ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ପ୍ରାୟ ମାସେ ହେଲା ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ମହାଡ୍ରାମା ଚାଲିଛି। ସରକାର କିଏ ଗଠନ କରିବ ଏବଂ ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଆଜି ଏକ ରୋଚକ ଖବର ସାମ୍ନାକୁ ଆସିଛି। ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ମୁଖ୍ୟମନ୍ତ୍ରୀ ହେବେ ବୋଲି କୁହାଯାଉଛି।

ଶିବସେନା ସରକାର ଗଠନ କରିବା ସୁଯୋଗକୁ ହାତଛଡ଼ା କରିବାକୁ ଚାହୁଁନି। ବିଜେପି ସିନା ଫିପ୍ଟି-ଫିପ୍ଟି ଫର୍ମୁଲାରେ ରାଜି ହେଲାନି, ହେଲେ କଂଗ୍ରେସ ଏବଂ ଏନ୍‌ସିପି ଶିବସେନାକୁ ସମର୍ଥନ ଦେବା ପାଇଁ ବିଚାର ବିମର୍ସ ଚଳାଇଛନ୍ତି। ଆଗରୁ ଉଦ୍ଧବ ତାଙ୍କ ପୁଅ ଆଦିତ୍ୟ ଠାକ୍‌ରେଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଥିଲେ। ମିଳିଥିବା ଖବର ଅନୁଯାୟୀ ଏନ୍‌ସିପି ଏବଂ କଂଗ୍ରେସ ଏଥିରେ ସହମତି ହୋଇ ନାହାନ୍ତି। ଏଣୁ ପୁଅ ଆଦିତ୍ୟକୁ ପଛରେ ରଖି ଏବେ ଉଦ୍ଧବଙ୍କ ନାଁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଚର୍ଚ୍ଚା ହେଉଛି।

ଉଦ୍ଧବ ଯଦି ମୁଖ୍ୟମନ୍ତ୍ରୀ ହେବେ ତାହାଲେ କଂଗ୍ରେସ ଏବଂ ଏନ୍‌ସିପି ସମର୍ଥନ ଦେବେ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି।

ଉଦ୍ଧବ ଯଦି ମୁଖ୍ୟମନ୍ତ୍ରୀ ହୁଅନ୍ତି ତାହାଲେ ସେ ନିଜ ପାଖରେ ନଗର ଉନ୍ନୟନ ଏବଂ ଗୃହ ବିଭାଗ ରଖିବେ ବୋଲି କୁହାଯାଉଛି। କାରଣ ଶିବସେନାର ସଙ୍ଗଠନ ସହରାଞ୍ଚଳରେ ମଜଭୁତ ରହିଛି। ଏହାସହ କିଛି ଏନ୍‌ଏସି ଏବଂ ମ୍ୟୁନସିପାଲିଟିରେ ଶିବସେନାର ରାଜୁତି ଚାଲିଛି। ଏଣୁ ନଗର ଉନ୍ନୟନ ବିଭାଗକୁ ଉଦ୍ଧବ ନିଜ ପାଖରେ ରଖି ପାରନ୍ତି ବୋଲି କୁହାଯାଉଛି।

ଆଦିତ୍ୟ ଠାକ୍‌ରେଙ୍କୁ ମନ୍ତ୍ରୀ ପଦ ଦିଆଯିବା ନେଇ ଆଲୋଚନା ଚାଲିଛି। ଆଦିତ୍ୟଙ୍କୁ ଶିକ୍ଷା ବିଭାଗ ମିଳିପାରେ ବୋଲି କୁହାଯାଉଛି। ହେଲେ କଂଗ୍ରେସ ଏବଂ ଏନ୍‌ସିପି ମଧ୍ୟ ୧୪-୧୪ ଫୁର୍ମଲା ପକାଇଛନ୍ତି। ଶିବସେନାକୁ ସମର୍ଥନ କରିବାକୁ ହେଲେ ଦୁଇ ଦଳରୁ ୧୪, ୧୪ ଜଣଙ୍କୁ ମନ୍ତ୍ରୀ କରିବାକୁ ଚାପ ପକା ଯାଉଛି। କଂଗ୍ରେସ ଏବଂ ଏନ୍‌ସିପିର ସର୍ତ୍ତରେ ଯଦି ଶିବସେନା ରାଜି ହୁଏ ତାହାଲେ ସରକାର ଗଠନ ସମ୍ଭବ ବୋଲି ଚର୍ଚ୍ଚା ହେଉଛି।

Comment