ଓଡ଼ିଶାଲାଇଭ୍ ବ୍ୟୁରୋ

‘ସ୍କିଲଡ ଇନ୍ ଓଡ଼ିଶା’ ବ୍ରାଣ୍ଡକୁ ଆହୁରି ଆଗକୁ ନେବା ପାଇଁ ଆରମ୍ଭ ହୋଇଛି ‘ଓଡ଼ିଶା ସ୍କିଲ କନକ୍ଲେଭ-୨୦୨୩’। ଭୁବନେଶ୍ଵରସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ଆୟୋଜିତ ଏହି ମେଗା କନକ୍ଲେଭକୁ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ଏକ ଲକ୍ଷ ଯୁବପିଢ଼ିଙ୍କ ପ୍ରଶିକ୍ଷଣ ନିମନ୍ତେ ବଜେଟରେ ୧୦୦ କୋଟି ଟଙ୍କାର ବ୍ୟବସ୍ଥା ହୋଇଥିବା ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏପ୍ରିଲ ୨୦ରୁ ଆରମ୍ଭ ହୋଇଥିବା ‘ଓଡ଼ିଶା ସ୍କିଲ କନକ୍ଲେଭ’ ଏପ୍ରିଲ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଉଦଘାଟନୀ ଉତ୍ସବରେ ଖଣି ଅଞ୍ଚଳରେ ଆର୍ଥ ମୁଭର୍ସ ଚଲାଉଥିବା ପ୍ରାୟ ୧୦ ଜଣ ମହିଳା ଡ୍ରାଇଭରଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ଏଗଜିବିସନ ବୁଲି ଦେଖିଥିଲେ।

ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ଆନୁକୂଲ୍ୟରେ ଏହି କନକ୍ଲେଭ ଆୟୋଜନ କରାଯାଇଛି। ଚଳିତ ବର୍ଷ ଏହି କନକ୍ଲେଭର ଥିମ୍ ରହିଛି ‘ନୂତନ ବିଶ୍ଵ ପାଇଁ ଦକ୍ଷତା ବିକାଶ’। ୩ ଦିନ ଧରି ଚାଲିବାକୁଥିବା ଏହି କନକ୍ଲେଭରେ ୭ଟି ସେସନ ରହିବ। ଏଥିରେ ପଲିଟେକ୍ନିକ, ବୈଷୟିକ ଶିକ୍ଷାନୁଷ୍ଠାନ, ଇଞ୍ଜିନିୟରିଂ କଲେଜର ପ୍ରାୟ ୩୦୦୦ ଶିକ୍ଷାର୍ଥି ଏବଂ ଶିଳ୍ପପତି ଯୋଗ ଦେଇଛନ୍ତି।

ମେକ୍ ଇନ୍ ଓଡ଼ିଶାର ପାର୍ଟ-୨ ହେଉଛି ଏହି ବିଶ୍ଵସ୍ତରୀୟ ଦକ୍ଷତା ଉତ୍ସବ। ଏଥିରେ ବି ଏସଏଚଜି ମହିଳା ମଧ୍ୟ ସାମିଲ ହୋଇଛନ୍ତି। ବିଶ୍ଵସ୍ତରରେ ରେକର୍ଡ କରିଥିବା ଓଡ଼ିଆ ପିଲାଙ୍କ ସାମର୍ଥ୍ୟର ସୋ’ କେସିଂ ପାଇଁ ଏଭଳି ସ୍କିଲ କନକ୍ଲେଭର ଆୟୋଜନ କରାଯାଉଥିବା କୁହାଯାଇଛି।

ଓଡ଼ିଶା ସ୍କିଲ କନକ୍ଲେଭ ମାଧ୍ୟମରେ ବିଭିନ୍ନ ଶିଳ୍ପ, ଶିକ୍ଷାନୁଷ୍ଠାନ, କ୍ଷେତ୍ରୀୟ ଦକ୍ଷତା ପରିଷଦ, ଅନ୍ତର୍ଜାତୀୟ ସଂଗଠନ, ରାଷ୍ଟ୍ରୀୟ ପ୍ରତିନିଧି ଏବଂ ସ୍କିଲ ଆମ୍ବାସାଡରମାନଙ୍କୁ ଯୋଡ଼ିବା ନିମନ୍ତେ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି। ଏକ ନୂତନ ବିଶ୍ଵ ଗଠନ କରିବା ଦିଗରେ ଏକ ରୋଡମ୍ୟାପ ପ୍ରସ୍ତୁତ କରିବା ପାଇଁ ଏହା ଉପଯୁକ୍ତ ପ୍ଲାଟଫର୍ମ ହେବ। ଓଡ଼ିଶାର ଦକ୍ଷତା ପ୍ରଦର୍ଶନ ନିମନ୍ତେ ‘ଓଡ଼ିଶା ସ୍କିଲ କନକ୍ଲେଭ’ ଏକ ଅନନ୍ୟ ସୁଯୋଗ ହେବ ବୋଲି ଦକ୍ଷତା ବକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

Tags: #SkillDevelopment #SkilledInOdisha #OdishaSkillConclave2023 #OdishaGovernment #CMOdisha #NaveenPatnaik #Inauguration

Comment