐତିହ୍ୟ ସ୍ଥାନ ଚିହ୍ନଟ ହେବା ସହ ଐତିହ୍ୟ ସମ୍ବଳ କେନ୍ଦ୍ରମାନଙ୍କର ପ୍ରତିଷ୍ଠା କରାଯିବ। ଐତିହ୍ୟ ପଦଯାତ୍ରା ଓ ରାଜମିସ୍ତ୍ରୀମାନଙ୍କୁ ତାଲିମ୍ ଦେବାର କାର୍ଯ୍ୟକ୍ରମ ମଧ୍ୟ ଏହାରି ମଧ୍ୟରେ ସ୍ଥାନ ପାଇଛି।

Comment