ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରର ସାଲିଆସାହିରେ ବସ୍ତି ଉଚ୍ଛେଦକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ବସ୍ତିବାସିନ୍ଦା। ୨୫ ହଜାର ବସ୍ତିବାସିନ୍ଦାଙ୍କୁ ନେଇ ଶୁକ୍ରବାର ଏକ ବିଶାଳ ରାଲି ବିଧାନସଭା ପାଖରେ ପହଞ୍ଚି ପ୍ରତିବାଦ କରିଛନ୍ତି। ଏହାସହ ପ୍ରତି ପରିବାରକୁ ୨୦ ଫୁଟରେ ୩୦ ଫୁଟ୍ ଜମି ଯୋଗାଇଦେବାକୁ ବସ୍ତିବାସିନ୍ଦାମାନେ ଦାବି କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ଗତ ନଭେମ୍ବର ୨ ତାରିଖରୁ ସାଲିଆସାହିରେ ସରକାରଙ୍କ ତରଫରୁ ବଳପୂର୍ବକ ଉଚ୍ଛେଦ ଅଭିଯାନ ଆରମ୍ଭ କରାଯାଇଥିଲା। ୨୦୦ ଫୁଟିଆ ରାସ୍ତା ତିଆରି କରିବା ବାହାନାରେ ବସ୍ତିରୁ ଲୋକମାନଙ୍କୁ ଉଚ୍ଛେଦ କରାଯାଉଛି ବୋଲି ବସ୍ତିବାସନ୍ଦା ଅଭିଯୋଗ ଆଣିଛନ୍ତି। ଶୁକ୍ରବାର ଏନେଇ ଜୟଦେବ ନାୟକ, ପ୍ରମିଳା ବେହେରା, ରଘୁନାଥ ନାଥ ଓ ଅଞ୍ଜନ ନାଥଙ୍କ ଭଳି ବସ୍ତିନେତାଙ୍କ ନେତୃତ୍ୱରେ ହଜାର ହଜାର ବସ୍ତିବାସିନ୍ଦା ଏକାଠି ହୋଇଥିଲେ। ଏମାନେ ସମସ୍ତେ ଏକ ବିଶାଳ ରାଲିରେ ସାଲିଆସାହିରୁ ବାହାରି ଜୟଦେବ ବିହାର, ୪ ନମ୍ବର, ମାଷ୍ଟର କ୍ୟାଣ୍ଟିନ୍ ରାସ୍ତା ଦେଇ ବିଧାନସଭା ଆଡ଼କୁ ଯାଇ ସେଠାରେ ପ୍ରତିବାଦ ସଭା କରିଛନ୍ତି।

ରାଲିରେ ଯିବା ସମୟରେ ଲୋକମାନେ ‘ମରିବୁ ପଛେ ଟଳିବୁ ନାହିଁ ବସ୍ତି ଭାଙ୍ଗିବାକୁ ଛାଡ଼ିବୁ ନାହିଁ’, ‘ରକ୍ତ ଦେବୁ ପଛେ ବସ୍ତି ଭାଙ୍ଗିବାକୁ ଛାଡ଼ିବୁ ନାହିଁ’ ଭଳି ନାରା ଦେଉଥିବା ଦେଖିବାକୁ ମିଳିଥିଲା। ବସ୍ତିବାସିନ୍ଦାଙ୍କ ରାଲି ବିଧାନସଭା ପାଖରେ ପହଞ୍ଚିବା ପରେ ସେଠାରେ ଏକ ପ୍ରତିବାଦ ସଭାର ମଧ୍ୟ ଆୟୋଜନ କରାଯାଇଥିଲା। ଏଥିରେ ପ୍ରତି ପରିବାରକୁ ୨୦ ଫୁଟରେ ୩୦ ଫୁଟ୍ ଜମି ଯୋଗାଇଦେବାକୁ ବସ୍ତିବାସିନ୍ଦାମାନେ ଦାବି କରି କରିଛନ୍ତି। ଏନେଇ ବସ୍ତିବାସିନ୍ଦାଙ୍କ ଏକ ୭ଜଣିଆ ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ତାଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।

ସାଲିଆସାହି ବସ୍ତି ମୁଖ୍ୟତଃ ଜଙ୍ଗଲ ଜମି ଉପରେ ହୋଇଛି। ଯେଉଁଠି ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ହଜାର ହଜାର ଆଦିବାସୀ ଲୋକ ମଧ୍ୟ ବସବାସ କରୁଛନ୍ତି। ଜଙ୍ଗଲ ଅଧିକାର ଆଇନ୍ ୨୦୦୬ ଅନୁସାରେ ଆଦିବାସୀ ଓ ପାରମ୍ପରିକ ଅଧିବାସୀଙ୍କୁ ସହରାଞ୍ଚଳ ଜଙ୍ଗଲ ଜମିରେ ପଟ୍ଟା ଯୋଗାଇଦେବାର ବ୍ୟବସ୍ଥା ଥିଲେ ମଧ୍ୟ ସରକାର ଜମି ଯୋଗାଇଦେଇନାହାନ୍ତି। ବହୁ ବର୍ଷ ପୂର୍ବରୁ ବସ୍ତିବାସିନ୍ଦାଙ୍କୁ ରାଜ୍ୟ ସରକାର ଥଇଥାନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ୧୯୯୯ ମସିହାରେ ସେ ଅତିରିକ୍ତ ଶାସନ ସଚିବଙ୍କ ସହ ଆଲୋଚନା କରିବା ପରେ ମଧ୍ୟ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟ ହାତକୁ ନିଆଯାଇନାହିଁ।

ଏପରିକି ୨୦୧୫ ମସିହାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବସ୍ତିବାସିନ୍ଦାଙ୍କୁ ବାସଗୃହ ଯୋଗାଇଦେବାକୁ ମଧ୍ୟ କେନ୍ଦ୍ର ସରକାର ଯୋଜନା କରିଥିଲେ ମଧ୍ୟ ଏହାର ସୁଫଳ ଲୋକମାନେ ପାଇନାହାନ୍ତି। ବସ୍ତିବାସିନ୍ଦାଙ୍କୁ ସହରର ଜୀବନରେଖା ବୋଲି ୨୦୧୭ରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ରାଜଧାନୀର ସମସ୍ତ ବସ୍ତିଙ୍କୁ ତୁରନ୍ତ ଥଇଥାନ କରାଯିବ ବୋଲି ସେ ସମୟରେ ଆଲୋଚନା ଜୋର୍ ଧରିଥିଲା।। ଏହାପରେ ମଧ୍ୟ ଗତ ନଭେମ୍ବର ୨ ତାରିଖରୁ ସାଲିଆସାହିରେ ବଳପୂର୍ବକ ଉଚ୍ଛେଦ ଅଭିଯାନ ଆରମ୍ଭ କରାଯାଇଛି ଯାହାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ବସ୍ତିବାସିନ୍ଦା।

LEAVE A REPLY

Please enter your comment!
Please enter your name here